ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ କରି ଚିଲାଉଛନ୍ତି ତ କିଏ ତାଳି ମାରି ହାତୀ ମାନଙ୍କୁ ବାହାରକୁ ଆସିବା ପାଇଁ ଉତ୍ସାହିତ କରୁଛନ୍ତି । କିନ୍ତୁ ଦେଖାଯାଉଥିବା ଏହି ସବୁଜ ଶ୍ୟାମଳା ଘାସ ଭିତରେ ରହିଛି ଗୋଟାଏ ଖାଲ ଯେଉଁ ଖାଲରେ ପଡ଼ିଯାଇଛନ୍ତି ହାତୀ । ଗୋଟାଏ କି ୨ଟି ହାତୀ ନୁହେଁ ଏକା ସାଥିରେ ୩ଟି ହାତୀ । ସେହି ଘାସ ବିଲ ମଝିରେ ଥିବା ଖାଲ ପାଣିରେ ପଡ଼ି ଉବୁଟୁବୁ ହେଉଛନ୍ତି ହାତୀ ମାନେ । ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରର । ଯେଉଁଠି ଏହି ହାତୀ ମାନେ ପାଣିରେ ପଡ଼ି ଚିତ୍କାର କରୁଛନ୍ତି । ଆଉ ହାତୀମାନଙ୍କ ଚିତ୍କାର ଶୁଣି ଅନେକ ଲୋକ ଏକାଠି ହୋଇଛନ୍ତି ।

ଦିନ କୁ ଦିନ ହାତୀ ମାନଙ୍କ ଉପଦ୍ରବ ବଢ଼ୁଥିବା ବେଳେ ବର୍ତ୍ତମାନ ବିପଦରେ ପଡ଼ିଛନ୍ତି ହାତୀ । କେତେବେଳେ ଶିକାରୀଙ୍କ ଗୁଳିରେ ଟଳି ପଡ଼ୁଛନ୍ତି ତ ଆଉ କେତେବେଳେ ଖାଦ୍ୟ ଏବଂ ପାନୀୟ ଅନ୍ୱେଷଣ ରେ ଆସି ଯାଉଛନ୍ତି ଜନ ବସ୍ତି ଅଞ୍ଚଳକୁ । ଯାହା ଫଳରେ ବିଭିନ୍ନ ବିପଦର ସମ୍ମୁଖୀନ ରେ ପଡ଼ୁଛନ୍ତି ଗଜରାଜ। ଆଜି ପାଣି ପିଇବା ପାଇଁ ଡହଳ ବିକଳ ହୋଇ ଖୋଜି ଖୋଜି ଆସି ଫସିଥିଲେ ବଡ଼ମ୍ବା ବ୍ଲକ ବେଲିହାପାଳର ଏକ ନାଳରେ । ନାଳରେ ଥିବା ପଙ୍କରେ ସେହି ହାତୀ ମାନେ ଫସିଯିବାରୁ ଆଉ ବାହାରକୁ ବାହାରି ପାରିନଥିଲେ ।

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ । ତିନୋଟି ହାତୀ ଆଜି ସକାଳୁ ନାଳରେ ଫସିରହିଥିବା ବେଳେ ଗାଁ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବନବିଭାଗକୁ ଖବର ଦେଇଥିଲେ । ହାତୀଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବଡ଼ମ୍ବା ବନ ବିଭାଗ । ଉଦ୍ଧାର କରିବା ନିମନ୍ତେ ବନ ବିଭାଗ ପ୍ରୟାସ ଜାରି ରଖିଛି । ସେପଟେ ଏହି ଉଦୁ ଉଦିଆ ଖରାରେ କେତେବେଳେ ହାତୀ ଉଦ୍ଧାର ହେବ ସେନେଇ ଚାହିଁ ବସିଛନ୍ତି ସ୍ଥାନୀୟ ଲୋକେ ।

ତେବେ ବାରମ୍ବାର ଏହି ହାତୀ ମାନେ ଏପରି ଅଘଟଣର ସାମ୍ନା କରୁଥିବା ବେଳେ ଏଥିପ୍ରତି ପ୍ରଶାସନ ସଜାଗ ରହିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଯେପରି ପୁନର୍ବାର ଏଭଳି ଅଘଟଣ ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ।

 

Leave A Reply

Your email address will not be published.