କରୋନା ପାଇଁ ଆହୁରି କଠୋର ହେଲା ରାଜ୍ୟ ସରକାରଙ୍କ ପଦକ୍ଷେପ, ଜାଣନ୍ତୁ କେଉଁ କେଉଁ କ୍ଷେତ୍ରରେ ଲାଗିଲା କଟକଣା

ଭୁବନେଶ୍ୱର (କେ ନ୍ୟୁଜ୍‌) : ବ୍ୟାପିବା ଆଗରୁ ରୋକିବା । କରୋନା ଓଡ଼ିଶାରେ ତାର କାୟା ବିସ୍ତାର କରିବା ପୂର୍ବରୁ ତାକୁ ବିଦା କରିବା ହେଉଛି ରାଜ୍ୟ ସରକାରଙ୍କ ମୂଳ ଉଦ୍ଦେଶ୍ୟ । ତେଣୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଠାରୁ ସରକାର କିଛି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି ବୋଲି ଆଜର ଅପରାହ୍ନ ୪.୩୦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ।

ଅଙ୍ଗନବାଡ଼ି ଯିବ ଘର ପାଖକୁ

ଆଗାମୀ ଏପ୍ରିଲ ୩୦ ଯାଏ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ପୂର୍ବରୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ଛତୁଆ ଭଳି ଶୁଖିଲା ଖାଦ୍ୟ ଅଙ୍ଗନବାଡ଼ି କର୍ମୀ ନିଜେ ନେଇ ଘରେ ଦେଇ ଆସିବେ । ପିଲାମାନଙ୍କୁ ସକାଳ ଜଳଖିଆ ମଧ୍ୟ ଦେବେ । ପ୍ରତି ସପ୍ତାହରେ ଅଣ୍ଡା ବଣ୍ଟନ କରିବେ । ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ୱଚ୍ଛତା ନିୟମକୁ ପାଳନ କରିବାକୁ ମଧ୍ୟ କଡ଼ଶ ନିର୍ଦ୍ଦେଶ ହୋଇଛି ।

ବ୍ୟାଙ୍କ ଓ ବୀମା ଓ ସରକାରୀ କାର୍ଯ୍ୟାଳୟରେ କେତେ କର୍ମଚାରୀ ରହିବେ

ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟରେ କେବଳ ୧୦ ପ୍ରତିଶତ କର୍ମଚାରୀ କାମ କରିବେ । ସେହିପରି କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ନିୟମିତ କାମ କରିବାକୁ ଥିବା କର୍ମଚାରୀଙ୍କ ତାଲିକା ନିକଟସ୍ଥ ଥାନାରେ ଦିଆଯିବ । ସେମାନଙ୍କୁ ପାସ୍‌ ପ୍ରଦାନ କରାଯିବ । ସେହି ପାସ୍‌ ଜରିଆରେ ସେମାନେ ଯାତାୟାତ କରିବେ ।
ସରକାରୀ କାର୍ଯ୍ୟାଳୟକୁ ତିନିଟି ବର୍ଗରେ ବିଭକ୍ତ କରାଯାଇଛି । କ୍ରିଟିକାଲ୍‌, ଆଂଶିକ କ୍ରିଟିକାଲ ଏବଂ ଅଣକ୍ରିଟିକାଲ । କ୍ରିଟିକାଲ୍‌ କାର୍ଯ୍ୟାଳୟରେ ୫୦ ଭାଗ କର୍ମଚାରୀ ରହିବେ । ଆଂଶିକ କ୍ରିଟିକାଲ ଦଶ ପ୍ରତିଶ ଏବଂ ଅଣକ୍ରିଟିକାଲ୍‌ କର୍ମଚାରୀ ଘରେ ରହିବେ । ଆବଶ୍ୟକ ହେଲେ ସେମାନଙ୍କୁ ଡକାଯିବ ଏବଂ ସେମାନେ ଫୋନ୍‌ ଯୋଗାଯୋଗରେ ରହିବେ ।

କ୍ୱାରେଣ୍ଟାଇନ୍‌ଙ୍କ ପାଇଁ ନୋଟିସ୍‌

କ୍ୱାରେଣ୍ଟାଇନ୍‌ରେ ରହୁଥିବା ଲୋକଙ୍କ ଘର ଆଗରେ ଏକ ଫର୍ମ ପୂରଣ କରାଯାଇ ଲଗାଯିବ । ଏଥିରେ ବିଶେଷ ସୂଚନା ରହିବ । ତେବେ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏଭଳି କିଛି ପଦକ୍ଷେପ ନିଆଯାଇଥିବା ସୁବ୍ରତ ବାଗଚି କହିଛନ୍ତି ।

ଓଡ଼ିଶାରେ କାହିଁକି ଏତେ ଶକ୍ତ ହେଲା କଟକଣା ?

କରୋନା ଭାଇରସ୍‌ ଜଙ୍ଗଲ ନିଆଁ ଭଳି ବ୍ୟାପି ଯାଉଛି । ଗାଁରେ ଚାଳ ଘରେ ନିଆଁ ଲାଗିଲେ ଯେମିତି ସାରା ଗାଁ ପୋଡ଼ି ଯାଏ ଏବେ ସେଭଳି ସ୍ଥିତି ମଧ୍ୟ ଉପୁଜିବାର ଆଶଙ୍କା ରହିଛି । ଏହାର ଉଦାହରଣ ବିଶ୍ୱର ଅନ୍ୟ ଦେଶରେ ଘଟିଥିବା ଘଟଣାଗୁଡ଼ିକରୁ ଆମେ ଦେଖି ସାରିଛନ୍ତି । ତେଣୁ ସରକାର ଆମ ସମସ୍ତଙ୍କର ସୁରକ୍ଷା ପାଇଁ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି । ଯାହା ଆମର ମଙ୍ଗଳ ପାଇଁ । ଆଗକୁ ଏହି ଲକ୍‌ ଡାଉନ୍‌ ଆହୁରି ଶକ୍ତ ହେବ ବୋଲି ସୁବ୍ରତ ବାଗଚି ଚେତାଇ ଦେଇଛନ୍ତି ।
ଦୈନିକ ଜୀବନଯାତ୍ରାରେ ଏହାକୁ ନେଇ ବାଧା ଉପୁଜିବ ନିଶ୍ଚୟ । ହେଲେ ସାରା ମାନବଜାତି ପାଇଁ ଆମର ପର ପିଢ଼ିକୁ ରକ୍ଷା କରିବା ପାଇଁ ଏଭଳି ଲକ୍‌ଡାଉନ୍‌ ଜରୁରୀ । ଏହି ସମୟରେ ଯେଉଁ ସମସ୍ୟା ସବୁ ସୃଷ୍ଟି ହେଉଛି ତାର ସମାଧାନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ।

ସରକାର କେଉଁ ଜିନିଷକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ?

ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଆହୁରି କହିଛନ୍ତି ଯେ କରୋନା ସ୍ଥ୍‌ିତିରେ କେତୋଟି କଥାକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ସେଗୁଡ଼ିକ ହେଉଛି, ରାଜ୍ୟରେ କରୋନା ମହାମରୀ ରୂପ ନେବା ପୂର୍ବରୁ ଏହାକୁ ରୋକିବା । ଦ୍ୱିତୀୟରେ, କରୋନାର ମୁକାବିଲା ପାଇଁ ସ୍ୱାସ୍ଥ୍ୟସେବା ବାହାରେ ମଧ୍ୟ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଶେଷରେ ମାଲବାହୀ ଗାଡ଼ି ସବୁ କିଭଳି ରାଜ୍ୟ ଭିତରେ ଚାଲୁ ରହିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.