ଅମିତାଭଙ୍କ ଲୋକପ୍ରିୟତା ସହିପାରିନଥିଲେ ରାଜେଶ୍ ଖାନ୍ନା , ବନ୍ଦ ରୁମରେ କରିଥିଲେ ଏମିତି କାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କିଙ୍ଗ ଅଫ୍ ରୋମାନ୍ସ ରାଜେଶ ଖାନ୍ନାଙ୍କର ଆଜି ହେଉଛି ୭୬ ତମ ଜୟନ୍ତୀ । ପ୍ରାୟ ୪୦ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାଜ୍ କରିଥିବା ରାଜେଶ ଖାନ୍ନା ହେଉଛନ୍ତି ବଲିଉଡର ପ୍ରଥମ ସୁପରଷ୍ଟାର୍ । ଯେତିକି ରିଲରେ ରୋମାଂଟିକ୍ ଥିଲେ ସେତିକି ରୋମାଂଟିକ୍ ରିୟଲରେ ମଧ୍ୟ ଥିଲେ ରାଜେଶ୍ । ଆଜି ବି ଯେତେବେଳେ ତାଙ୍କ ନାଁ ଆସେ ସେତେବେଳେ ଗୋଟିଏ ଡାଇଲଗ୍ ଆପେ ଆପେ ମନକୁ ଚାଲିଆସେ, ତାହା ହେଉଛି ପୁଷ୍ପା ଆଇ ହେଟ୍ ଟିୟର୍ସ ।
ଯେତିକି ଲୋକପ୍ରିୟତା ରାଜେଶ୍ ଖାନ୍ନାଙ୍କୁ ମିଳିଛି ଆଜି ଯାଏଁ ଅନ୍ୟ କେଉଁ ଷ୍ଟାରଙ୍କୁ ମିଳିନି । ଝିଅ ମାନେ ତାଙ୍କ ପାଇଁ ଏମିତି ପାଗଳ ଥିଲେ ଯେ ନିଜ ରକ୍ତରେ ଚିଠି ଲେଖି ପଠାଇବା ସହ ତାଙ୍କ ଗାଡିକୁ ମଧ୍ୟ ଚୁମ୍ବନ ଦେଉଥିଲେ । କିନ୍ତୁ କଣ ଆପଣ ଜାଣନ୍ତି ରାଜେଶ ଖାନ୍ନା ଏତେ ବଡ ଷ୍ଟାର୍ ହୋଇ ଏବଂ ଲୋକପ୍ରିୟତାର ଶୀର୍ଷରେ ଥାଇ ମଧ୍ୟ ଜଣକ ସଫଳତାକୁ ସହିପାରିନଥିଲେ । ସେ ହେଉଛନ୍ତି ବଲିଉଡ୍ ଶେହେନ୍ସା ଅମିତାଭ୍ ବଚ୍ଚନ । ବିଗ୍ ବିଙ୍କ ସଫଳତାକୁ ଗ୍ରହଣ କରିପାରୁନଥିଲେ ରାଜେଶ୍ ଖାନ୍ନା । ଏପରିକି ଅମିତାଭଙ୍କ ସଫଳତା ଦେଖି ବନ୍ଦ ରୁମ୍ ଭିତରେ ଖୁବ୍ ଜୋରରେ କାନ୍ଦିଥିଲେ ରାଜେଶ୍ ଖାନ୍ନା ।
ଘଟଣାଟି ହେଉଛି ରାଜେଶ୍ ଖାନ୍ନାଙ୍କ ସିନେମା ବାବର୍ଚ୍ଚି ସମୟର । ଏହି ଫିଲ୍ମରେ ରାଜେଶଙ୍କ ବିପକ୍ଷରେ ନାୟିକା ଥିଲେ ଜୟା ଭାଦୁଡି । ସେ ସମୟରେ ଜୟାଙ୍କ ସହ ଅମିତାଭଙ୍କ ଆଫେୟାର୍ସ ଥିଲା । ତେଣୁ ପ୍ରତିଦିନ ଜୟାଙ୍କୁ ଦେଖା କରିବାକୁ ସୁଟିଂ ସେଟକୁ ଆସୁଥିଲେ ବିଗ୍ ବି । ହେଲେ ଏକଥାକୁ ପସନ୍ଦ କରୁନଥିଲେ ରାଜେଶ୍ ଖାନ୍ନା । କାରଣ ତାଙ୍କୁ ଲାଗୁଥିଲା ଏହି ଅଭିନେତାଙ୍କ ପାଇଁ ପ୍ରତିଦିନ ଜୟାଙ୍କ ଅନେକ ସମୟ ନଷ୍ଟ ହେଉଛି । ଯାହାର ପ୍ରଭାବ ସିନେମା ଉପରେ ପଡୁଛି । ସେ ସମୟରେ ଅମିତାଭ୍ ବଲିଉଡରେ ନବାଗତ ଥିଲେ ।
ତେବେ କିଛି ଦିନ ଚୁପ୍ ରହିବା ପରେ ହଠାତ୍ ଦିନେ ଜୟାଙ୍କ ସାମ୍ନାରେ ଅମିତାଭଙ୍କୁ ଗାଳି କରିଥିଲେ ରାଜେଶ୍ ଖାନ୍ନା । ଆଉ ଏକଥାକୁ ହଜମ କରିପାରିନଥିଲେ ଜୟା । ଏବଂ ରାଜେଶଙ୍କୁ କହିଥିଲେ ଆଜି ଯାହାର ମଜାକ୍ ଉଡାଉଛ, କାଲି ସେ ତୁମଠାରୁ ନିଶ୍ଚୟ ବଡ଼ ଷ୍ଟାର୍ ହେବ । କୁହାଯାଏ ନିଜ ସଫଳତା ପାଇଁ ଖୁବ୍ ଗର୍ବ କରନ୍ତି ରାଜେଶ୍ ଖାନ୍ନା । ତାଙ୍କ ରାଗ ଏବଂ ବ୍ୟବହାର ପାଇଁ ଖୁବ୍ ଚର୍ଚ୍ଚିତ ଥିଲେ ରାଜେଶ୍ ଖାନ୍ନା ।
ରାଜେଶ୍ ଖାନ୍ନାଙ୍କ ଏହି ଗୁଣ ଯୋଗୁଁ ଇଣ୍ଡଷ୍ଟ୍ରିର ଲୋକମାନେ ତାଙ୍କଠାରୁ ଧୀରେ ଧୀରେ ଦୂରେଇବାକୁ ଲାଗିଥିଲେ । ଗୋଟିଏ ପଟେ ରାଜେଶ୍ ଖାନ୍ନାଙ୍କଠାରୁ ସିନେମା ହାତଛଡା ହେବା ବେଳେ ଅନ୍ୟପଟେ ଧୀରେ ଧୀରେ ସଫଳତାର ସିଡି ଚଢିବାକୁ ଲାଗିଥିଲେ ଅମିତାଭ୍ । କିନ୍ତୁ ରାଜେଶ୍ ଖାନ୍ନା ଏହାକୁ ଖାତିର୍ କରୁ ନଥିଲେ । କିମ୍ବା ଏମିତି କହିପାରିବେ ସେ ଜାଣି ଶୁଣି ଅମିତାଭଙ୍କ ଲୋକପ୍ରିୟତାକୁ ଗ୍ରହଣ କରୁ ନଥିଲେ । କାରଣ ତାଙ୍କୁ ଲାଗୁଥିଲା ଯେ ଅମିତାଭଙ୍କଠାରୁ ତାଙ୍କ ଲୋକପ୍ରିୟତା ଅଧିକ ।
କିନ୍ତୁ ତାଙ୍କର ଏହି ଭୁଲ୍ ଧାରଣା ବେଶୀ ଦିନ ରହିଲା ନାହିଁ। ଏକ ପ୍ରୋଗ୍ରାମରେ ଉଭୟ ଅମିତାଭ୍ ଏବଂ ରାଜେଶ୍ ଖାନ୍ନା ଉପସ୍ଥିତ ଥିଲେ । କିନ୍ତୁ ପ୍ରଶଂସକ ରାଜେଶ୍ ଖାନ୍ନାଙ୍କୁ ଛାଡି ଅମିତାଭଙ୍କ ଅଟୋଗ୍ରାଫ୍ ନେଇଥିଲେ । ଏହା ରାଜେଶ୍ ଖାନ୍ନାଙ୍କୁ ଦେଇଥିଲା ବଡ଼ ଝଟକା । ସେ ନିଜକୁ ସମ୍ଭାଳି ପାରିନଥିଲେ ଆଉ ଘରକୁ ଯାଇ ଜୋର୍ ଜୋରରେ କାନ୍ଦିବାକୁ ଲାଗିଥିଲେ ।