ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ, ଆଇନ ବିଶେଷଜ୍ଞଙ୍କ ଠାରୁ ନେଇଛନ୍ତି ପରାମର୍ଶ

ସୁଚେତନାରୁ ସୁଚେତନ ହେବାକୁ ଚାହୁଁଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ । ସେ ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରି ସୁଚେତନା ରୁ ‘ସୁଚେତନ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେ ଆଇନ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଉଛନ୍ତି। ଆଗାମୀ ପ୍ରକ୍ରିୟା ପାଇଁ ମନୋଚିକିତ୍ସକଙ୍କ ସହିତ ସଂପର୍କ ମଧ୍ୟ କରୁଛନ୍ତି । ଏହା ସହିତ ଆବଶ୍ୟକ ପଡ଼ୁଥିବା ସମସ୍ତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଅନୁମୋଦନ ପତ୍ର ପ୍ରସ୍ତୁତ ପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

ନିକଟରେ ସୁଚେତନା ଏକ ଏଲ୍‌ଜିବିଟିକ୍ୟୁ (Lesbian, gay, bisexual, and transgender) ୱାର୍କସପରେ ଯୋଗ ଦେଇଥିବା ବେଳେ ସେ ନିଜକୁ ଜଣେ ପୁରୁଷ ମନେ କରନ୍ତି ବୋଲି କହିଥିଲେ। ସେ ପୁରୁଷ ହେବା ପାଇଁ ଚାହୁଁଥିବା କହିଥିଲେ।

ସୁଚେତନା କହିଛନ୍ତି, ମୋ ବାପାଙ୍କର ଅବା ମୋ ପରିବାରର ପରିଚୟ ଗୋଟିଏ ବଡ଼ ପ୍ରସଙ୍ଗ ନୁହେଁ। ଏଲ୍‌ଜିବିଟିକ୍ୟୁ ଆନ୍ଦୋଳନର ଏକ ଅଂଶ ଭାବେ ମୁଁ ମୋ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛି। ପ୍ରତିଦିନ ମୁଁ ଯେଉଁ ସାମାଜିକ ନିର୍ଯାତନା ସହୁଛି, ତାକୁ ବନ୍ଦ କରିବାକୁ ମୁଁ ଏହି ନିଷ୍ପତ୍ତି ନେଇଛି।

ସେ ଆହୁରି କହିଛନ୍ତି, ମୋତେ ୪୧ ବର୍ଷ ହେଲାଣି। ମୋ ଜୀବନ ସହିତ ଜଡ଼ିତ ସମସ୍ତ ନିଷ୍ପତ୍ତି ମୁଁ ନେଇ ପାରିବି। ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି। ଦୟାକରି କେହି ମୋ ବାପାମା’ଙ୍କୁ ଏ ଭିତରକୁ ଟାଣନ୍ତୁ ନାହିଁ। ଯିଏ ନିଜକୁ ମାନସିକ ସ୍ତରରେ ଜଣେ ପୁରୁଷ ବୋଲି ବିଚାର କରେ, ସେ ମଧ୍ୟ ଜଣେ ପୁରୁଷ। ମୁଁ ନିଜକୁ ମାନସିକ ସ୍ତରରେ ପୁରୁଷ ବୋଲି ଭାବୁଛି ।

ମୁଁ ନିଷ୍ପତ୍ତି ନେଇଛି, ମୁଁ ନିଶ୍ଚିତ ଲଢିବି । ମୋ ଭିତରେ ସେପରି ସାହସ ରହିଛି । କିଏ କ’ଣ କହୁଛି, ମୋତେ ସେଥିରେ ଫରକ ପଡୁନି ।

ଏହାଛଡା ମୋର ଏଭଳି ମନ୍ତବ୍ୟକୁ ଯେଭଳି ଅନ୍ୟ କିଛି ରୂପେ ପ୍ରଦର୍ଶନ ନ କରାଯାଉ, ତେଣୁ ସେ ମିଡିଆକୁ ଅପିଲ୍‌ କରିଛନ୍ତି ।

ସୁଚେତନା ଜଣେ ପରିବେଶ କର୍ମକର୍ତ୍ତା, ସାମାଜିକ କର୍ମକର୍ତ୍ତା ଏବଂ ରାଜନୈତିଜ୍ଞ ମଧ୍ୟ ।

Leave A Reply

Your email address will not be published.