ଜାଣନ୍ତୁ, ଦେଶର କେଉଁ ସ୍ଥାନରେ ସବୁଠୁ ବିଳମ୍ବରେ ଚାଲୁଛି ଟ୍ରେନ୍‌, ରେଳ ବିଭାଗ ଜାରି କଲା ସମୟାନୁବର୍ତ୍ତିତା ତାଲିକା

ରେଲୱେ ବୋର୍ଡ ଚଳିତମାସ ୧ରୁ ୭ ଫେବ୍ରୁଆରୀ ଯାଏଁ ସାରା ଦେଶରେ ଚାଲିଥିବା ଟ୍ରେନ୍‌ର ସମୟାନୁବର୍ତ୍ତିତା ଚାର୍ଟ ପ୍ରସ୍ତୁତ କରିଛି। ଏହି ତାଲିକାରେ ସାରା ଦେଶରେ ଠିକ୍‌ ସମୟରେ ଚାଲୁଥିବା ଟ୍ରେନ୍‌ର ପରିମାଣ ମାତ୍ର ୯୫.୯୧ ପ୍ରତିଶତ ରହିଛି। ଏହା ରେଳ ମନ୍ତ୍ରୀଙ୍କ ଲକ୍ଷ୍ୟଠାରୁ କମ୍‌ ରହିଛି। ଏଥିରେ ଏହା ମଧ୍ୟ ଜଣାଯାଇଛି ଯେ ସମୟ ପାଳନ କରିବାରେ କେଉଁ କେଉଁ ଜୋନ୍‌ ଓ ଡିଭିଜନ୍‌ ଆଗରେ ଆଉ କିଏ ପଛରେ ରହିଛି। ଆସନ୍ତୁ ଜାଣିବା ସବୁଠୁ ଅଧିକ ଡେରିରେ କେଉଁ କେଉଁ ଜୋନ୍‌ ଓ ଡିଭିଜନ୍‌ରେ ଟ୍ରେନ୍‌ ଚାଲୁଛି…

ଠିକ୍‌ ସମୟରେ ଚାଲୁଥିବା ଟ୍ରେନ୍‌ ମଧ୍ୟରେ ରାଜଧାନୀ ଏକ୍ସପ୍ରେସ୍‌, ଶତାବ୍ଦୀ ଏକ୍ସପ୍ରେସ୍‌, ତେଜସ୍‌ ଏକ୍ସପ୍ରେସ୍‌ ଓ ହମ୍‌ସଫର ଏକ୍ସପ୍ରେସ୍‌ ଭଳି ପ୍ରିମିୟମ୍‌ ଟ୍ରେନ୍‌ ରହିଛି। ଏହି ଟ୍ରେନ୍‌ଗୁଡ଼ିକୁ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ରେଳ ବିଭାଗକୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିପାଇଁ ଅନ୍ୟ ଟ୍ରେନ୍‌ଗୁଡ଼ିକୁ ରୋକିବାକୁ ପଡ଼ିଥାଏ। ଏବେ ରେଳ ମନ୍ତ୍ରୀ ଏମିତି ଏକ ପ୍ଲାନ୍‌ କରୁଛନ୍ତି, ଯାହା ଦ୍ୱାରା ସବୁ ଟ୍ରେନ୍‌ ଠିକ୍‌ ସମୟରେ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ।

ପଞ୍ଚୁଆଲିଟି ଚାର୍ଟ ମୁତାବକ, ପୂର୍ବୋତ୍ତର ରେଲୱେ, ଗୋରଖପୁର ସବୁଠୁ ବିଳମ୍ବରେ ଚାଲୁଛି। ଏହାର ସମୟାନୁବର୍ତ୍ତିତା ୮୫.୫୯ ପ୍ରତିଶତ ଥିବା ଜଣାଯାଇଛି। ଏହା ପରେ ଉତ୍ତର ମଧ୍ୟ ରେଲୱେ, ପ୍ରୟାଗରାଜ ରହିଛି। ଏହାର ପଞ୍ଚୁଆଲିଟି ୮୬.୫୩ ପ୍ରତିଶତ ରହିଛି।

ଅନ୍ୟପଟେ ଡିଭିଜନ୍‌ ଲେବଲରେ ଦେଖିବାକୁ ଗଲେ ମୁରାଦାବାଦ ଡିଭିଜନ୍‌ ସବୁଠୁ ବିଳମ୍ବ ବୋଲି ଜଣାଯାଇଛି। ଏହି ଡିଭିଜନ୍‌ରେ ୧୦୨ ଟି ଟ୍ରେନ୍‌ ଲେଟ୍‌ରେ ଚାଲେ ଓ ଏହାର ପଞ୍ଚୁଆଲିଟି ସ୍ତର ୭୬.୮୨ ପ୍ରତିଶତ ରହିଛି। ଏହା ପରେ ଭଦୋଦରା ଡିଭିଜନ୍‌ ଆସିଛି। ଏଠାରେ ପଞ୍ଚୁଆଲିଟି ୮୨.୦୨ ପ୍ରତିଶତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.