ବିଚ୍‌ ରାସ୍ତାରେ ବାଇକ୍ ଆରୋହୀଙ୍କ ବ୍ୟାଗରୁ ୪୦ ଲକ୍ଷ ଟଙ୍କା ନେଇ ଛୁ ମାରିଲେ ଚୋର, ଭାଇରାଲ୍ ହେଉଛି ଭିଡିଓ

ଦିନ ଦ୍ବିପ୍ରହରରେ ରାଜଧାନୀ ଦିଲ୍ଲୀରେ ବିଚ୍‌ ରାସ୍ତା ଉପରୁ ବାଇକ୍ ଆରୋହୀଙ୍କ ବ୍ୟାଗରୁ ୪୦ ଲକ୍ଷ ଟଙ୍କା ଚୋରି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଦିଲ୍ଲୀ: ଦିନ ଦ୍ବିପ୍ରହରରେ ରାଜଧାନୀ ଦିଲ୍ଲୀରୁ ଲୁଟ। ବିଚ୍‌ ରାସ୍ତା ଉପରୁ ବାଇକ୍ ଆରୋହୀଙ୍କ ବ୍ୟାଗରୁ ୪୦ ଲକ୍ଷ ଟଙ୍କା ଲୁଟିନେଲେ। ଏଭଳି ଏକ ଚୋରିର ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ରେଡ ଫୋର୍ଟ ପୋଲିସ ତୁରନ୍ତ ସକ୍ରିୟ ହୋଇପଡିଥିଲା ​​ଯେଉଁଥିରେ ସେମାନଙ୍କୁ ସଫଳତା ମିଳିଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୮ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। କୁହାଯାଉଛି ଯେ ଏହି ଚୋର ଗ୍ୟାଙ୍ଗରେ କାର୍ଯ୍ୟ କରୁଥିବା ଅଭିଯୁକ୍ତମାନେ ଟ୍ରାଫିକ୍ ଜାମ୍ କିମ୍ବା ରେଡ ସିଗନାଲ୍ ଥିବା ସମୟରେ ଚୋରି କରୁଥିଲେ।

ରେଡ ସିଗନାଲ୍ ରେ କୌଣସି ଡ୍ରାଇଭର ଅଟକି ରହିବା ସମୟରେ ରାସ୍ତାରେ ଭାରି ଯାନବାହାନର ସୁଯୋଗ ନେଇ ଅଭିଯୁକ୍ତମାନେ ଚୋରି କରୁଥିଲେ। ବର୍ତ୍ତମାନ ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି। ଏଥି ସହିତ ଘଟଣାର ସିସିଟିଭି କ୍ୟାମେରା ଫୁଟେଜ ମଧ୍ୟ ଭାଇରାଲ ହୋଇଛି। ଡିସିପି ସାଗର ସିଂ କଲସି କହିଛନ୍ତି ଯେ,ମାର୍ଚ୍ଚ ୧ ତାରିଖରେ ଉମେଶ ୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଉମେଶ ଶିକ୍ଷା ସହ ଜଡିତ ଏକ ଫାର୍ମରେ କ୍ୟାସିଅର୍ ଅଛନ୍ତି। ତେବେ ରାସ୍ତାରେ ଚୋରି ଘଟଣା ଘଟିଥିବା ବେଳେ ଉକ୍ତ ଫାର୍ମର ମାଲିକଙ୍କ ନିର୍ଦ୍ଦେଶରେ ଉମେଶ କୁଚା ଘାସି ରାମଙ୍କଠାରୁ ଟଙ୍କା ନେଇ ଉତ୍ତର ଆଭେନ୍ୟୁକୁ ଯାଉଥିଲେ।

ତେବେ ବ୍ୟସ୍ତବହୁଳ ରାସ୍ତାରେ ଘଟିଥିବା ଏଭଳି ଘଟଣା ଦେଖି ଦିଲ୍ଲୀ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତତ୍ପର ହୋଇପଡିଥିଲା। ଏସିପି କୋଟୱାଲୀ ବିଜୟ ସିଂଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ପୋଲିସ ଟିମ୍ ତଦନ୍ତରେ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା । ଏଥିରେ ୩ ଅଭିଯୁକ୍ତ ଉମେଶଙ୍କ ବ୍ୟାଗରୁ ଟଙ୍କା ବାହାର କରୁଥିବା ଦେଖିବାକୁ ମିଳିଥିଲା। ଫୁଟେଜ୍ କୁ ଆଧାର କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଥିଲା।

Leave A Reply

Your email address will not be published.