ମନୋଜ ବାଜପେୟୀଙ୍କ ମା’ ଗୀତା ଦେବୀଙ୍କର ୮୦ ବର୍ଷ ବୟସରେ ପରଲୋକ, ଦୀର୍ଘ ଦିନରୁ ଦିଲ୍ଲୀର ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

ବଲିଉଡ୍‌ର ଟ୍ୟାଲେଣ୍ଟେଡ୍‌ ଅଭିନେତା ମନୋଜ ବାଜପେୟୀଙ୍କ ମା’ ଗୀତା ଦେବୀଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ସକାଳ ୮ଟା ୩୦ରେ ସେ ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୀତା ଦେବୀଙ୍କ ବୟସ ୮୦ ବର୍ଷ ଥିଲା।

ସୂଚନା ମୁତାବକ, ମନୋଜ ବାଜପେୟୀଙ୍କ ମା’ ଗୀତା ଦେବୀଙ୍କୁ ଅସୁସ୍ଥତା କାରଣରୁ କିଛି ଦିନ ତଳେ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀସ୍ଥିତ ପୁଷ୍ପାଞ୍ଜଳି ମେଡିକାଲ ସେଣ୍ଟର ଏବଂ ମ୍ୟାକ୍ସ ସୁପରସ୍ପେଶାଲିଟି ହସ୍ପିଟାଲରେ ଗତ ଏକ ସପ୍ତାହ ଧରି ତାଙ୍କର ଚିକିତ୍ସା ଚାଲିବା ପରେ ଆଜି ସେ ଆଖି ବୁଜିଛନ୍ତି।

କହି ରଖୁଛୁ, ମନୋଜ ବାଜପେୟୀଙ୍କ ମା’ ଓ ବାପାଙ୍କର ଏକ ବର୍ଷ ବ୍ୟବଧାନରେ ନିଧନ ହୋଇଛି। ଅଭିନେତାଙ୍କ ବାପା ରାଧାକାନ୍ତ ବାଜପେୟୀଙ୍କ ଦେହାନ୍ତ ଗତ ବର୍ଷ ଅକ୍ଟୋବର ମାସରେ ଦିଲ୍ଲୀରେ ହୋଇଥିଲା।