ତେଲୁଗୁର ଲୋକପ୍ରିୟ କୋରିଓଗ୍ରାଫର ଚୈତନ୍ୟ ମାଷ୍ଟର ଆଉ ନାହାନ୍ତି, ଋଣ ଚିନ୍ତାରେ ଲଗାଇଦେଲେ ଫାଶୀ

ତେଲୁଗୁ କୋରିଓଗ୍ରାଫର ଚୈତନ୍ୟ ମାଷ୍ଟର ଆଉ ନାହାନ୍ତି। ଗତକାଲି ରବିବାର ସେ ନିଜ ଜୀବନ ହାରିଦେଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ଚୈତନ୍ୟ ନିଜର ଋଣ ପରିଶୋଧ କରିବାରେ ସକ୍ଷମ ହୋଇ ନ ଥିଲେ, ଯେଉଁ କାରଣରୁ ସେ ବେକରେ ଫାଶୀ ଲଗାଇ ଦେଇଥିଲେ।

ତେଲୁଗୁ କୋରିଓଗ୍ରାଫର ଚୈତନ୍ୟ ମାଷ୍ଟର ଆଉ ନାହାନ୍ତି। ଗତକାଲି ରବିବାର ସେ ନିଜ ଜୀବନ ହାରିଦେଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ଚୈତନ୍ୟ ନିଜର ଋଣ ପରିଶୋଧ କରିବାରେ ସକ୍ଷମ ହୋଇ ନ ଥିଲେ, ଯେଉଁ କାରଣରୁ ସେ ଧୌର୍ଯ୍ୟହରା ହୋଇପଡ଼ି ବେକରେ ଫାଶୀ ଲଗାଇ ଦେଇଥିଲେ। ଆନ୍ଧ୍ରପ୍ରଦେଶର ନେଲୋରରେ ତାଙ୍କର ମୃତ୍ୟୁ ହୋଇଛି। ଦିବଂଗତ କୋରିଓଗ୍ରାଫର ଚୈତନ୍ୟଙ୍କୁ ଲୋକପ୍ରିୟ ତେଲୁଗୁ ଡ୍ୟାନ୍ସ ଶୋ’ ‘ଧି’ରେ ଦେଖିବାକୁ ମିଳିଥିଲା।

ରିପୋର୍ଟ ମୁତାବକ, ନିଜ ଜୀବନ ହାରିବାର ଠିକ୍‌ ପୂର୍ବରୁ ଚୈତନ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଥିଲେ। ଏଥିରେ ସେ କହିଥିଲେ ଯେ ସେ ନିଜର ଋଣ ପରିଶୋଧ କରିପାରି ନାହାନ୍ତି। ଋଣ ଚାପ ସେ ସହିପାରୁ ନାହାନ୍ତି।

ଭିଡିଓରେ ଚୈତନ୍ୟ କହିଥିଲେ, ‘ମୋ ମା’, ବାପା ଓ ଭଉଣୀ ମୋର ବହୁତ ଭଲ ଯତ୍ନ ନେଇଥିଲେ ଏବଂ ମୋତେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ଦେଇ ନ ଥିଲେ। ମୁଁ ମୋର ସମସ୍ତ ସାଙ୍ଗମାନଙ୍କୁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି। ମୁଁ କିଛି ଲୋକଙ୍କୁ ହଇରାଣ କରିଛି ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି। ଟଙ୍କା ମାମଲାରେ ମୁଁ ମୋର ଭଲଗୁଣକୁ ହରାଇଲି। କେବଳ ଋଣ ନେବା ହିଁ ନୁହେଁ, ବରଂ ଏହାକୁ ପରିଶୋଧ କରିବାର କ୍ଷମତା ମଧ୍ୟ ରହିବା ଉଚିତ୍। କିନ୍ତୁ ମୁଁ ଏହା କରିପାରିଲି ନାହିଁ। ବର୍ତ୍ତମାନ ମୁଁ ନେଲୋରରେ ଅଛି ଏବଂ ଏହା ମୋର ଶେଷ ଦିନ। ମୁଁ ମୋର ଋଣ ସମସ୍ୟାକୁ ସହି ପାରିବି ନାହିଁ’।

ସେପଟେ ଚୈତନ୍ୟଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କର ଅନେକ ଫ୍ୟାନ୍‌ଙ୍କୁ ଶକ୍ତ ଧକ୍କା ଲାଗିଛି। କୋରିଓଗ୍ରାଫରଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଫ୍ୟାନ୍‌ମାନେ ଟ୍ୱିଟରରେ ପୋଷ୍ଟ କରୁଛନ୍ତି।