ଆମେ ଗୁହାରୀ କରିବା କାହାକୁ, ଅଦୃଶ୍ୟ ଶତ୍ରୁ ସହ ଲଢ଼ିବା କେମିତି ?

ହଲିଉଡ୍‌ ସିନେମାର କାହାଣୀ ଭଳି ସ୍ଥିତି ଉପୁଜିଛି । ଏକ ଅଦୃଶ୍ୟ ଶତ୍ରୁ ସାରା ବିଶ୍ୱକୁ ଆକ୍ରମଣ କରିଛି । ଭୟଭୀତ କରୁଛି । ଯାହାର ମୁକାବିଲା କରିବାକୁ ବିଶ୍ୱବାସୀ ସମର୍ଥ ହେଉନାହାନ୍ତି । କାରଣ ଏହି ଅଦୃଶ୍ୟ ଶତ୍ରୁ ସମ୍ପର୍କରେ କାହାର ବି ଧାରଣା ନାହିଁ । ତାର ଆକାର ପ୍ରକାର ଏବଂ ବ୍ୟବହାର କୌଣସି ବିଷୟରେ ଜାଣି ପାରୁନାହାନ୍ତି ବିଶେଷଜ୍ଞ । ତେଣୁ କରୋନା ରାକ୍ଷାସକୁ କେଉଁ ଅସ୍ତ୍ରରେ ମାରି ହେବ ସେକଥା କେହି ଜାଣି ପାରୁନାହାନ୍ତି । ଖାଲି ଉଡ଼ା ଖବର ଆସୁଛି ଏଠି ସେଠି ଭ୍ୟାକସିନ୍‌ ତିଆରି ହେଲା । ତା ଭିତରେ କିନ୍ତୁ କରୋନା ଶହ ଶହ ମୁଣ୍ଡ ଗଡ଼ାଇ ଚାଲିଛି ।

puri templeଏପଟେ ଏହାର ପ୍ରଭାବରେ ଧୀରେ ଧୀରେ ସାରା ଦେଶରେ ସବୁ କିଛି ସଟ୍‌ଡାଉନ୍‌ ହେବାରେ ଲାଗିଲାଣି । ମଲ୍‌ରୁ ଆରମ୍ଭ କରି ହାଟ, ବସ୍‌ରୁ ଆରମ୍ଭ କରି ଟ୍ରେନ୍‌, ହୋଟେଲରୁ ଆରମ୍ଭ କରି ସୁଇମିଂ ପୁଲ୍‌ ସବୁଠି କଟକଣା ଲଗାଇ ଦେଇଛି କରୋନା । ଆଉ ସର୍ବଶେଷରେ ମନ୍ଦିରରେ ପଡ଼ିଛି ତାଲା । ଯେତେବେଳେ ମଣିଷ ଅସହାୟ ହୋଇପଡ଼େ ସେତେବେଳେ ଶରଣ ପଶେ ଭଗବାନଙ୍କ ନିକଟରେ । ହେଲେ ଏବେ ଗୁହାରୀ କରିବା କାହାକୁ ? ଏଇ କରୋନା ରାକ୍ଷାସ କବଳରୁ ବଞ୍ଚାଇବ କିଏ ? ଯେତେବେଳେ କୌଣସି ରାସ୍ତା ନମିଳେ ସେତେବେଳେ ସେ ହିଁ ରକ୍ଷା କରନ୍ତି ‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ’ । ଏବେ ଏଇ କରୋନା ରାକ୍ଷାସ ଭକ୍ତ ଠାରୁ ଭଗବାନଙ୍କୁ ଦୂରେଇ ଦେଇଛି ।
ତେବେ ଏସବୁ ବାଦ୍‌ ଆମକୁ ସତର୍କ ଓ ସଚେତନ ରହିବାକୁ ହେବ କରୋନା ସଂକ୍ରମଣକୁ ନେଇ । କାରଣ ଏହି ଅଦୃଶ୍ୟ ଶତ୍ରୁ ଆମ ଅଜାଣତରେ ଆମକୁ କେଉଁଠି ବି ଆକ୍ରମଣ କରି ପାରିବେ । ସେଥିଲାଗି ଆଇସୋଲେସନ୍‌ ବା ଅଲଗା ରହିବା, ବେଶି ଲୋକଙ୍କ ସହ ମିଶିବା ନାହିଁ, ସ୍ୱଚ୍ଛ ରହିବା ଏବଂ ନିଜ ପରିବାର ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଜରୁରୀ ହୋଇପଡ଼ିଛି । ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାଇବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ । ତେଣୁ ଘରେ ରହି ଆମକୁ ଲଢ଼େଇ କରିବାକୁ ହେବ ଏହି ଅଦୃଶ୍ୟ ଶତ୍ରୁ ସହିତ । ହେଲେ ଏହାକୁ ପରାସ୍ତ କରିବାକୁ ସମସ୍ତେ ଏକ ମନ ହେବା ଦରକାର । କାରଣ ଯେପର୍ଯ୍ୟନ୍ତ କରୋନାକୁ ହତ୍ୟା କରିବା ଲାଗି ଆମ ହାତକୁ ବ୍ରହ୍ମାସ୍ତ୍ର ଆସି ନାହିଁ ସେ ପର୍ଯ୍ୟନ୍ତ ଆମକୁ ରକ୍ଷଣାତ୍ମକ ଭାବେ ଲଢ଼େଇ କରିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.