Below header

ସୁଶାନ୍ତଙ୍କର ଏହି ୨ ସାଙ୍ଗକୁ ମିଳୁଛି ଜୀବନରୁ ମାରିଦେବାକୁ ଧମକ, ଟ୍ଵିଟ୍‌ କରି ସୁରକ୍ଷା ଯୋଗାଇବାକୁ କଲେ ଅନୁରୋଧ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ ଆରମ୍ଭ ହେବା ଦିନଠୁ ଲଗାତାର ନୂଆ ନୂଆ ଖୁଲାସା ହେଉଛି। ସିବିଆଇର ଟିମ୍‌ ଲଗାତାର ଏନେଇ ପଚରାଉଚରା ଜାରି ରଖିଛି। ମଙ୍ଗଳବାର ଦିନ ସୁଶାନ୍ତ ସିଂହ ରାଜପୁତଙ୍କ ଘରେ ରହୁଥିବା ତାଙ୍କ ସାଙ୍ଗ ସିଦ୍ଧାର୍ଥ ପୀଠାନୀଙ୍କୁ ସିବିଆଇ ଡିଆରଡିଓ ଗେଷ୍ଟ ହାଉସ୍‌ରେ ପ୍ରାୟ ୧୪ ଘଣ୍ଟା ଧରି ପଚରାଉଚରା କରିଥିଲା। ସୂଚନାନୁଯାୟୀ, ସିବିଆଇ ତରଫରୁ ଗତ ୫ ଦିନ ଧରି ଚାଲିଥିବା ଜେରାରେ ସିଦ୍ଧାର୍ଥ ପୀଠାନୀ ହେଉଛନ୍ତି ସବୁଠୁ ମୁଖ୍ୟ ସନ୍ଦିଗ୍ଧ। ସିବିଆଇ ତାଙ୍କୁ ଏକାଧିକ ଥର ଜେରା କରିସାରିଲାଣି।

ଅନ୍ୟପଟେ ଏବେ ସୁଶାନ୍ତଙ୍କ ସାଙ୍ଗ କୋରିଓଗ୍ରାଫର ଗଣେଶ ହିବାରକରୀଙ୍କ ଏକ ଟ୍ଵିଟ୍‌ ଖୁବ୍‌ ଭାଇରାଲ ହେଉଛି। ସେଥିରେ ସେ ନିଜର ଓ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଅଙ୍କିତ ଆଚାର୍ଯ୍ୟଙ୍କୁ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି। ଗଣେଶ ଓ ଅଙ୍କିତଙ୍କୁ ମିଡିଆରେ ସତ କହିବାକୁ ଧମକ ମିଳୁଛି। ଏଣୁ ସେମାନେ ତାଙ୍କୁ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରୁଛନ୍ତି।

ମଙ୍ଗଳବାର ଦିନ ଗଣେଶ ଟ୍ଵିଟ୍‌ କରି କହିଛନ୍ତି ଯେ ଆମକୁ ଜୀବନକୁ ମାରି ଦେବାକୁ ଧମକ ମିଳୁଛି। ଏବେ ଆମକୁ ସାବଧାନ ଓ ସତର୍କ ରହିବାକୁ ପଡ଼ିବ। ଏବେ ଯାଏଁ ତ ଆମେ ସୁରକ୍ଷିତ ଅଛୁ। ଅଙ୍କିତ ବି ମୋ ସହ ଅଛି। କିନ୍ତୁ ଆଗକୁ କ’ଣ ହେବ ଆମେ କହିପାରୁନୁ।
ଏହି ଟ୍ଵିଟ୍‌ରେ ଗଣେଶ ସୁବ୍ରମଣ୍ୟମ୍‌ ସ୍ୱାମୀ, କଙ୍ଗନା ଟିମ୍‌, ଶ୍ୱେତା ସିଂହ କୀର୍ତ୍ତି, ଅମିତ ଶାହ, ଅନୁପମ ଖେର, ଅର୍ଣ୍ଣବ ଗୋସ୍ୱାମୀଙ୍କ ସମେତ କେତେକ ମିଡିଆ ସଂସ୍ଥାକୁ ବି ଟ୍ୟାଗ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.