Below header

ଆଜିଠୁ ବନ୍ଦ ହେଲା ୯୪ ବର୍ଷ ପୁରୁଣା ବ୍ୟାଙ୍କ, ୨୦ ଲକ୍ଷ ଗ୍ରାହକ ହେବେ ପ୍ରଭାବିତ

ଆଜିଠୁ ବନ୍ଦ ହେଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ। ଦୀର୍ଘ ୯୪ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଏହି ବ୍ୟାଙ୍କ ଆଜିଠୁ ସବୁଦିନ ପାଇଁ ବନ୍ଦ ହୋଇଯିବ। ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ଆରବିଆଇ୍‌ ଅନେକ ପ୍ରତିବନ୍ଧକ ଲଗାଇବା ପରେ ଏହାକୁ ଡିବିଏସ୍‌ ବ୍ୟାଙ୍କ ସହ ମିଶ୍ରଣ କରିବା ପାଇଁ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ସିଙ୍ଗାପୁରର ସବୁଠୁ ବଡ଼ ଡିବିଏସ୍‌ ବ୍ୟାଙ୍କ ସହ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ହୋଇଛି।

ଗୁରୁବାର କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ଯେ ବ୍ୟାଙ୍କର ୨୦ ଲକ୍ଷ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ। ସେମାନେ ଶୁକ୍ରବାର ଠାରୁ ନିଜ ଆକାଉଣ୍ଟକୁ ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆର ଗ୍ରାହକ ଭାବେ ଅପରେଟ୍‌ କରିପାରିବେ। ୱେଲ ଆଉଟ୍‌ ପ୍ୟାକେଜ୍‌ ଅନ୍ତର୍ଗତ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଜମାକାରୀଙ୍କୁ ତାଙ୍କ ସମ୍ପୂର୍ଣ୍ଣ ଟଙ୍କା ମିଳିବ। ସେମାନେ ଯଦି ବ୍ୟାଙ୍କରେ ଟଙ୍କା ରଖିବାକୁ ଚାହୁଁଛନ୍ତି, ତେବେ ତାହା ସୁରକ୍ଷିତ ରହିବ।

କେମିତି ଆରମ୍ଭ ହେଲା ସଙ୍କଟ?

ଗତ କିଛି ବର୍ଷ ଧରି ବ୍ୟାଙ୍କର ଗ୍ରୋଥ୍‌କୁ ଋଣହାର ସହ ଯୋଡ଼ି ଦେଖିବା ପରେ ବ୍ୟାଙ୍କର ଖରାପ ସମୟ ଆରମ୍ଭ ହୋଇଥିଲା। ୪-୫ ବର୍ଷ ତଳେ ଲକ୍ଷ୍ମୀବିଳାସ ବ୍ୟାଙ୍କ ରିଟେଲ, ଏମ୍‌ଏସ୍‌ଏମ୍‌ଇ ଓ ଏସ୍‌ଏମ୍‌ଇକୁ ବଡ଼ ଋଣ ଦେବା ଆରମ୍ଭ କରିଥିଲା। ବଡ଼ ଲୋନ୍‌ ଯୋଗୁ ବ୍ୟାଙ୍କର ଲୋନ୍‌ ବୁକ୍‌ ତ ବଢ଼ିଲା, କିନ୍ତୁ ଏହା ବ୍ୟାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲା। ଅର୍ଥ ବ୍ୟବସ୍ଥାରେ ଉନ୍ନତି ନ ଆସିବାରୁ ବ୍ୟାଙ୍କର ଲୋନ୍‌ ଏନ୍‌ପିଏ ପାଲଟିଗଲା। ଏବେ ବ୍ୟାଙ୍କର ୩୦୦୦-୪୦୦୦ କୋଟି ଟଙ୍କାର କର୍ପୋରେଟ୍‌ ଲୋନ୍‌ ରହିଛି। ୨୦୧୮-୨୦୧୯ରେ ବ୍ୟାଙ୍କକୁ ୮୯୪ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା। ଏଣୁ ଆରବିଆଇ୍‌ ବାଧ୍ୟ ହୋଇ ବ୍ୟାଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.