ବଢିବ ଭାରତୀୟ ବାୟୁସେନାର ପରାକ୍ରମ,ଆସନ୍ତାକାଲି ଏୟାରଫୋର୍ସରେ ସାମିଲ ହେବ ରାଫେଲ

କେନ୍ୟୁଜ୍(ବ୍ୟୁରୋ):  ଅପେକ୍ଷାର ଅନ୍ତ । ଆସନ୍ତାକାଲି ବାୟୁ ସେନାରେ ସାମିଲ ହେଉଛି ଅତ୍ୟାଧୁନିକ ଫାଇଟର ଜେଟ୍‌ ରାଫେଲ । ଅମ୍ବାଲା ଏୟାର ବେସ୍‌ରେ ବାୟୁସେନାର ୧୭ ନମ୍ବର ସ୍କ୍ଵାଡ୍ରନ୍‌ ‘ଗୋଲ୍‌ଡେନ୍‌ ଆରୋ’ରେ ସାମିଲ ହେବେ ୫ଟି ରାଫେଲ । ଉପସ୍ଥିତ ରହିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଫ୍ରାନ୍‌ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମଧ୍ୟ ଏହି ଉତ୍ସବରେ ଯୋଗ ଦେଉଛନ୍ତି । ଭାରତ ସହ ଫ୍ରାନ୍‌ସର ପ୍ରତିରକ୍ଷା ସହଯୋଗର ସଙ୍କେତ ସ୍ୱରୂପ ଯୋଗ ଦେଉଛନ୍ତି ଫ୍ଲୋରେନ୍ସ ପାର୍ଲେ । ଏୟାର ଚିଫ୍‌ ମାର୍ଶାଲ ଆର.କେ.ଏସ ଭଦୌରିଆ ମଧ୍ୟ ଉପସ୍ଥିତ ରହିବେ । ରାଫେଲ ସାମିଲ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ଦ୍ୱିଗୁଣ ହେବ । ଏୟାର ଫୋର୍ସରେ ସାମିଲ ହେବା ପରେ ଏଲଏସିରେ ଉଡ଼ିପାରେ ରାଫେଲ । ଚୀନ ସହ ସୀମା ବିବାଦ ବଢୁଥିବା ବେଳେ ଲଦାଖ ସେକ୍ଟରରେ ରାଫେଲ ମୁତୟନ ପାଇଁ ଯୋଜନା ରଖିଛି ଭାରତୀୟ ବାୟୁସେନା। ଶତ୍ରୁ ପାଇଁ ମୃତ୍ୟୁର ଦୂତ ପାଲଟିବ ରାଫେଲ । ଶତ୍ରୁ ପକ୍ଷର ରାଡାର୍‌କୁ ଚକ୍‌ମା ଦେଇ ଧ୍ୱଂସର ତାଣ୍ଡବ ସୃଷ୍ଟି କରିବା କ୍ଷମତା ରଖିଛି ଏହି ଅତ୍ୟାଧୁନିକ ଫାଇଟର ଜେଟ୍‌। ଏୟାର ଟୁ ଏୟାର ମିଶାଇଲ, ମଲ୍‌ଟି-ମିଶନ ଏୟାର ଟୁ ଏୟାର ମିଶାଇଲ, ଡିପ୍‌ ଷ୍ଟ୍ରାଇକ୍‌ କ୍ରୁଜ୍‌ ମିଶାଇଲ ଭଳି କ୍ଷେପଣାସ୍ତ୍ରରେ ଆକ୍ରମଣ କରିବା ବ୍ୟବସ୍ଥା ରହିଛି। ରାଫେଲ କେତେ ପରାକ୍ରମୀ, ପୂର୍ବରୁ ତାର ପରୀକ୍ଷା ଦେଇ ସାରିଛି ।

ଫ୍ରାନ୍‌ସ ସହ ୩୬ ଟି ରାଫେଲ ପାଇଁ ଚୁକ୍ତି ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ଗତ ଜୁଲାଇ ୨୯ ତାରିଖରେ ପହଞ୍ଚିଥିଲା । ଦ୍ୱିତୀୟ ପର୍ଯ୍ୟାୟ ରାଫେଲ ଅକ୍ଟୋବରରେ ଭାରତକୁ ହସ୍ତାନ୍ତର କରାଯିବ । ଆସନ୍ତା ବର୍ଷ ମଧ୍ୟରେ ସମସ୍ତ ୩୬ଟି ରାଫେଲ ମିଳବା ଆଶା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.