କରୋନା ହଟ୍‌ସ୍ପଟ୍‌ ଭୁବନେଶ୍ୱର ପାଇଁ ସରକାରଙ୍କ ସ୍ୱତନ୍ତ୍ର ରଣନୀତି : ସ୍ୱଇଚ୍ଛାରେ ଟେଷ୍ଟ ପାଇଁ ରାଜି ହେବାକୁ ରାଜଧାନୀ ବାସିନ୍ଦାଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଆହ୍ଵାନ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ହଟ୍‌ସ୍ପଟ୍‌ରେ ରହିଛି ରାଜଧାନୀ ଭୁବନେଶ୍ୱର । ଏହି ଠାରେ ସବୁଠୁ ଅଧିକ ସଂକ୍ରମିତ ରହିଛନ୍ତି । ତେଣୁ ରାଜଧାନୀକୁ କରୋନା ମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ କୋଭିଡ୍‌ ଟେଷ୍ଟିଂକୁ ବଢ଼ାଇବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଆହୁରି ମଧ୍ୟ ସାରା ରାଜ୍ୟରେ ଯେମିତି ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି ସେହିପରି ଏବେ ବାହାରେ ଛେପ ପକାଇବାକୁ ମଧ୍ୟ ବ୍ୟାନ୍‌ କରାଯାଇଛି । ଏ ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି

ଶ୍ରୀ ତ୍ରିପାଠୀ ଏ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମୋଟ୍‌ ୬୦ ଜଣ କରୋନା ପଜେଟିଭ୍‌ଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର ୪୬ ଜଣ ଅଛନ୍ତି । କେବଳ ଜଣେ ବାହାର ରାଜ୍ୟରୁ ଆସି ଏଠାରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱର ହେଉଛି ହଟ୍‌ସ୍ପଟ୍‌ । ଏଠାକାର ଜନସାଧାରଣଙ୍କ ସହଯୋଗ ଯୋଗୁଁ ଆକ୍ରନ୍ତଙ୍କ ସଂଖ୍ୟା ବଢ଼ି ନାହିଁ । ଗତ ଦୁଇ ଦିନ ହେଲା ଗୋଟିଏ ହେଲେ ବି ପଜେଟିଭ୍‌ ବାହାରି ନାହାନ୍ତି । ଗତକାଲି ରାତି ଯାଏ ୭୫୭୭ ଜଣଙ୍କର ନମୂନା ପରୀକ୍ଷା କରାଯାଇ ସାରିଲାଣି । ତେବେ ଭୁବନେଶ୍ୱରରେ ଅଧିକ ଟେଷ୍ଟିଂ ପାଇଁ ଏବେ ଠାରୁ ବ୍ୟବସ୍ଥା କରାଯାଉଛି । ସହରକୁ ନିରାପଦ କରିବା ପାଇଁ ଏଠାରେ ସର୍ବାଧିକ ନମୂନା ନିଆଯିବ ଏବଂ ଟେଷ୍ଟିଂ ୫ ହଜାର ଯାଏ ବଢ଼ାଇବାର ଲକ୍ଷ୍ୟ ରଖା ଯାଇଛି । ଲାବରେଟୋରୀରେ ଟେଷ୍ଟିଂ କ୍ଷମତା ବଢ଼ା ଯିବ । ଭୁବନେଶ୍ୱରକୁ ୩ଟି ଜୋନ୍‌ ବଣ୍ଟା ଯାଇଛି ଏବଂ ଏହି ଜୋନ୍‌ ଦାୟିତ୍ୱ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦିଆଯାଇଛି । ସ୍ୱତନ୍ତ୍ର କ୍ୟାମ୍ପ ଏବଂ ମୋବାଇଲ୍‌ କ୍ୟାମ୍ପ ଜରିଆରେ ଟେଷ୍ଟିଂ କରାଯିବ । ଏପର୍ଯ୍ୟନ୍ତ ରାଜଧାନୀରେ ସର୍ବାଧିକ ୧୯୫୮ଟି ନମୂନା ପରୀକ୍ଷଣ କରାଯାଇଛି । ଏହାକୁ ଆହୁରି ବଢ଼ାଯିବ । ତେବେ ନମୂନା ସଂଗ୍ରହ ବେଳେ ଲୋକେ କୁଣ୍ଠାବୋଧ କରୁଥିବା ଦେଖା ଯାଇଛି । ତେଣୁ ସେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ପ୍ରାଥମିକ ଭାବେ କେଉଁମାନଙ୍କର ପରୀକ୍ଷଣ କରାଯିବ ସେ ସମ୍ପର୍କରେ ମଧ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

୧-ଯେଉଁମାନେ ରାଜ୍ୟ ତଥା ଦେଶ ବାହାରକୁ ଯାଇଛନ୍ତି କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଛନ୍ତି । ଯେଉଁମାନେ ବିଭିନ୍ନ ହଟ୍‌ ସ୍ପଟ୍‌ରୁ ଆସିଛନ୍ତି ।
୨-କୋଭିଡ୍‌ ହସପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଓ କର୍ମଚାରୀ ଏବଂ ବ୍ୟକ୍ତି ବିଶେଷ । ପୋଲିସ୍‌ କର୍ମଚାରୀ ଓ ସଫେଇ କର୍ମଚାରୀ ।
୩- ୬୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି । ତଥା ସଂକ୍ରମଣ ଲକ୍ଷଣ ଥିବା ବ୍ୟକ୍ତି ।

ଲୋକଙ୍କୁ ଟେଷ୍ଟିଂ ପାଇଁ ଉତ୍ସାହିତ କରିବାକୁ ସେ ସାହି ମୁରବୀ, ଯୁବକ ସଂଘ ଆଦିଙ୍କୁ ଅନୁରୋଧ କରିଛନ୍ତି । କାରଣ ଲୋକମାନେ ଟେଷ୍ଟିଂର ଗୁରୁତ୍ୱ ବୁଝିବା ଦରକାର । ପଜେଟିଭ୍‌ ଆସିଲେ କିଛି ଅସୁବିଧା କି ଡର ନାହିଁ । ଚିକିତ୍ସା ହେଲେ ଭଲ ହୋଇଯିବେ । ନହେଲେ ପରିବାରର ଅନ୍ୟମାନଙ୍କୁ ସଂକ୍ରମଣ ହେବ । ସରକାର ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି ଏବଂ ଡରିବାର କିଛି ନାହିଁ ବୋଲଇ ସେ କହିଛନ୍ତି । ତେବେ ଯେଉଁମାନେ ଏଥିରେ ସହଯୋଗ ନକରିବେ ସେମାନଙ୍କ ପାଇଁ ଆମକୁ କଠୋର ହେବାକୁ ପଡ଼ିବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ମଧ୍ୟ ଦେଇଛନ୍ତି ।

ରାଜ୍ୟ ଅର୍ଥନୀତିକୁ ପୁଣି ଗତିଶୀଳ କରିବା ପାଇଁ ଆସନ୍ତା ୨୦ ତାରିଖ ପରେ କିଛି କ୍ଷେତ୍ରରେ କୋହଳ ନୀତି ଗ୍ରହଣ କରାଯିବ । ଏହି ଦୃଷ୍ଟିରୁ ରାଜଧାନୀ ବାସିନ୍ଦା ସ୍ୱଇଚ୍ଛାରେ ଆସି ଟେଷ୍ଟିଂ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଯାହାଫଳରେ ପଜେଟିଭ କିମ୍ବା ନେଗେଟିଭ୍‌ ଚିହ୍ନଟ ହୋଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.