ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ସ୍ୱିସ୍ ଝଟ୍କା। ନିରବ ମୋଦି ଓ ତାଙ୍କ ଭଉଣୀଙ୍କ ନାଁରେ ସ୍ୱିଜରଲାଣ୍ଡରେ ଥିବା ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧରେ ସେସବୁ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରିଛନ୍ତି ସ୍ୱିସ୍ ବ୍ୟାଙ୍କ କର୍ତ୍ତୃପକ୍ଷ। ନିରବ ଓ ତାଙ୍କ ଉଭଣୀ ପୁରବୀଙ୍କର ସେସବୁ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖା ୨୮୯ କୋଟି ୧୬ ଲକ୍ଷ ଜମା ରାଶି ଥିଲା। ଏନେଇ ସ୍ୱିସ୍ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, ଭାରତର ଅନୁରୋଧରେ ସେମାନେ ନିରବ ଓ ପୁରବୀଙ୍କର ଚାରିଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରିଛନ୍ତି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ପାଖାପାଖି ୧୩ ହଜାର ଟଙ୍କା ଆତ୍ମସାତ କରି ବିଦେଶ ଛୁ ମାରିଥିଲେ ନିରବ ମୋଦି। ତାଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା। ପିଏନ୍ବି ଠକେଇ ମାମଲାରେ ପ୍ରତ୍ୟାର୍ପଣ ନେଇ ଭାରତକୁ କୁଟନୈତିକ ସ୍ତରରେ ଦ୍ୱିତୀୟ ସଫଳତା ମିଳିଛି। ଗତ ବୁଧବାର ଏହି ଠକେଇର ଅନ୍ୟତମ ନାୟକ ମେହୁଲ ଚୋକସୀଙ୍କ ଆଣ୍ଟିଗୁଆ ନାଗରିକତ୍ୱ ରଦ୍ଦ ହେବ ବୋଲି ସେଠାକାର ପ୍ରଧାନମନ୍ତ୍ରୀ କହିଥିଲେ। ଅର୍ଥାତ ମେହୁଲ ଚୋକସୀଙ୍କ ଭାରତ ପ୍ରତ୍ୟାର୍ପଣ ରାସ୍ତା ସଫା ହୋଇଥିବା କୁହାଯାଉଛି।