ଦରଦାମ୍‌ ନିୟନ୍ତ୍ରଣକୁ ନେଇ ପ୍ରଶାସନ ଆଖି ଖୋଲା ରଖିବା ଜରୁରୀ, ଅନେକ ଜାଗାରେ ଆରମ୍ଭ ହେଲାଣି ଚଢ଼ା ଦରରେ ବିକ୍ରି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଲକ୍‌ଡାଉନ୍‌କୁ ୧୦ ଦିନ ବିତିଗଲାଣି । କିଛି ଅମାନିଆଙ୍କ ଛଡ଼ା ଆଉ ସମସ୍ତେ ନିୟମ ମାନି ଘରେ ରହିଛନ୍ତି । ଅବଶ୍ୟ ରହିବାକୁ ବାଧ୍ୟ ହୋଇଛନ୍ତି କହିଲେ ଠିକ୍‌ ହେବ । ଏ ସମୟ ଭିତରେ ସାଧାରଣ ଲୋକଙ୍କର ଯେଭଳି ଅନ୍ୟ କିଛି ଅସୁବିଧା ନହୁଏ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି । ବିଶେଷ କରି ପନିପରିବା ଓ ରାସନ୍‌ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯେମିତି ଠିକ୍‌ ଭାବେ ମିଳେ ଏବଂ ଉଚିତ ଦରରେ ମିଳେ ସେ ନେଇ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି କିଛି ତ୍ରୁଟି ରହି ଯାଉଛି । ଯେମିତି କିଛି ଅମାନିଆ ନିୟମ ମାନିବାକୁ ରାଜି ନୁହନ୍ତି ଠିକ୍‌ ସେହିଭଳି କିଛି ଦୋକାନୀ ଦରଦାମ ବଢ଼ାଇବାକୁ ପଛାଉ ନାହାନ୍ତି । ସେ ରାସନ୍‌ ସାମଗ୍ରୀ ହେଉ କି ପନିପରିବା, ପ୍ରଥମରୁ ସବୁର ଦର ଠିକ୍‌ ଥିଲା । ହେଲେ ଗତ ଦିନେ ଦୁଇ ଦିନ ହେବ ଏହା ଆକାଶଛୁଆଁ ହେବାକୁ ଲାଗିଲାଣି ।

RATION

ଦୋକାନୀ କଣ କହୁଛନ୍ତି

ପରିବା ଦର ଯାହା ଆଗରୁ ୨୦ ଟଙ୍କା ଥିଲା ତାକୁ ଦୋକାନୀ କିଲୋ ପିଛା ୧୦ ଟଙ୍କାରେ ମଧ୍ୟ ବିକ୍ରି କରିଛନ୍ତି । ହେଲେ ଏବେ ପୁଣି ଦର ଉପରମୁହାଁ । ସରକାରଙ୍କ କଡ଼ା ନିର୍ଦ୍ଦେଶ କଥା କହି କାହିଁକି ଏତେ ଦରରେ ବିକୁଛ ବୋଲି ପଚାରିଲେ, ଉତ୍ତର ମିଳୁଛି ‘ଯିଏ କହୁଛି, ତା ପାଖକୁ ଯାଇ ଜିନିଷ ଆଣୁନ ?’ । ସେହିଭଳି ରାସନ୍‌ ଓ ଫଳ ଦୋକାନରେ ମଧ୍ୟ ସମାନ ସ୍ଥିତି । ଦୋକାନୀଙ୍କ କହିବା କଥା, ଜିନିଷ ଆସୁନାହିଁ । ବେପାରୀ ଆମ ଠାରୁ ଅଧିକ ପଇସା ନେଉଥିବାରୁ ଆମେ ଟିକେ ଚଢ଼ା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ ।

FRUIT SHOP

ଶୀଘ୍ର ସମସ୍ୟା ଦୂର ହେବା ଜରୁରୀ

ଅବଶ୍ୟ ସବୁ ଦୋକାନୀ ଏଭଳି କରୁ ନାହାନ୍ତି । ତେବେ ଏହି ଚଢ଼ା ଦର ପଛର ଅସଲ କଥା ହୁଏତ ମାଲ ପରିବହନ ଉପରେ ପଡ଼ିଥିବା ପ୍ରଭାବ ହେଉ କି କଳାବଜାରୀ, ତାକୁ ଭଲ ଭାବେ ନଜର କରାଯିବା ଦରକାର । ପ୍ରଶାସନ କେବଳ ସଚେତନତା ବାର୍ତ୍ତା କିମ୍ବା ନିର୍ଦ୍ଦେଶ ଦଇଦେଲେ ହେବ ନାହିଁ । ତୃଣମୂଳ ସ୍ତରରେ ରହିଥବା ସମସ୍ୟାକୁ ଦୂର କରିବା ଜରୁରୀ । ନଚେତ ଯେତେବେଳେ ଆହାର ଉପରେ ପାହାର ବସିବ ସେତେବେଳେ ସବୁ କିଛି ଓଲଟ ପାଲଟ ହୋଇଯିବ । ବିଶେଷ କରି ସହର ବଜାରର ଗଳିକନ୍ଦି ଏବଂ ଗ୍ରାମାଞ୍ଚଳରେ ଏହି ଦରବୃଦ୍ଧି ଦେଖିବାକୁ ମିଳିଛି ।
ଆମେ ପ୍ରଶାସନକୁ ଅନୁରୋଧ କରୁଛୁ ଯେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରିବେ । କାରଣ ଚାକିରିଆ ଲୋକେ ସିନା ଦରମାରେ ଚଳିଯିବେ ହେଲେ ଦିନ ମଜୁରିଆ ତଥା ସେହି ଶ୍ରେଣୀର ଲୋକଙ୍କ ଜୀବନ ଦୁର୍ବିସହ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.