ଶରମନ ଜୋଶୀଙ୍କ ବାପା ଅରବିନ୍ଦ ଜୋଶୀଙ୍କ ପରଲୋକ, ଗୁଜରାଟୀ ଥିଏଟର ଜଗତରେ ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ

ବଲିଉଡ୍‌ ଅଭିନେତା ଶରମନ ଜୋଶୀଙ୍କ ବାପା ଅରବିନ୍ଦ ଜୋଶୀଙ୍କ ଆଜି ୮୪ ବର୍ଷ ବୟସରେ ପରଲୋକ ଘଟିଛି। ଭୋର୍‌ ୩ଟାରେ ମୁମ୍ବାଇର ଜୁହୁସ୍ଥିତ ନାନାବତୀ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ଅରବିନ୍ଦ ଜୋଶୀଙ୍କ ସମୁଦି ତଥା ଅଭିନେତା ପ୍ରେମ୍‌ ଚୋପ୍ରା ଗଣମାଧ୍ୟମକୁ ଜଣାଇଛନ୍ତି।

ଅରବିନ୍ଦ ଜୋଶୀ ଗୁଜରାଟୀ ଥିଏଟର ଜଗତରେ ଅଭିନେତା ଏବଂ ନିର୍ଦ୍ଦେଶକ ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ କେତେକ ହିଟ୍‌ ଗୁଜରାଟୀ ଫିଲ୍ମରେ କାମ ମଧ୍ୟ କରିଥିଲେ। ଏଥିସହ କେତେକ ହିନ୍ଦୀ ସିରିୟଲରେ ବି କାମ କରିଥିଲେ।

ଅରବିନ୍ଦ ଜୋଶୀଙ୍କ ସମୁଦି ପ୍ରେମ୍‌ ଚୋପ୍ରା ଗଣମାଧ୍ୟମକୁ କହିଛନ୍ତି, ‘ଅରବିନ୍ଦ ଜଣେ ଉଦାର ହୃଦୟର ବ୍ୟକ୍ତି ଥିଲେ। ସେ ଗତ ଦୁଇ ସପ୍ତାହ ହେବ ନାନାବତୀ ହସ୍ପିଟାଲରେ ଭର୍ତ୍ତି ଥିଲେ। ବୟସ ସମ୍ବନ୍ଧୀୟ ଅନେକ ରୋଗରେ ସେ ପୀଡ଼ିତ ଥିଲେ। ତେଣୁ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା।’

ଅରବିନ୍ଦ ଜୋଶୀଙ୍କ ଝିଅ ମାନସୀ ଜୋଶୀ ରାୟ ମଧ୍ୟ ଟେଲିଭିଜନ ଆକ୍ଟିଂ ଦୁନିଆର ଏକ ଜଣାଶୁଣା ନାଁ। ସେ ଆକ୍ଟର ରୋହିତ ରାୟଙ୍କୁ ବିବାହ କରିଛନ୍ତି। ସୂଚନା ମୁତାବକ, ଅରବିନ୍ଦ ଜୋଶୀଙ୍କ ଅନ୍ତିମ ସଂସ୍କାର ଆଜି ମୁମ୍ବାଇର ଭିଲେପାର୍ଲେସ୍ଥିତ ଶ୍ମଶାନ ଭୂମିରେ ହିନ୍ଦୁ ରୀତିନୀତି ଅନୁସାରେ କରାଯିବାର ବ୍ୟବସ୍ଥା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.