ଗୋଆରେ ଆଜି ବସିବ GST କାଉନସିଲ୍‌ର ୩୭ତମ ଗୁରୁତ୍ୱପୂର୍ଣ୍ଣ ବୈଠକ

ଗୋଆ: ଗୋଆରେ ଆଜି ବସିବ GST କାଉନସିଲ୍‌ର ୩୭ତମ ଗୁରୁତ୍ୱପୂର୍ଣ୍ଣ ବୈଠକ। ଅର୍ଥନୀତିକୁ ମଜଭୁତ୍‌ କରିବା ପାଇଁ ଟିକସ ହ୍ରାସ ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ GST ରିଟର୍ଣ୍ଣ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରେ। ବୈଠକରେ ଚାରି ଚକିଆ ଯାନ, ସିମେଣ୍ଟ ସହ ଆଉ କିଛି ସାମଗ୍ରୀ ଉପରେ ରେଟ୍‌ କଟ ପାଇଁ ଚିନ୍ତା କରାଯାଉଛି। ଚାରିଚକିଆ ଯାନ ଓ ସିମେଣ୍ଟ ଉପରେ ଏବେ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଛି। ଏହାକୁ କମାଇବା ପାଇଁ ଚିନ୍ତା କରାଯାଉଥିବା ବେଳେ କିଛି ରାଜ୍ୟ ଏହାର ସିଧା ବିରୋଧ କରୁଛନ୍ତି। ସମ୍ପୃକ୍ତ ରାଜ୍ୟଗୁଡିକର ଯୁକ୍ତି ଜିଏସଟି କମିଲେ ରାଜ୍ୟ ଗୁଡିକ କ୍ଷତି ସହିବେ। କିନ୍ତୁ ଏସବୁ କ୍ଷେତ୍ରରେ ଓଡ଼ିଶାର କଣ ଆଭିମୁଖ୍ୟ ରହିବ ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ।

ଏ ଅବସରରେ, ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ଦାବି ରଖିବେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପଞ୍ଚଦଶ ଅର୍ଥ କମିଶନଙ୍କୁ ଭେଟି ପ୍ରାୟ ୨ ହଜାର କୋଟି ଟଙ୍କାର ଅତିରିକ୍ତ ଦାବି ରଖିବେ । ପୂର୍ବରୁ ଗତ ଜାନୁଆରୀ ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ.କେ ସିଂ ଓ ତାଙ୍କ ଟିମ୍‌। ସେତେବେଳେ ଓଡ଼ିଶା ପୁରୀର ବିକାଶ ପାଇଁ ୨୩୦ କୋଟି ଟଙ୍କାର ଅନୁଦାନ ପାଇଁ ଦାବି ରଖିଥିଲେ। ଏହାପରେ ପୁରୀ ଐହିହ୍ୟ ନଗରୀ କରିବାକୁ ଅନେକ ଘୋଷଣା କରିଛନ୍ତି ସରକାର।