ଆମାଜନ- ଫ୍ଲିପକାର୍ଟରେ ଶେଷ ହେବାକୁ ଯାଉଛି ସେଲ, ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ : ଆମାଜନ୍, ଫ୍ଳିପକାର୍ଟ, ପେଟିମ୍ ଭଳି ସମସ୍ତ ଇକମର୍ସ ସାଇଟରେ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ରିପବ୍ଳିକ୍ ସେଲ ଶେଷ ସେଲ ହୋଇପାରେ। ବାସ୍ତବରେ କେନ୍ଦ୍ର ସରକାର ଇ-କମର୍ସ କମ୍ପାନି ଗୁଡ଼ିକ ଉପରେ କଡ଼ା ନିୟମ ଲାଗୁ କରିଛି। ସେନେଇ କମ୍ପାନି ଖାଲି ସେହି ବସ୍ତୁ ଉପରେ ସେଲ ଲଗାଇ ପାରିବ ଯାହା ନିଜସ୍ବ କମ୍ପାନି ନିର୍ମାଣ କରିଥିବ। ଗତ ମାସରେ ଲାଗୁ ହୋଇଥିବା ନିୟମ ଅନୁଯାୟୀ ଅନଲାଇନରେ ଉତ୍ପାଦ ବିକ୍ରି କରୁଥିବା ଇ-କମର୍ସ ସଂସ୍ଥା କୌଣସି ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ ସହିତ ବିକ୍ରି ପାଇଁ ସ୍ବୟଂ ବୁଝାମଣା କରିପାରିବେ ନାହିଁ। ଇକମର୍ସ ସାଇଟରେ କେବଳ ସେହି ଜିନିଷ ହିଁ ବିକ୍ରି କରିପାରିବେ ଯେଉଁ ବ୍ରାଣ୍ଡ ବା କମ୍ପାନିରେ ତାଙ୍କର ଅଂଶ ରହିଛି।
-ଏହି ନିର୍ଦ୍ଦେଶର ଅର୍ଥ ଇ-କମର୍ସ ସାଇଟ କୌଣସି କମ୍ପାନି ବା ପ୍ରଡ଼କ୍ଟକୁ ଏକ୍ସକ୍ୟୁସିଭ୍ ବିକ୍ରି କରିପାରିବେ ନାହିଁ। ଏହା ଦ୍ବାରା ଆମାଜନ୍ ଏବଂ ଫ୍ଳିପକାର୍ଟରେ ହେଉଥିବା ଭଳି କମ୍ପାନିର ସ୍ମାର୍ଟଫୋନର ଏକ୍ସକ୍ୟୁସିଭ୍ ବିକ୍ରି ଆଉ ହେବ ନାହିଁ।
-ଏନେଇ ସରକାର ଅନଲାଇନ ରିଟେଲର ନିୟମକୁ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଛନ୍ତି। ଅନଲାଇନରେ ରିଟେଲ ଫର୍ମ FDI ଅର୍ଥାତ ସିଧା ବିଦେଶ ନିବେଶର ନିୟମକୁ ସଂପୂର୍ଣ୍ଣ ବଦଳି ଦିଆଯାଇଛି।
-ଏହାଛଡ଼ା କ୍ୟାସବ୍ୟାକରେ ରହୁଥିବା ନିୟମକୁ ପରିବର୍ତ୍ତନ କରିବାକୁ ମଧ୍ୟ ନିୟମ କଡ଼ାକଡ଼ି କରିଛନ୍ତି ସରକାର। କେବଳ ସଂପୂର୍ଣ୍ଣ ସତ୍ୟତା ଭିତ୍ତିକ ମାମଲାରେ କ୍ୟାସବ୍ୟାକ୍ ପ୍ରଦାନ କରାଯିବ।
-ଏହା ବ୍ୟତୀତ, ଇ-କମର୍ସ ସଂସ୍ଥାଗୁଡ଼ିକୁ ପ୍ରତିବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଏକ ପୂର୍ବ ଆର୍ଥିକ ବର୍ଷର ଏକ ବୈଧାନିକ ଅଡିଟର୍ ରିପୋର୍ଟ ଓ ସାର୍ଟିଫିକେଟ୍ ଦାଖଲ କରିବାକୁ ହେବ।
-ଯଦି ଇ-କମର୍ସ ସାଇଟି ଏହି ସମସ୍ତ ନିୟମ ପାଳନ କରୁ ନାହାନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାରବାର କରାଯିବ। ଏପରି ନିୟମର କାରଣ ହେଉଛି, ଇ-କମର୍ସ ସଂସ୍ଥାଗୁଡ଼ିକ ବିରୋଧରେ ଦୀର୍ଘ ଦିନ ହେବ ସ୍ଥାନୀୟ ଖୁଚୁରା ବ୍ୟବସାୟୀମାନେ ଅଭିଯୋଗ କରୁଥିଲେ। ଏଣୁ ଶେଷରେ ଏବେ ଏହି କଡ଼ା ନିୟମ ଲାଗୁ କରାଯାଇଛି।