ଦେଶରେ ପ୍ରଥମ ଥର ପାଇଁ ଚାଲିବ ଫୁଲି ଅଟୋମେଟେଡ ଡ୍ରାଇଭରଲେସ୍ ଟ୍ରେନ୍ ସେବା, ୨୮ ଡିସେମ୍ବରରେ ଉଦଘାଟନ କରିବେ ପିଏମ

ଦେଶର ପ୍ରଥମ ଡ୍ରାଇଭରଲେସ ଟ୍ରେନ୍ ସେବା ୨୮ ଡିସେମ୍ବର ଠାରୁ ଆରମ୍ଭ ହେବାକୁ ଯାଉଛି। ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନ ଏବେ ସୁପର ଟ୍ରେନରେ ପରିଣତ ହେବାକୁ ଯାଉଛି। ଅର୍ଥାତ ଯାତ୍ରୀ ସେବା ଯୋଗାଇ ଦେଉଥିବା ମେଟ୍ରୋ ଟ୍ରେନଗୁଡିକ ଏବେ ବିନା ଚାଳକରେ ଚାଲିବ। ଆସନ୍ତା ୨୮ ତାରିଖ ଦିନ ମଜେଣ୍ଟା ଲାଇନରେ ଦେଶର ପ୍ରଥମ ବିନା ଚାଳକ ଟ୍ରେନ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ।
ଏହି ରୁଟରେ ବିନା ଚାଳକ ଟ୍ରେନର ସଫଳତାକୁ ଦେଖିବା ପରେ ରାଜଧାନୀର ଅନ୍ୟ ମେଟ୍ରୋ ରୁଟରେ ମଧ୍ୟ ବିନାଚାଳକରେ ଟ୍ରେନ ଚଳାଇବା ପାଇଁ ଡିଏମଆରସି ଉଦ୍ୟମ କରିବେ। ଏହାପୂର୍ବରୁ ୨୦୧୭ରେ ମଜେଣ୍ଟା ଲାଇନରେ ଟ୍ରେନକୁ ବିନା ଡ୍ରାଇଭରରେ ଚଳାଯାଇଥିଲା।
ହେଲେ ଏପର୍ଯ୍ୟନ୍ତ ଡ୍ରାଇଭର ଦ୍ୱାରା ଟ୍ରେନ ଚଳାଯାଉଛି। ତେବେ ଏବେ କେବଳ ଟ୍ରେନକୁ ଡ୍ରାଇଭର ଷ୍ଟାର୍ଟ କରୁଥିବା ବେଳେ ତାହା ସିବିଟିସି ଟେକନିକ୍ରେ ମନକୁ ମନ ଚାଳିବ ବୋଲି ଜଣାଯାଇଛି। ଏବେ ଦିଲ୍ଲୀ ମେଟ୍ରୋକୁ ଡ୍ରାଇଭରଲେସ୍ କରିବା ଲାଗି ଡିଏମଆରସି ଲଗାତାର ପରୀକ୍ଷାନିରୀକ୍ଷା ଚଳାଇଛନ୍ତି।