Below header

ଇରାକ୍‌ ପାହାଡ଼ରୁ ମିଳିଲା ଏମିତି ଏକ ମୂର୍ତ୍ତି, ଭାରତ ସହ ଆରମ୍ଭ ହେଲା ବିବାଦ

ଇରାକ୍‌ର ଏକ ପାହାଡ଼ ଉପରୁ ମିଳିଛି ଏକ ଏଭଳି ମୂର୍ତ୍ତି ଯାହାକୁ ନେଇ ଏବେ ଦୁଇ ଦେଶର ଗବେଷକଙ୍କ ମଧ୍ୟରେ ଆରମ୍ଭ ହୋଇଛି ବିବାଦ । ଇରାକ୍‌ ସ୍ଥିତ ଭାରତୀୟ ଦୂତାବାସ ଏହି ମୂର୍ତ୍ତିକୁ ଠାବ କରିଛି । ପାହାଡ଼ କାନ୍ଥରେ ଖୋଦେଇ ହୋଇଥିବା ଏହି ମୂର୍ତ୍ତି ୬ ହଜାର ବର୍ଷ ପୂର୍ବର ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ୨୦୦୦ ବର୍ଷ ତଳର ବୋଲି ଗବେଷକମାନଙ୍କର ମତ । ଇରାକ୍‌ର ହୋରେନ୍‌ ଶେଖାନ୍‌ ଅଞ୍ଚଳରେ ଥିବା ଏକ ପାହାଡ଼ରେ ଏହି ମୂର୍ତ୍ତି ଖୋଦେଇ ହୋଇଛି । ଯେଉଁଥିରେ ଜଣେ ରାଜା ଧନୁତୀର ଧରି ଠିଆ ହୋଇଛନ୍ତି । ତାଙ୍କ ଅଣ୍ଟାରେ ଏକ ଛୁରୀ ଭଳି ଅସ୍ତ୍ର ମଧ୍ୟ ରହିଛି । ତାଙ୍କ ସମ୍ମୁଖରେ ଆଉ ଏକ ଛୋଟ ମୂର୍ତ୍ତି ରହିଛି । ଏହି ମୂର୍ତ୍ତି ଶ୍ରୀରାମଙ୍କର ଏବଂ ଛୋଟ ମୂର୍ତ୍ତି ହନୁମାନଙ୍କ ବୋଲି କୁହାଯାଉଛି ।

ଭାରତର ଏକ ପ୍ରତିନିଧି ମଣ୍ଡଳ ସେହି ସ୍ଥାନକୁ ଯାଇ ମୂର୍ତ୍ତି ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଫେରିଛି । ଅଯୋଧ୍ୟ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ଯୋଗେନ୍ଦ୍ର ପ୍ରତାପ ସିଂହଙ୍କ କହିବା କଥା, ସେହି ମୂର୍ତ୍ତି ହେଉଛି ରାମ ଏବଂ ହନୁମାନଙ୍କର । ଭାରତୀୟ ରାଷ୍ଟ୍ରଦୂତ ପ୍ରଦୀପ ସିଂହ ରାଜପୁରୋହିତଙ୍କ ନେତୃତ୍ୱରେ ଭାରତର ଏକ ପ୍ରତିନିଧି ମଣ୍ଡଳ ଚଳିତ ମାସ ସେଠାକୁ ଯାଇ ତଥ୍ୟ ସଂଗ୍ରହ କରିବା ପରେ ତା ଉପରେ ଅଧିକ ଅନୁସନ୍ଧାନ ଚାଲିଛି ।

IRAQ IDOL-2

ଅନ୍ୟପକ୍ଷରେ ଏହା ରାମ ଓ ହନୁମାନଙ୍କ ମୂର୍ତ୍ତି ନୁହେଁ ବୋଲି କହିଛନ୍ତି ଇରାକ୍‌ର ବିଶେଷଜ୍ଞ । ସେମାନଙ୍କ ଅନୁସାରେ ଏହା ସେଠାକାର ଆଦିବାସୀଙ୍କ ଚିତ୍ର ଅଟେ । ଏ ଚିତ୍ର ହେଉଛି ଆଦିବାସୀଙ୍କ ମୁଖିଆ ଟାର୍ଡୁନିଙ୍କର । ତେବେ ଏହାକୁ ପ୍ରମାଣ କରିବା ଲାଗି ସେମାନଙ୍କ ନିକଟରେ କୌଣସି ଠୋସ୍‌ ତଥ୍ୟ ନାହିଁ । ତେଣୁ ସେମାନେ ଅଧିକ ଗବେଷଣା ପାଇଁ ଇରାକ୍‌ ସରକାରଙ୍କ ଅନୁମତି ମାଗିଛନ୍ତି । ଜଣେ ଆକାଡ଼ି ଯୋଦ୍ଧା ହୁରିଆ ସୈନିକକୁ ଯୁଦ୍ଧରେ ହରାଇବା ପରେ ହୁରିଆ ବ୍ୟକ୍ତି ଜଣଙ୍କ ତାଙ୍କୁ କ୍ଷମାଭିକ୍ଷା କରୁଛନ୍ତି । ଯାହା ରାମଙ୍କ ଆଗରେ ହନୁମାନ ହାତଯୋଡ଼ି ବସିଥିବା ଭଳି ଲାଗୁଛି ।

ତେବେ ଅଯାଧ୍ୟା ଗବେଷଣା ସଂସ୍ଥା କହିଛି ଯେ ରମାୟାଣ କାହାଣୀ ସତ ଥିଲା ବୋଲି ଇଏ ହେଉଛି ତାର ପ୍ରମାଣ । ଏବେ ଦେଖିବାର କଥା କିଏ ଏହାକୁ ବାସ୍ତବ ବୋଲି ପ୍ରମାଣ କରି ପାରୁଛି । ଭାରତ ନା ଇରାକ୍‌ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.