ବାଗଚୀଙ୍କ ପ୍ରେସ୍‌ମିଟ୍‌ : କହିଲେ, ବୟସ୍କ ଓ ଶିଶୁଙ୍କ ଜୀବନ ରକ୍ଷା ଆମ ହାତରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନାରେ କେଉଁମାନେ ବେଶି ପ୍ରଭାବିତ ହେଉଛନ୍ତି । ତାର ହିସାବ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । କିଛି ଉଦାହରଣ ଦେଇ ସେ କହିଛନ୍ତି ଯେ ବୟସ୍କ ଓ ଶିଶୁମାନଙ୍କ ପ୍ରତି ଆମେ ଅଧଓିକ ସତର୍କ ଓ ଯତ୍ନବାନ ହେବା ଉଚିତ । ରାଜ୍ୟ ବାହାରୁ ଆସିଲେ ନିଜ ପରିବାର ଠାରୁ ଦୂରେଇ ରହିବା ଦ୍ୱାରା କରୋନା ଏମାନଙ୍କୁ ଆକ୍ରମଣ କରି ପାରିବ ନାହିଁ ।

କରୋନାରେ କିଏ ବେଶି ପ୍ରଭାବିତ

କେଉଁ ବୟସ ବର୍ଗକୁ କରୋନା ଅଧିକ ଆକ୍ରମଣ କରୁଛି ସେ ସମ୍ପର୍କରେ ବାଗଚୀ ସବିଶେଷ ବୁଝାଇଥିଲେ । ସେ କହିଥିଲେ ଯେ ୪୦ରୁ ୫୦ ବର୍ଷ ଭିତରେ ପ୍ରତି ୧ ହଜାରରେ ୩ ଜଣଙ୍କର ମୃତ୍ୟୁ ହେଉଛି । ୫୦ରୁ ୬୦ ବର୍ଷ ବୟସ ଭିତରେ ସାଢ଼େ ୧୨ ଜଣଙ୍କର ମୃତ୍ୟୁ ଘଟୁଛି । ୬୦ରୁ ୭୦ ବର୍ଷର ଲୋକଙ୍କ ଭିତରେ କରୋନା ଜନିତ ମୃତ୍ୟୁ ହାର ପ୍ରତି ୧ ହଜାରରେ ୪୦ ଜଣ । ତେବେ ୭୦ରୁ ୮୦ ବୟସଙ୍କ ଭିତରେମୃତ୍ୟୁ ସଂଖ୍ୟା ୮୬ ପ୍ରତିଶତ । ଆମ ଓଡ଼ିଶାରେ ୧୦ ପ୍ରତିଶତ ୬୦ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଅଛନ୍ତି । ତେଣୁ ଆମକୁ ସେମାଙ୍କ ପ୍ରତି ଅତ୍ୟନ୍ତ ସଜାଗ ରହିବାକୁ ହେବ ବୋଲି ବାଗଚୀ ପରାମର୍ଶ ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ନିକଟରେ ନୂଆ ସଂକ୍ରମିତଙ୍କ ଭିତରେ ଦୁଇ ଜଣ ୭୦ରୁ ୮୦ ବର୍ଷବ୍ୟକ୍ତି ଅଛନ୍ତି । ସେମାନେ ଘରୁ ବାହାରି ନାହାନ୍ତି । ତଥାପି ସେମାନଙ୍କୁ କିଏ ସଂକ୍ରମିତ କଲା କିଏ ? ଘରକୁ କରୋନାକୁ ଡାକିଲା କିଏ ? ଘରକୁ ଆସିଥିବା ବାହାର ଲୋକ ହିଁ ସେମାନଙ୍କୁ ସଂକ୍ରମିତ କରିଛନ୍ତି । ୬୦ରୁ ଅଧିକ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ଥାଏ ଏବଂ ୭୦ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ଦେହରେ ଅନେକ ପ୍ରକାର ରୋଗ ରହିଥାଏ । ତେଣୁ ଏମାନଙ୍କ ପ୍ରତି ଅଧିକ ଯତ୍ନ ନେବା ଦରକାର । ସେହିଭଳି ଶିଶୁମାନଙ୍କ ପ୍ରତି ମଧ୍ୟ ବିପଦ ରହିଥିବାରୁ ଆମକୁ ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ କାରଣ ଏମାନେ ଖୁବ୍‌ ଶୀଘ୍ର ସଂକ୍ରମିତ ହହେବାର ଆଶଙ୍କା ରହିଛି ।
ତେଣୁ ବାହାର ରାଜ୍ୟରୁ ଲୁଚି କରି ଆସୁଥିବା ଏବଂ କ୍ୱାରେଣ୍ଟାଇନ୍‌ ମାନୁନଥିବା ବ୍ୟକ୍ତିମାନେ ତାଙ୍କ ପରିବାରରେ ଥିବା ଏଭଳି ବୟସ୍କ ଓ ଶିଶୁମାନଙ୍କ ପାଇଁ ବିପଦ ବୋଲି ବାଗଚୀ କହିଛନ୍ତି । ବିଶେଷ କରି ବାଳେଶ୍ୱର, ଭଦ୍ରକ, ଓ ଯାଜପୁର ଜିଲ୍ଲାର ଲୋକଙ୍କୁ ସେ ଏକଥା କହିଛନ୍ତି । ଏବେ ଏହି ତିନିଟି ଜିଲ୍ଲାରେ ସଟ୍‌ଡାଉନ୍‌ ଯୋଗୁଁ କଣ୍ଟାକ୍ଟ ଟ୍ରେସିଂ ସୁବିଧାରେ ହୋଇ ପାରିବ। ଏହା ପରେ ଚିହ୍ନଟ ବ୍ୟକ୍ତିମାନଙ୍କ ଚିକିତ୍ସା ସୁବିଧା କରାଯିବ ।

ବାଲେଶ୍ୱର, ଯାଜପୁର ଓ ଭଦ୍ରକ ପଥ ପ୍ରଦର୍ଶକ ହେବେ

ବର୍ତ୍ତମାନ କରୋନା ହଟ୍‌ସ୍ପଟ୍‌ ହୋଇଥିବା ତିନି ଜିଲ୍ଲା ବାଲେଶ୍ୱର, ଯାଜପୁର ଓ ଭଦ୍ରକ ବାସିନ୍ଦାମାନେ ରାଜ୍ୟ ପାଇଁ ପଥ ପ୍ରଦର୍ଶକ ହେବେ । ଯଦି ସେମାନେ ସରକାର ଦେଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ କାମ କରିବେ, ନିଜ ପରିବାର କିମ୍ବା ଗାଁକୁ ବାହାରୁ ଆସୁଥିବା ଲୋକଙ୍କ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଇ ସଂକ୍ରମଣକୁ ରୋକିବେ ତେବେ ରାଜ୍ୟରେ କରୋନାକୁ ରୋକି ହେବ ବୋଲି ବାଗଚୀ କହିଛନ୍ତି । ସେମାନେ ଭବିଷ୍ୟତ ପାଇଁ ବାଟ ଦେଖାନ୍ତୁ । ଏଠାକାର ଲୋକେ ହିଁ ଓଡ଼ିଶାରେ କରୋନାର ଭାଗ୍ୟ ସ୍ଥିର କରିବେ ବୋଲି ସେ କହିଛନ୍ତି ।

ଭଡ଼ାରେ ଲାଗୁଛି ଆମ୍ବୁଲାନ୍ସ

ପଶ୍ଚିମବଙ୍ଗରୁ ଅନେକ ଲୋକ ଆମ୍ବୁଲାନ୍ସ ଭଡ଼ା କରି ରାଜ୍ୟକୁ ଚାଲି ଆସିଛନ୍ତି । ଏହି ଲକ୍‌ଡାଉନ୍‌ ସମୟରେ କଷ୍ଟ ହେଉଥିଲେ ମଧ୍ୟ ନିଜ ବିବେକର ଆଶ୍ରୟ ନିଅନ୍ତୁ ଏବଂ ଆମ୍ବୁଲାନ୍ସରେ ଆସିବା ଭଳି ଅବିବେକୀ କାମ କରନ୍ତୁ ନାହିଁ ବୋଲି ବାଗଚୀ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.