Below header

ସୋସିଆଲ ମିଡିଆରେ ଅନୁଭବ ଓ ବର୍ଷାଙ୍କ ସମ୍ପର୍କରେ ଫାଟକୁ ନେଇ ଲୋକେ କଣ କହୁଛନ୍ତି ଜାଣନ୍ତି କି ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅନୁଭବ ଓ ବର୍ଷା । ଏଇ ନାଁ ଦୁଇଟି ସହ ପୋଷ୍ଟର ଦେଖି ସିନେମା ହଲ୍‌କୁ ଟାଣି ହୋଇ ଆସନ୍ତି ସିନେପ୍ରେମୀ । ପରଦାରେ ସେମାନଙ୍କ କେମେଷ୍ଟ୍ରି ସମସ୍ତଙ୍କୁ ବାସ୍ତବ ଲାଗେ । ଆଉ ସିନେମା ସରିଲା ବେଳକୁ ସମସ୍ତେ ଚାହାଁନ୍ତି ଏ ଯୋଡ଼ି ଏମିତି ଜମିକି ଥାଉ । ପ୍ରାୟ ୧୪ଟି ସିନେମାରେ ସେମାନେ ପରସ୍ପର ସହିତ ଅଭିନୟ କରିଛନ୍ତି । ବିବାହ ପରେ ବି ସେମାନଙ୍କ କ୍ରେଜ୍ କମିନଥିଲା । ତେଣୁ ଏହି ଯୋଡ଼ିର ଯେଉଁ ଫିଲ୍ମ ଆସୁଥିଲା ସୁପରହିଟ୍ ସାବ୍ୟସ୍ତ ହେଉଥିଲା । ପ୍ରତ୍ୟେକ ଓଡ଼ିଆଙ୍କ ମନ ଭିତରେ ଏହି ଯୋଡ଼ି ସତସତିକା ପ୍ରେମିକ ପ୍ରେମିକା ଓ ପତିପତ୍ନୀର ରୂପ ନେଇ ଯାଇଛନ୍ତି । ତେଣୁ ଏବେ ସେମାନଙ୍କ ବସ୍ତବ ଜୀବନରେ ଫାଟ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ସ୍ତବଧ କରିଛି ।

ଏମାନଙ୍କ ଭିତରେ ଏତେ ମନାନ୍ତର ହେଲା କେମିତି ? କିଭଳି ଛଅ ବର୍ଷରୁ ଅଧିକ ସମୟ ହେଲା ଏମାନେ ସାଥୀ ହୋଇ ରହୁଥିଲେ । ଯଦି ସେମାନଙ୍କ ଭିତରେ କିଛି ବି ତିକ୍ତତା ଥିଲା ତେବେ ମିଶି କରି ଫିଲ୍ମ କରୁଥିଲେ କେମିତି ? ଯଦି ଅନୁଭବଙ୍କ ଅଭିଯୋଗ ସବୁ ସତ ତେବେ ବାସ୍ତବ ଜୀବନରେ ଜଣକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ସହିତ କିଭଳି ବର୍ଷା ସିନେମାରେ ପ୍ରେମ କରୁଥିଲେ ? ସେହିଭଳି ବର୍ଷା କେମିତି ଅନୁଭବଙ୍କ ଦାଉ ସହି ପୁଣି ତାଙ୍କ ସହିତ ପ୍ରେମିକାର ଭୂମିକାରେ କିଭଳି ଅଭିନୟ କରୁଥିଲେ ?

ଏସବୁ ପ୍ରଶ୍ନ ଏବଂ ଦୁହିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଗଣମାଧ୍ୟମରେ ସେମାନଙ୍କୁ ନେଇ ଚାଲିଥିବା ଖବର ଉପରେ ସମସ୍ତଙ୍କ ନଜର ରହିଛି । ପୁଣି ସୋସିଆଲ ମିଡିଆରେ ସେମାନଙ୍କ ପରସ୍ପର ପ୍ରତି ପ୍ରତିକ୍ରିୟାକୁ ମଧ୍ୟ ଲୋକେ ଉତ୍କଣ୍ଠାର ସହ ପଢୁଛନ୍ତି । ଏହା ଭିତରେ ଉଭୟଙ୍କୁ ଅନେକ ସମର୍ଥନ ଓ ପୁଣି ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି । ଯଦିଓ ଅନୁଭବଙ୍କ ବିରୋଧରେ ଲୋକଙ୍କ ପ୍ରତିକ୍ରିୟା ଟିକେ ଅଧିକ । ଏସବୁ ବାଦ୍ କିନ୍ତୁ ହଜାର ହଜାର ଓଡ଼ିଶାବାସୀ ଚାହୁଁଛନ୍ତି, ଏହି ଯୋଡ଼ି ନଭାଙ୍ଗୁ । ନା ବାସ୍ତବ ଜୀବନରେ ନା ସିନେ ଜଗତରେ । ପରଦାରେ ଅନୁଭବ ଜଣେ ସୁପର ହିରୋ ଏବଂ ବର୍ଷା ଜଣେ ନିଛକ ଓଡ଼ିଆ ଝିଅର ଭୂମିକାରେ ଆସନ୍ତି । ଯାହା ଦର୍ଶକଙ୍କର ଖୁବ୍ ପସନ୍ଦ । ତେଣୁ ଦୁହିଙ୍କ ବୟସ ଏବଂ ପରିପକ୍ୱତା ଦୃଷ୍ଟିରୁ ଦୁହେଁ ସବୁ ତିକ୍ତତାକୁ ଭୁଲି ପୁଣି ନୂଆ କରି ଦାମ୍ପତ୍ୟ ଜୀବନ ଆରମ୍ଭ କରନ୍ତୁ ।

ଅବଶ୍ୟ ବର୍ଷା ଓ ଅନୁଭବଙ୍କ ଖବର ଜାଣିବାକୁ ସମସ୍ତଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ରହିଛି । ହେଲେ କେହି ଚାହୁଁନାହାନ୍ତି ଯେ ସେମାନଙ୍କ ବ୍ୟକ୍ତିଗତ ଜୀବନର କୌଣସି ବି ଖବର ବାହାରକୁ ଆସୁ । ଅନେକ ଲୋକ ସୋସିଆଲ ମିଡିଆରେ ଲେଖିଛନ୍ତି ଏହି ଯୋଡ଼ି ପୁଣି ଭଲରେ ଜୀବନ ବିତାନ୍ତୁ । କାରଣ ସେମାନଙ୍କ ପ୍ରତି ସମସ୍ତଙ୍କର ଭଲ ପାଇବା ଅଛି ଓ ଶ୍ରଦ୍ଧା ଓ ସମ୍ମାନ ରହିଛି । କେବଳ ଏମାନଙ୍କ ଫ୍ୟାନ୍ ନୁହନ୍ତି ଓଲିଉଡ୍‌ରେ ମଧ୍ୟ ସବୁ କଳାକାର ଚାହୁଁଛନ୍ତି ଏମାନେ ଏକାଠି ହୋଇଯାଆନ୍ତୁ । ଏବେ ଦେଖିବାର କଥା ସେମାନଙ୍କର ସମ୍ପର୍କର ଡୋରି କୋର୍ଟରୁ କଟୁଛି ନା ଉଭୟ ପରସ୍ପର ପ୍ରତି ଥିବା ଭଲ ପାଇବାକୁ ସମ୍ମାନ ଦେଇ ତିକ୍ତତା ଭୁଲି ପୁଣି ଏକାଠି ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.