ଆସିଗଲା SBI ଆନ୍ୟୂଇଟି ଡିପୋଜିଟ ସ୍କିମ, ଥରେ ଟଙ୍କା ଜମା କରି ପାଇପାରିବେ ମାସକୁ ମାସ ଟଙ୍କା

ଗୋଟେ ପଟେ ସୁଧ ହାର ବଢି ଚାଲିଥିବାବେଳେ ଦେଶର ସର୍ବୋଚ୍ଚ ଋଣ ପ୍ରଦାନକାରୀ ସଂସ୍ଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଏକ ନୂଆ ସ୍କିମ ଲାଗୁ କରିବାକୁ ଯାଉଛି । ଏହି ସ୍କିମର ନାଁ “ଏସବିଆଇ ଅନ୍ୟୂଇଟି ଡିପୋଜିଟ” ରଖାଯାଇଛି । ଯାହାକୁ ଏକ ଭଲ ଇନଭେଷ୍ଟମେଣ୍ଟ ମାଧ୍ୟମ ଭାବେ ଧରି ହେବ । ଏହି ଯୋଜନାରେ ଗ୍ରାହକ ମାନେ କିଛି ଡିପୋଜିଟ କରି ମାସକୁ ମାସ ରୋଜଗାର କରିପାରିବେ । ଏଥିରେ ଗ୍ରାହକ ମାନେ ଜମା କରିଥିବା ମୂଲଧନ ସହିତ ସୁଧାରାଶି ବି ମିଶିକି ରହିଛି ।
ଏସବିଆଇ ଅଫିସିଆଲ ୱେବସାଇଟରେ ଜାରି ହୋଇଥିବା ସୂଚନା ଅନୁଯାୟୀ ସମସ୍ତ ଯୋଗ୍ୟ ପ୍ରାର୍ଥୀ ଏକାକି କିମ୍ବା ମିଳିତ ଭାବେ ଏହି ସ୍କିମର ଲାଭ ନେଇପାରିବେ । ଏପରିକି ୧୮ ବର୍ଷରୁ କମ ବୟସର ଯୁବକ ମଧ୍ୟ ଏହି ସ୍କିମର ଲାଭ ନେଇପାରିବେ । ଯେଉଁ ଗ୍ରାହକ ମାନେ NRO କିମ୍ବା NRE ହୋଇଥିବେ ସେମାନେ ଏହି ସ୍କିମରେ ନିଜ ନାଁ ରେଜିଷ୍ଟ୍ରେସନ କରାଇ ପାରିବେ ନାହିଁ । ଅବଶ୍ୟ ବରିଷ୍ଠ ନାଗରିକଙ୍କ ଉପରେ ରେଗୁଲାର ରେଟ ଉପରେ କିଛିଟା ଅଧିକ ସୁଧ ଲାଗୁହେବ । ଏସବିଆଇ ଗାଇଡ଼ଲାଇନ ଅନୁଯାୟୀ ଜଣେ ବ୍ୟକ୍ତି ଏସବିଆଇ ଅନ୍ୟୂଇଟି ସ୍କିମ ପାଇଁ ସେଭିଂଗ, କରେଣ୍ଟ ତଥା ଓଡି ଆକାଉଣ୍ଟ ବ୍ୟବହାର କରିପାରିବେ । ଆଉ ଏହି ଆକାଉଣ୍ଟରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ଲାଗୁହେବା ସହ ସେ ଆକାଉଣ୍ଟ ବନ୍ଦ ନହୋଇଥିବା ଆବଶ୍ୟକ ।
ଏସବିଆଇ ଆନ୍ୟୂଇଟି ସ୍କିମ ଦେଶର ସମସ୍ତ ଏସବିଆଇ ଶାଖାରେ ଉପଲବ୍ଧ ହେଉଛି । ଏହାର ସମୟସୀମା ୩୬, ୬୦, ୮୪ ଓ ୧୨୦ ମାସ ପର୍ଯ୍ୟନ୍ତ ରହିଛି । ନିଜ ନାଁରେ ୩ ରୁ ୧୦ ବର୍ଷ ପର୍ଯ୍ୟନ୍ତର ଏସବିଆଇ ଆନ୍ୟୂଇଟି ସ୍କିମ ଖୋଲିବା ପାଇଁ ସର୍ବନିମ୍ନ ମାସିକ ଦେୟ ୧୦୦୦
ଟଙ୍କା ରଖାଯାଇଛି । ନିଜ ସମୟସୀମା ମଧ୍ୟରେ ଗ୍ରାହକଙ୍କୁ ଏହି ଦେୟ ଭରିବାକୁ ହେବ | ଏସବିଆଇ ଦ୍ୱାରା ଲାଗୁ ହୋଇଥିବା ଦିଶା ନିର୍ଦ୍ଦେଶ ଅନୁଯାୟୀ ଅନଲାଇନ ବ୍ୟାଙ୍କିଙ୍ଗ ଜରିଆରେ ଆପଣ ସେତିକି ହିଁ ଟଙ୍କା ଡିପୋଜିଟ କରିପାରିବେ ଯେତିକି ଅନଲାଇନ ଜରିଆରେ ଫଣ୍ଡ ଟ୍ରାନ୍ସ୍ଫର ହେଉଛି । କିନ୍ତୁ ଅଫଲାଇନ ଜରିଆରେ ସେପରି କୌଣସି ନିର୍ଦ୍ଧାରିତ ପରିମାଣ ରଖାଯାଇନାହିଁ । କହିରଖିବା ଉଚିତ ହେବକି ଗତ ୧୪ ତାରିଖରେ ଏସବିଆଇ ପକ୍ଷରୁ ସୁଧହାର ହାର ବୃଦ୍ଧି କରାଯାଇଛି । ସାଧାରଣ ଜନତାଙ୍କ ପାଇଁ ସୁଧ ହାର ୫.୪୫ ପ୍ରତିଶତରୁ ୫. ୫୦ କରାଯାଇଥିବା ବେଳେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି ହାର ୫.୯୫ରୁ ବଢି ୬.୩୦ କରାଯାଇଛି । ଏହା ସହ ଅନ୍ୟୂଇଟି ଡିପୋଜିଟର ସୁଧ ହାର ଉପରେ ଟିଡ଼ିଏସ ଲାଗୁ ହେବ ।