ଶରୀରରେ ଭାଇରସ୍‌ ସଂଖ୍ୟା କମ୍‌ ଥିଲେ ଟେଷ୍ଟିଂରେ ଧରା ପଡ଼ିବ ନାହିଁ : ଶାଳିନୀ ପଣ୍ଡିତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ କୋଭିଡ୍‌ର ଟେଷ୍ଟିଂ ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଆଜି ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଅତି ସରଳ ଭାବେ ବୁଝାଇ କହିଥିଲେ କହିଥିଲେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ। ସେ କହିଛନ୍ତି ଯେ ଗତ ୪ ସପ୍ତାହରେ ୧୫୦୦ରୁ ୧୫ ହଜାରରେ ପହଞ୍ଚିଛୁ । ପ୍ରତିଦିନ ପ୍ରାୟ ୨୨୦୦ରୁ ୨୪୦୦ ଟେଷ୍ଟ ହେଉଛି । ଟେଷ୍ଟିଂ ସଂଖ୍ୟା ବଢୁଛି ଅର୍ଥ ସବୁ କିଛି ଠିକ୍‌ ଚାଲିଛି ।
ତେବେ କରୋନା ଭାଇରସ୍‌କୁ ଠଉରାଇବା କଷ୍ଟକର । କାରଣ ଅନେକ ଲକ୍ଷଣ ନଥିବା ଲୋକ ମଧ୍ୟ ପଜେଟିଭ୍‌ ବାହାରୁଛନ୍ତି । ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତିମାନେ ଟିକେ ସତର୍କ ରହିଲେ ଏବଂ ଔଷଧ ଖାଇଲେ ସୁସ୍ଥ ହୋଇଯିବେ । ତଥାପି ବିପଦର କଥା ହେଉଛି ଲକ୍ଷଣ ନଥିବା ଲୋକେ ମଧ୍ୟ ଆମକୁ ସଂକ୍ରମିତ କରି ପାରନ୍ତି । ଖାସ୍‌ ସେଥିଲାଗି ଆମକୁ ଅଧିକ ସାବଧାନ ରହିବାକୁ ପଡ଼ିବ । ବର୍ତ୍ତମାନ ଆମେ ଯେଭଳି ନିୟମର ସହ ଚଳୁୁଛୁ ଆଗକୁ ମଧ୍ୟ ସେହିଭଳି ରହିବାକୁ ପଡ଼ିବ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି ।

କାରଣ ଶରୀରରେ ଭାଇରସ୍‌ ସଂଖ୍ୟା ଅଧିକ ଥିଲେ ଟେଷ୍ଟରୁ ଜଣାପଡ଼ିବ, ତେବେ ଭାଇରସ୍‌ ସଂଖ୍ୟା ଯଦି କମ୍‌ ଥିବ ତେବେ ଅନେକ ସମୟରେ ଟେଷ୍ଟରୁ ନେଗେଟିଭ୍‌ ଆସେ । ଭୁବନେଶ୍ୱର ମଧୁସୂଦନ ନଗର ପଜେଟିଭ୍‌ଙ୍କୁ ଉଦାହରଣ ଦେଇ ସେ କହିଛନ୍ତି ଯେ ଏହି ବ୍ୟକ୍ତି ଜଣକ ଅନ୍ୟଜଣେ ପଜେଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ । ସେତେବେଳ ତାଙ୍କର ଟେଷ୍ଟ ନେଗେଟିଭ୍‌ ଆସିଥିଲା । ତଥାପି ସେ ଘରେ ୧୪ ଦିନ ଆଇସୋଲେସନ୍‌ରେ ରହିଥିଲେ । ଏହା ପରେ ଯେତେବେଳେ ନିଜ ସ୍ୱାସ୍ଥ୍ୟ ଅବସ୍ଥା ନେଇ ସନ୍ଦେହ ପ୍ରକାଶ କଲେ ସେତେବେଳେ ନିଜେ ୧୦୪କୁ ଫୋନ୍‌ କରି ପୁଣି ଥରେ ପରୀକ୍ଷା କରାଇବାକୁ ଚାହିଁଥିଲେ । ଏଥର ପରୀକ୍ଷା ପରେ ତାଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡ଼ିଲା ।
ତଥାପି ଓଡ଼ିଶାରେ ପଜେଟିଭ୍‌ ହାର ହେଉଛି ମାତ୍ର ୦.୪ ପ୍ରତିଶତ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି । ପ୍ରତି ୧୦ ଲକ୍ଷ ଲୋକରେ ୨୫୨ଟି ଟେଷ୍ଟ କରାଯାଉଛି । ଟେଷ୍ଟିଂ ବଢ଼ିବା ଯୋଗୁଁ ଆମେ ଅନେକ ଆଗରେ ରହିଛୁ ।
ଏହାପରେ ଡିଏମ୍‌ଇଟି ସିବିକେ ମହାନ୍ତି କହିଥିଲେ ଯେ ଓଡ଼ିଶାରେ ପ୍ରଥମ ଚିହ୍ନଟକୁ ୪୫ ଦିନ ପୂରିଛି । ଏହି ଦେଢ଼ ମାସର ଅଭିଜ୍ଞତା ପରେ ଆମେ ରୋଗୀଙ୍କୁ ଚିକିତ୍ସା ବେଳେ କୌଣସି ଔଷଧ ଦେଇ ପାରିବୁ ବୋଲି ସେ କହିଛନ୍ତି । କାଶ, ଜ୍ୱର, ଥଣ୍ଡା, ଛିଙ୍କ ଆଦି ହେଉଛି କୋଭିଡ୍‌ର ଲକ୍ଷଣ । ତେବେ ଭାଇରସ୍‌ ଥାଇ ବି ୮୦ ପ୍ରତିଶତ ଲୋକଙ୍କର ଲକ୍ଷଣ ନଥାଏ । ତେଣୁ ବର୍ତ୍ତମାନ ଆମେ ଯେଭଳି ନିୟମ ଭିତରେ ଚଳୁଛନ୍ତି ତାକୁ ବଜାୟ ରଖିବା ଦରକାର । ତାହାହେଲେ ଯାଇ କରୋନା ସହ ଲଢ଼େଇରେ ଜିତି ପାରିବା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.