ଡୋଙ୍ଗରିରେ ବିଜୟ ଉତ୍ସବ ବେଳେ ଉଡ଼ୁଥିଲା ବେଆଇନ ଡ୍ରୋନ୍, ଅପରେଟର୍ଙ୍କ ବିରୋଧରେ ମାମଲା ରୁଜୁ
ମୁମ୍ବାଇର ଡୋଙ୍ଗରି ଅଞ୍ଚଳରେ ବେଆଇନ ଡ୍ରୋନ୍ ଉଡ଼ାଇବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି । ଡ୍ରୋନ୍ ଅପରେଟରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ।

ମୁମ୍ବାଇର ଡୋଙ୍ଗରି ଅଞ୍ଚଳରେ ବେଆଇନ ଡ୍ରୋନ୍ ଉଡ଼ାଇବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି । ଡ୍ରୋନ୍ ଅପରେଟରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି । ‘ବିଗ୍ ବସ୍ ୧୭’ର ବିଜେତା ମୁନାୱର ଫାରୁକିଙ୍କ ବିଜୟ ଉତ୍ସବକୁ କ୍ୟାପ୍ଚର କରିବା ପାଇଁ ଡୋଙ୍ଗରି ଅଞ୍ଚଳରେ ଡ୍ରୋନ୍ ଉଡ଼ାଯାଇଥିଲା । ତେବେ ନିୟମ ଉଲ୍ଲଂଘନ କରି ଏହି ଡ୍ରୋନ୍ ସଞ୍ଚାଳନ ହୋଇଥିବା ଅଭିଯୋଗ ହୋଇଛି ।
ଟିଭିର ସବୁଠାରୁ ବଡ଼ ରିୟାଲିଟି ଶୋ’ ‘ବିଗ୍ ବସ୍’ ଜିତିବା ପରେ ମୁନାୱର ଫାରୁକିଙ୍କୁ ତାଙ୍କ ଅଞ୍ଚଳ ଡୋଙ୍ଗରିରେ ଗ୍ରାଣ୍ଡ ୱେଲକମ୍ କରାଯାଇଥିଲା । ତାଙ୍କୁ ଦେଖିବା ପାଇଁ ଏଠାରେ ପ୍ରଶଂସକମାନଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଭିଡିଓରେ ମୁନାୱର ତାଙ୍କ କାର୍ରେ ଛିଡ଼ା ହୋଇ ଲୋକଙ୍କୁ ଟ୍ରଫି ଦେଖାଉଥିବା ନଜର ଆସିଥିଲେ ।
ଅଭିଯୋଗ ରହିଛି ଯେ ଏଠାରେ ଡ୍ୟୁଟି କରୁଥିବା ଜଣେ ପୋଲିସ କନଷ୍ଟେବଳ ମେଗା ଉତ୍ସବକୁ କ୍ୟାପଚର କରିବା ପାଇଁ ଜଣେ ବ୍ୟକ୍ତି ଡ୍ରୋନ୍ କ୍ୟାମେରା ବ୍ୟବହାର କରୁଥିବା ଦେଖିବାକୁ ପାଇଥିଲେ । ପରେ ସେ ଅରବାଜ ୟୁସୁଫ ଖାନ ନାମକ ଅପରେଟରଙ୍କ ନିକଟକୁ ଯାଇ ଏହା ବିଷୟରେ ପଚରାଉଚରା କରିଥିଲେ । ଏଥିରୁ ଜଣାପଡିଥିଲା କି, ଡ୍ରୋନ୍ ସଞ୍ଚାଳନ ନେଇ ଅପରେଟରଙ୍କ ପାଖରେ ଆବଶ୍ୟକ ଅନୁମତି ନାହିଁ, ଯାହାଫଳରେ ପୋଲିସ ଉକ୍ତ ଡ୍ରୋନ କ୍ୟାମେରାକୁ ଜବତ କରିଥିଲା ।