କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ : ପ୍ରିୟଙ୍କା-ନିକ୍ଙ୍କ ନିର୍ବନ୍ଧ

ମୁମ୍ବାଇ : ସବୁ କଳ୍ପନା ଜଳ୍ପନାକୁ ତୁଟାଇ ଶେଷରେ ବିଧିବଦ୍ଧ ଭାବେ ବାହାଘର କଥା ଘୋଷଣା କରିଛନ୍ତି ବଲିଉଡ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା । ଆଜି ମୁମ୍ବାଇଠାରେ ପ୍ରିୟଙ୍କା ଓ ତାଙ୍କର ବୟଫ୍ରେଣ୍ଡ ନିକ୍ ଜୋନାସ୍ଙ୍କ ମଧ୍ୟରେ ନିର୍ବନ୍ଧ ହୋଇଛି । ପରେ ଉଭୟ ପ୍ରେମୀ ଯୁଗଳ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ଭାରତୀୟ ପରମ୍ପରା ଅନୁଯାୟୀ ପୁରୋହିତଙ୍କ ଉପସ୍ଥିତିରେ ନିର୍ବନ୍ଧ ବା ‘ରୋକା’ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରିୟଙ୍କା ହଳଦି ରଙ୍ଗର ଅନାରକଲି ପିନ୍ଧିଥିଲେ । ଏହାକୁ ଡିଜାଇନ୍ କରିଥିଲେ ଆବୁ ଜାନି ଓ ସନ୍ଦୀପ ଖୋସଲା । ପପ୍ଷ୍ଟାର ନିକ୍ ଏମିତିକି ତାଙ୍କ ବାପା ମା ମଧ୍ୟ ଭାରତୀୟ ପୋଷାକ ପରିଧାନ କରି ଉତ୍ସବରେ ଉପସ୍ଥିତ ଥିଲେ । ଏହି ଉତ୍ସବ ପ୍ରିୟଙ୍କାଙ୍କ ଘରେ ଆୟୋଜିତ ହୋଇଥିଲା । କେବଳ ପରିବାର ଲୋକ ଓ ଅତି ନିକଟତମ ବନ୍ଧୁ ଏଥିରେ ଉପସ୍ଥିତ ଥିଲେ । ସମସ୍ତଙ୍କୁ ମୋବାଇଲ ବ୍ୟବହାର ନକରିବାକୁ କୁହାଯାଇଥିଲା । ଆଜି ସକାଳେ ନିର୍ବନ୍ଧ ଶେଷରେ ଉଭୟ ସେମାନଙ୍କ ଫଟୋ ସେୟାର କରିଥିଲେ । ନିକ୍ ଫଟୋ ତଳେ ଲେଖିଥିଲେ ‘ଫ୍ୟୁଚର ମିସେସ୍ ଜୋନାସ୍’ ।
ଆଜି ରାତିରେ ଜମିବ ପାର୍ଟି । ଏହି ପାର୍ଟିକୁ ଷ୍ଟାର ଓ ବନ୍ଧୁବାନ୍ଧବଙ୍କୁ ଡକାଯାଇଛି । ଗତ ଜୁଲାଇ ୧୮ ତାରିଖରେ ପ୍ରିୟଙ୍କାଙ୍କ ଜନ୍ମଦିନରେ ପିକ୍ ତାଙ୍କୁ ପ୍ରପୋଜ୍ କରିଥିଲେ । ଗତକାଲି ଦୁହେଁ ମିଶି ରାତିରେ ଏକ ଫାଇଭଷ୍ଟାର ହୋଟେଲରେ ଡିନର୍ କରିଥିଲେ । ଗତ ବର୍ଷରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଏମିତିକି ନିର୍ବନ୍ଧ ସରିଛି ବୋଲି ଖବର ମଧ୍ୟ ପ୍ରଚାର ହୋଇଥିଲା । ଶେଷର ଦୁହେଁ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ପ୍ରିୟଙ୍କା ନିକ୍ଙ୍କ ଠାରୁ ବୟସରେ ୧୦ ବର୍ଷ ବଡ଼ ।