କରୋନା ଭାଇରସ୍‌ : ୮୫ ଦିନରେ ବିଶ୍ୱରେ ୫୦ ହଜାର ଲୋକଙ୍କ ମୃତ୍ୟୁ, ପରବର୍ତ୍ତୀ ୨୩ ଦିନରେ ଦେଢ଼ ଲକ୍ଷ ଲୋକଙ୍କ ମୃତ୍ୟୁ

ଓ୍ଵାଶିଂଟନ : ସାରା ବିଶ୍ୱରେ କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ଟପିଗଲାଣି । ତେବେ ସେମାନଙ୍କ ମଧ୍ୟରୁ ୫୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ୮୫ ଦିନରେ । ପରବର୍ତ୍ତୀ ୨୩ ଦିନରେ ଦେଢ଼ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ।

ତେଣୁ ଏହି ଭାଇରସ୍‌ର ଗତି କେତେ ମାରାତ୍ମକ ଏଥିରୁ ଜଣାପଡୁଛି । ୨୬ ଏପ୍ରିଲ ଯାଏ ବିଶ୍ୱରେ ଏହି ଭାଇରସ୍‌ ଯୋଗୁ ୨ ଲକ୍ଷ ୩ ହଜାର ୩୧୭ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିରେ ସଂକ୍ରମିତ ହୋଇଛନ୍ତି ୨୯ ଲକ୍ଷ ୨୩ ହଜାର ୬୫୬ ଜଣ ଲୋକ ।

ପ୍ରଥମ ମୃତ୍ୟୁ ଜାନୁଆରୀ ୯ ତାରିଖରେ ହୋଇଥିବା ବେଳେ ୨ ଏପ୍ରିଲ୍‌ରେ ମୃତ୍ୟୁ ସଂଖ୍ୟା ୫୦ ହଜାରରେ ପହଞ୍ଚିଥିଲା । ଚୀନ୍‌ ୩୧ ଡିସେମ୍ବରରେ ଏହି ରୋଗର ଉତ୍ପତ୍ତି ସମ୍ପର୍କରେ ପ୍ରଥମେ ଡବ୍ଲ୍ୟୁଏଚ୍‌ଓକୁ ଜଣାଇଥିଲା ।

america death

ସେତେବେଳେ କରୋନା ଭାଇରସ୍‌ ସଂକ୍ରମଣରେ ଚୀନ୍‌ରେ ମାତ୍ର ୩୪ ମାମଲା ସାମ୍‌ନାକୁ ଆସିଥିଲା । ପ୍ରଥମ ମୃତ୍ୟୁ ଚୀନ୍‌ର ଓ୍ଵହାନ ସହରରେ ହୋଇଥିଲା । ପ୍ରଥମ ୫୦ ହଜାର ମୃତ୍ୟୁ ପାଇଁ ୩ ମାସ ଲାଗିଥିବା ବେଳେ ଦ୍ୱିତୀୟ ଦଫାରେ ୫୦ ହଜାର ମୃତ୍ୟୁ ପାଇଁ ମାତ୍ର ୮ ଦିନ ସମୟ ଲାଗିଥିଲା ।

ତୃତୀୟ ଦଫାରେ ୫୦ ହଜାର ମୃତ୍ୟୁ ପାଇଁ ଆଉ ୭ ଦିନ ଓ ୪ର୍ଥ ଦଫାରେ ଆଉ ୫୦ ହଜାର ଲୋକଙ୍କ ମୃତ୍ୟୁ ପାଇଁ ୮ ଦିନ ସମୟ ଲାଗିଥିଲା । କେବଳ ଆମେରିକାରେ ୫୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଯେଉଁଠି ଏ ପର୍ଯ୍ୟନ୍ତ ୯ ଲକ୍ଷ ୬୦ ହଜାର ୮୯୬ ଲୋକ ସଂକ୍ରମିତ ହୋଇଛନ୍ତି । ଆମେରିକାରେ ପ୍ରଥମ ମୃତ୍ୟୁ ୨୯ ଫେବ୍ରୁଆରରେ ହୋଇଥିଲା । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଯେ ଆମେରିକାରେ ପ୍ରଥମ ୧୦ ହଜାର ମୃତ୍ୟୁ ମାତ୍ର ୪୧ ଦିନରେ ହୋଇଛି ।

ସେହିପରି ଏପର୍ଯ୍ୟନ୍ତ ଇଟାଲିରେ ୨୬ ହଜାର ୩୮୪, ସ୍ପେନ୍‌ରେ ୨୨ ହଜାର ୯୦୨, ଫ୍ରାନ୍ସରେ ୨୨ ହଜାର ୬୧୪ ଓ ବ୍ରିଟେନ୍‌ରେ ୨୦ ହଜାର ୩୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.