କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର, ବଢିଲା GST ଛାଡ଼ ସୀମା

ନୂଆଦିଲ୍ଲୀ : ବଢ଼ିଲା ଜିଏସଟି ଛାଡ଼ ସୀମା । ଏହାକୁ ୪୦ ଲକ୍ଷ ଟଙ୍କାକୁ ବଢ଼ାଯାଇଛି । ପୂର୍ବରୁ ୨୦ ଲକ୍ଷ ଟଙ୍କା ଯାଏ କାରବାର ଉପରେ ଜିଏସଟି ଛାଡ଼ ଥିଲା । ଆଜି ଜିଏସଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଯେଉଁ କଂପାନୀ କିମ୍ବା ବ୍ୟବସାୟୀଙ୍କ କାରବାର ୪୦ ଲକ୍ଷରୁ କମ୍ ସେମାନେ ଜିଏସ୍ଟି ପରିସର ଭୁକ୍ତ ହେବେ ନାହିଁ। ଉତ୍ତରପୂର୍ବ ଓ ପାର୍ବତ୍ୟ ରାଜ୍ୟଗୁଡିକ ପାଇଁ ଏହି ସୀମା ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବିମୁଦ୍ରୀକରଣ ଯୋଗୁଁ ବହୁ କ୍ଷୁତ୍ର ଓ ମଧ୍ୟମ ଶିଳ୍ପ କ୍ଷତି ସହିଥିଲେ। ଆଜିର ନିଷ୍ପତ୍ତି ଫଳରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ବହୁ ଶିଳ୍ପ ଉପକୃତ ହେବେ।
ସେହିପରି କମ୍ପୋଜିସନ ସ୍କିମ ସୀମାକୁ ୧କୋଟିରୁ ଦେଢ଼ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ପହିଲାରୁ ଏହା ଲାଗୁ ହେବ । ଯେଉଁମାନେ କମ୍ପୋଜିସନ ସ୍କିମରେ ଆସୁଛନ୍ତି ସେମାନେ ତ୍ରୈମାସିକ ଟିକସ ଦାଖଲ କରିବେ । ତେବେ ବର୍ଷକୁ ଥରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ । ଆଜି ବୈଠକରେ ୧ ପ୍ରତିଶତ କାଲାମିଟି ସେସ୍ ପାଇଁ କେରଳକୁ ଅନୁମତି ଦିଆଯାଇଛି । କେରଳ ଦୁଇ ବର୍ଷ ପାଇଁ ଏହି ସେସ୍ ଲାଗୁ କରିପାରିବ ।