Below header

ମାଟିତଳୁ ୨ଟି କୁନି ଜୀବନ ବଞ୍ଚାଇଲେ ରୋମିଓ ଓ ଜୁଲି, ଶୁଙ୍ଘି ଶୁଙ୍ଘି ଜାଣିଦେଉଛନ୍ତି କେଉଁଠି ଅଛି ଜୀବନ

ତୁର୍କୀ ସିରିଆ ଭୂମିକମ୍ପକୁ ୮ ଦିନ ପୁରିଲାଣି। ମୃତ୍ୟୁସଂଖ୍ୟା ୩୬ ହଜାର ଟପିଲାଣି । ଆଉ ମାଟୁତଳୁ ଜୀବନ ଉଦ୍ଧାର କରୁଛନ୍ତି NDRF ସନ୍ଧାନୀ କୁକୁର ରୋମିଓ ଓ ଜୁଲି । ୨ ଟି କୁନି ଜୀବନକୁ ରକ୍ଷା କରିଛନ୍ତି ରୋମିଓ ଓ ଜୁଲି । ଭୂକମ୍ପ ଭଗ୍ନାବଶେଷ ତଳୁ ଜୀବନ ଉଦ୍ଧାର କରିବାରେ ଏମାନେ ସାଜିଛନ୍ତି ହିରୋ ।

ତୁର୍କୀ-ସିରିଆ ଭୂମିକମ୍ପକୁ ଏହା ମଧ୍ୟରେ ୮ ଦିନ ପୁରିଲାଣି । ୬ ଫେୃବଆରୀରେ ଆସିଥିବା ୭.୮ ତୀବ୍ରତାର ଭୂମିକମ୍ପରେ ଏପର୍ଯନ୍ତ ୩୬ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଚାଲିଯାଇଛି। ଏବେ ବି ଧ୍ୱଂସସ୍ତୁପ ତଳୁ ମୃତଦେହ ବାହାର କରାଯାଉଛି। ଆଉ ଭଗବାନଙ୍କ ଲୀଳା ଯୋଗୁଁ ଜୀବିତଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ତୁର୍କୀ ସେନାର ସହଯୋଗରେ ଭାରତର ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (NDRF) ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭାରତର ସନ୍ଧାନୀ କୁକୁରଙ୍କ ସହାୟତାରେ ବିଳମ୍ବିତ ରାତିରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତର ସନ୍ଧାନୀ କୁକୁର ରୋମିଓ ଏବଂ ଜୁଲି ହିରୋ ସାଜିଛନ୍ତି । ରୋମିଓ ଓ ଜୁଲିଙ୍କ ସହାୟତାରେ ଗତକାଲି ରାତିରେ ୨ ଜଣ ଛୋଟ ପିଲାଙ୍କୁ ମାଟି ତଳୁ ଜୀବିତ ଉଦ୍ଧାର କରାଯାଇଛି ।

ଖବର ମୁତାବକ, ରୋମିଓ ଏବଂ ଜୁଲି ଆଘ୍ରାଣ ଶକ୍ତି ଦ୍ୱାରା ଭଗ୍ନାବଶେଷ ତଳେ ଜୀବନ୍ତ ଥିବା ଜୀବନକୁ ଜାଣି ଭୁକୁଛନ୍ତି । ଆଉ ଉଦ୍ଧାରକାରୀ ଦଳ ଡ୍ରିଲିଂ କରିବା ପରେ ଜୀବନ ମିଳୁଛି। ରୋମିଓ ଓ ଜୁଲି ଯୋଗୁଁ ପ୍ରଥମ ଦିନ ଜଣେ ୬ ବର୍ଷର ଝିଅର ଜୀବନ ବଞ୍ଚିଯାଇଛି । ଆଉ ତା’ ପର ଦିନ ଆଉ ଜଣେ ବାଳିକାକୁ ଜୀବନ୍ତ ଉଦ୍ଧାର କରାଯାଇଥିଲା ବୋଲି ଗାଜିଆବାଦର ୮ମ ଏନଡିଆରଏଫ ବାଟାଲିୟନ ମୁଖ୍ୟ ବିପିନ ପ୍ରତାପ ସିଂ କହିଛନ୍ତି । ଦୁଇଟି ଯାକ ଲାବ୍ରାଡର କୋଲକତା ଏନଡିଆରଏଫରେ କାମ କରୁଛନ୍ତି ।

ଭାରତୀୟ ସନ୍ଧାନୀ କୁକୁରମାନେ ଭୁଶୁଡ଼ିପଡ଼ିଥିବା କୋଠାଗୁଡ଼ିକର ଇଟା-କଙ୍କ୍ରିଟ୍ ତଳୁ ଶୁୁଙ୍ଘି ଶୁୁଙ୍ଘି ଜୀବନ ଉଦ୍ଧାର କରୁଛନ୍ତି । ତୁର୍କୀ ସେନା ଓ ଭାରତୀୟ ଦଳ ସେହି ଭୁଶୁଡ଼ା କାନ୍ଥ ଓ ଛାତ ଭିତରେ ଗାତ ଖୋଳି ଜୀବନ୍ତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରୁଛନ୍ତି। ଜୁଲି, ରୋମିଓ, ହନି ଓ ରାମ୍ବୋ ଭାରତୀୟ ସନ୍ଧାନୀ କୁକୁର ବାହିନୀ ଯେଉଁମାନେ ପୋତିହୋଇ ପଡ଼ିଥିବା ଜୀବନ୍ତ ମଣିଷମାନଙ୍କ ବିଷୟରେ ସୂଚନା ଦେଉଛନ୍ତି। ଏମାନେ ଏପର୍ଯ୍ୟନ୍ତ ୪୫ଟି ମୃତଦେହକୁ ଚିହ୍ନଟ କରିଛନ୍ତି ।

ସନ୍ଧାନୀ କୁକୁର ରାମ୍ବୋ ଭୟଙ୍କର ହାଡ଼ଥରା ଶୀତ ସତ୍ତ୍ବେ ଗାଜିଆନଟେପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନେତୃତ୍ବ ନେଉଛି। ସେମାନେ ଗାଜିଆନଟେପର ଏକ ଭଗ୍ନ ବହୁତଳ ପ୍ରାସାଦ ତଳୁ ଅନେକ ଜୀବନ ଉଦ୍ଧାର କରିବାରେ ସହାୟତା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.