Below header

‘ରାଜ୍ୟରେ ଅଧିକ କୋଭିଡ୍‌ ଟେଷ୍ଟ ସେଣ୍ଟର ହେବ, ଆରଏମ୍‌ଆରସି କ୍ଷମତା ବଢ଼ାଯିବ’

ଭୁବନେଶ୍ୱର (କେ ନ୍ୟୁଜ୍‌) : କୋଭିଡ୍‌ ଯୁଦ୍ଧରେ ସେମାନେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆଗରେ ରହିଛନ୍ତି । ଦିନ ରାତି କାମରେ ଲାଗିଛନ୍ତି । ସେମାନେ ହେଉଛନ୍ତି ଲାବେରେଟୋରୀ ଟେକନସିଆନ । ଯେଉଁମାନେ ପରୀକ୍ଷାଗାରରେ କାମ କରୁଛନ୍ତି । ସେମାନଙ୍କ ଉତ୍ସାହ ବଢ଼ାଇବା ସହ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି । ସେହିପରି ବ୍ରହ୍ମପୁର ଏମ୍‌କେସିଜି ଏବଂ ଯାଜପୁର କଳିଙ୍ଗନଗର ସ୍ଥିତ ଟାଟା କୋଭିଡ୍‌ ହସପିଟାଲ ଉଦଘାଟନ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲରୁ ଜୁନ୍‌ ଯାଏ ଛାତ୍ର ଛାତ୍ରୀଙ୍କ ଫି ଛାଡ଼ କିମ୍ବା ଫି ଦାଖଲ ସମୟ ଘୁଞ୍ଚାଇବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଆଜି ସାମ୍ବାଦିକ ସମ୍ମଳନୀରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟରେ ୨୧୩ ଜଣଆଇନ ଉଲ୍ଲଘଂନକାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୬୩ ଜଣଙ୍କୁ ଗୁଜବ ପାଇଁ ଗିରଫ କରାଯାଇଛି ।
ସେ ଆହୁରି ମଣାମର୍ଶ ଦେଇଛନ୍ତି ଯେ ବିବିସିର ଏକ ସର୍ଭେ ଅନୁସାରେ ମଣିଷ ତାର ଅଭ୍ୟାସ ମୁତାବକ ପ୍ରତି ଘଣ୍ଟାରେ ୨୩ ଥର ଓ ଦିନକୁ ପ୍ରାୟ ୩୬୮ ଥର ମୁହଁରେ ହାତ ଲଗାଇଥାଏ । ତେବେ ମୁହଁ ଓ ନାକ ଦ୍ୱାରା କୋଭିଡ୍‌ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଅଜାଣତରେ ମୁହଁରେ ହାତ ଲାଗିବାରୁ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ । ସେଥିପାଇଁ ବାହାରକୁ ଆସିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ବୋଲି ଶ୍ରୀ ବାଗଚୀ କହିଛନ୍ତି।

ଅଧିକ ଟେଷ୍ଟ ସେଣ୍ଟର ପାଇଁ କାମ ଚାଲିଛି : ସ୍ୱାସ୍ଥ୍ୟ ସଚିବ

ଦେଶ ତୁଳନାରେ ଓଡ଼ିଶାରେ ଖୁବ୍‌ କମ୍‌ ପଜେଟିଭ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୬ରେ ପ୍ରଥମ ପଜେଟିଭ୍‌ ଚିହ୍ନଟ ହୋଇଥିଲେ । ଏହା ପରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ କୋଭିଡ୍‌ ଟେଷ୍ଟ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି । ମାର୍ଚ୍ଚ ୫ରେ ପ୍ରଥମ ଟେଷ୍ଟ ଆରଏମ୍‌ଆରସିରେ ହୋଇଥିଲା । ଏହା ପରେ ଏଠାରେ ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା । ଏବେ ସେଠାରେ ୧ ହଜାର ଟେଷ୍ଟର ବ୍ୟବସ୍ଥା କରିବାକୁ ଉଦ୍ୟମ ଚାଲିଛି । ଏହା ହେଲେ ରାଜ୍ୟରେ ମୋଟ୍‌ ୧୧୨୫ଟି ଟେଷ୍ଟର ସୁବିଧା ହୋଇପାରିବ ।
ସେହିପରି ପଶ୍ଚିମ ଓଡ଼ିଶାରେ ମଧ୍ୟ କୋଭିଡ୍‌ ଟେଷ୍ଟ ସେଣ୍ଟର ଖୁବ୍‌ ଶୀଘ୍ର କରିବା ଲାଗି ପ୍ରୟାସ ଚାଲିଛି । ସମ୍ବଲପୁର ବୁର୍ଲା ଏବଂ ବ୍ରହ୍ମପୁର ଏମ୍‌କେସିଜିରେ ଟେଷ୍ଟ ସେଣ୍ଟର ପାଇଁ କାମ ଚାଲିଥିବା ସେ କହିଛନ୍ତି ।
ସେହିପରି ରାପିଡ୍‌ ଟେଷ୍ଟ ବ୍ୟବସ୍ଥା ମଧ୍ୟ କରାଯାଉଛି । ଯେଉଁଥିରେ ୧ ଲକ୍ଷ ଟେଷ୍ଟ କରାଯାଇ ପାରିବ । ସ୍ୱତନ୍ତ୍ର ବିମାନ ସହ ବାୟୁସେନା ବିମାନରେ ରାଜ୍ୟ ବାହାରୁ କୋଭିଡ୍‌ ପରୀକ୍ଷଣ ପାଇଁ ଦରକାର ହେଉଥିବା ସାମଗ୍ରୀ ଓ ସରଞ୍ଜାମ ଅଣାଯାଉଛି ଏବଂ ଟେକନିସିଆନ୍‌ ମଧ୍ୟ ଆସି କାମରେ ଲାଗିଛନ୍ତି ବୋଲି ସଞ୍ଜୟ ସିଂହ ସୂଚନା ଦେଇଛନ୍ତି ।
ରାଜ୍ୟରେ ଆଜି ସକାଳ ସୁଦ୍ଧା ମୋଟ୍‌ ୩୨୪୯ ଜଣଙ୍କର ନମୂନା ପରୀକ୍ଷା ହୋଇଥିବା ବେଳେ ୪୮ ଜଣଙ୍କର ପଜେଟିଭ୍‌ ଆସିଛି। ଜଣକର ମୃତ୍ୟୁ ହୋଇଛି ଏବଂ ଦୁଇ ଜଣ ସୁସ୍ଥ ହୋଇଥିବା ସେ ସୂଚନା ଦେଇଛନ୍ତି ।

ଖୁବ୍‌ ସତର୍କତାର ସହ ହେଉଛି କୋଭିଡ୍‌ ପରୀକ୍ଷା : ଆର୍‌ଏମ୍‌ଆରସି ଅଧ୍ୟକ୍ଷା

ପରୀକ୍ଷାଗାରରେ କିଭଳି ଭାବେ କୋଭିଡ୍‌ ପରୀକ୍ଷା କରାଯାଏ ସେ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଆରଏମ୍‌ଆରସି ଅଧ୍ୟକ୍ଷା ଡ. ସଂଘମିତ୍ରା ପତି ସୂଚନା ଦେଇଥିଲେ । ସେ କହିଥିଲେ ଯେ ଗୋଟିଏ ପଜେଟିଭ୍‌ ପରୀକ୍ଷା ପାଇଁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥାଏ । ଆଗାମୀ ସପ୍ତାହ ମଧ୍ୟରେ ଆରଏମ୍‌ଆରସିରେ କୋଭିଡ୍‌ ଟେଷ୍ଟ କରିବାର ସାମର୍ଥ୍ୟକୁ ତିନିଗୁଣ ବଢ଼ାଇ ପାରିବୁ ବୋଲି ସେ କହିଛନ୍ତି ।
କୋଭିଡ୍‌ ପରୀକ୍ଷା କାହିଁକି ସବୁ ଜାଗାରେ ସମ୍ଭବ ନୁହେଁ ? ଏ ସମ୍ପର୍କରେ ସେ କହିଥିଲେ ଯେ ଏଥିରେ ବ୍ୟକ୍ତିର ରକ୍ତ ନୁହେଁ ସ୍ୱାବ୍‌ ଟେଷ୍ଟ କରାଯାଏ । ଯିଏ ନମୂନା ସଂଗ୍ରହ କରେ ସେ ପୂରା ସୁରକ୍ଷା ଭିତରେ ରହିବା ଦରକାର । ସେହିପରି ନମୂନା ଆମ ପାଖକୁ ଆସିଲେ ପ୍ରଥମେ ତାକୁ ବିଶୋଧନ ବା ଭାଇରସ୍‌ ରହିତ କରାଯାଏ । ତା ପରେ ଆମ ଟେକନିସିଆନମାନେ ସବୁ ସତର୍କତା ଅବଲମ୍ବନ କରି ଟେଷ୍ଟ କରିଥାନ୍ତି । ଆଇସିଏମ୍‌ଆର ନିୟମ ଅନୁସାରେ କୋଭିଡ୍‌ ଟେଷ୍ଟ କରାଯାଉଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ଡିଏମ୍‌ଇଟି ସିବିକେ ମହାନ୍ତି ମଧ୍ୟ ରାଜ୍ୟରେ କରୋନା ସ୍ଥିତି ଏବଂ ତାର ପ୍ରତିରୋଧ ଓ ପ୍ରତିଷେଧକ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଦେଶରେ ରାପିଡ ଟେଷ୍ଟ କରିବାରେ ଓଡ଼ିଶା ହେବ ପ୍ରଥମ । ଖୁବ ଶୀଘ୍ର ଜଣାପଡ଼ିବ ନମୁନା ରିପୋର୍ଟ ରେଜଲ୍ଟ। ରାଜ୍ୟ ସରକାର ଏକ ମିଶନ ଭାବେ ଏହାକୁ ହାତକୁ ନେଇଛନ୍ତି । ରାଜ୍ୟରେ କେମିତି ଅଧିକରୁ କରୋନା ଟେଷ୍ଟ ହୋଇପାରିବ, ଏନେଇ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ତେବେ ଶୀଘ୍ର ପରୀକ୍ଷା କରାଯାଇପାରିଲେ ଅଧିକ ସଂଖ୍ୟାରେ ରୋଗୀଙ୍କୁ ଡସଚାର୍ଜ କରିହେବ । ରାପିଡ ଟେଷ୍ଟ କରାଗଲେ ସେମାନେ ଘରକୁ ଫେରିପାରିବେ ।

ସେହିଭଳି ରାଜ୍ୟର ୧୨୦୦ କ୍ୟାମ୍ପରେ ବାହାର ରାଜ୍ୟର ୭୦ ହଜାରରୁ ଅଧିକ ଲୋକ ରହିଛନ୍ତି । ସେମାନଙ୍କ ନମୁନା ବି ପରୀକ୍ଷା ହୋଇପାରିବ । ସରକାରଙ୍କ ଉପରେ ବୋଝ କମିଯିବ । ସାମାଜିକ ସମସ୍ୟା ଦୂର ହୋଇପାରିବ । ଆସନ୍ତାକାଲିଠାରୁ ଅଧିକ ୭୦୦ରୁ ୮୦୦ ଟେଷ୍ଟ ଅଧିକ କରାଯିବ । ଏହି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.