ମିଥୁନ ଦା’ କାହିଁକି ଧରିଲେ ପଦ୍ମ? ରହସ୍ୟର କିଛି ଖିଅ ଜାଣନ୍ତୁ

ବଲିଉଡ୍‌ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଅବଶ୍ୟ ଅଚାନକ ତାଙ୍କର ଏ ନିଷ୍ପତ୍ତି ଅନେକ ଫ୍ୟାନ୍‌ ଓ ଲୋକଙ୍କୁ ଚକିତ କରିଛି। କାରଣ ସେ ଦୀର୍ଘ ଦିନ ହେଲା ପ୍ରତ୍ୟକ୍ଷ ରାଜନୀତିକୁ ଏଡ଼ାଇ ଆସୁଥିଲେ । ପୁଣି ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁର ମଧ୍ୟ ନିକଟତର ଥିଲେ । ତାଙ୍କ ଜରିଆରେ ରାଜ୍ୟସଭା ସାଂସଦ ବି ହୋଇଥିଲେ । ତେବେ ମିଥୁନ ଦିଦିଙ୍କୁ ଛାଡ଼ି ମୋଦିଙ୍କୁ କାହିଁକି ଅପେଣାଇଲେ ? ଏ ପ୍ରଶ୍ନ ଉଠିବା ସ୍ୱାଭାବିକ । ଆସନ୍ତୁ ଏହା ଉପରେ ନଜର ପକାଇବା ।

ନିଜର ଯୁବା ଅବସ୍ଥାରେ ଏବଂ ସିନେମାକୁ ଆସିବା ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ ନକ୍ସଲ ଆନ୍ଦୋଳନର ସମର୍ଥକ ଥିଲେ । ଏମିତିକି ପୋଲିସ୍‌ ଖୋଜୁଥିବା ଯୋଗୁଁ ସେ ଅନେକ ଦିନ ଅଣ୍ଡର ଗ୍ରାଉଣ୍ଡ ମଧ୍ୟ ହୋଇଥିଲେ । ତେଣୁ ପଶ୍ଚିମବଙ୍ଗ ହେଉ କି ମୁମ୍ବାଇ ତାଙ୍କୁ ଅନେକ ଜାଗାରେ ନକ୍ସଲ ବୋଲି ଲୋକେ କୁହନ୍ତି । ତେବେ ସେମାନଙ୍କ ଠାରୁ ମୋହଭଙ୍ଗ ହେବା ପରେ ସେ ବଲିଉଡ୍‌ରେ ବହୁତ ସଂଘର୍ଷ କରିଥିଲେ । ଅବଶ୍ୟ ନକ୍ସଲ ଆନ୍ଦୋଳନରୁ ଓହରିବା ପରେ ମଧ୍ୟ ସେ ସିପିଏମ୍‌ ପାଇଁ ପ୍ରଚାର କରିଛନ୍ତି ।

ଅନେକ ବିଳମ୍ବରେ ହେଉ ପଛେ ‘ବି’ ଗ୍ରେଡ୍‌ ସିନେମା କରି ସଫଳତା ହାସଲ କରିବା ପରେ ଜଣେ ଦକ୍ଷ ଅଭିନେତା ଭାବେ ବଡ଼ ଷ୍ଟାର୍‌ ବନିଗଲେ ମିଥୁନ୍‌ । ମଝିରେ ଅବଶ୍ୟ କିଛି ଦିନ ପାଇଁ ସେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ । ସେତେବେଳ ତାଙ୍କୁ ନେଇ ଅନେକ କଥା ଚର୍ଚ୍ଚା ହେଲା । ଯେମିତି କି ଜ୍ୟୋତିଷଙ୍କ କଥାରେ ପଡ଼ି ସେ ମୁମ୍ବାଇ ଛାଡ଼ି ଉଟ୍ଟିରେ ରହୁଛନ୍ତି । ଅଣ୍ଡରଓ୍ଵାର୍ଲଡ ତାଙ୍କୁ ମୁମ୍ବାଇ ଛାଡ଼ିବାକୁ କହିଛି । ଏମିତି ସବୁ ଭିତରେ କିଛି ବର୍ଷ ଚାଲିଗଲା ଏବଂ ଜଣେ ସିନିୟର ଆର୍ଟିଷ୍ଟ ଭାବେ ପୁଣି ମୁମ୍ବାଇ ଫେରି ମିଥୁନ ଅଭିନୟ କଲେ ।

ପରବର୍ତ୍ତୀ ସମୟରେ ମମତା ବାନାର୍ଜୀଙ୍କର ସେ ନିକଟତର ହେଲେ ଏବଂ ତାଙ୍କ ଦଳ ତରଫରୁ ରାଜ୍ୟସଭା ସଦସ୍ୟ ବନିଗଲେ । ତେବେ ଶାରଦା ଚିଟ୍‌ଫଣ୍ଡ ମାମଲାରେ ଯେତେବେଳେ ତାଙ୍କ ନାଁ ଉଠିଲା ଓ ସିବିଆଇ ତାଙ୍କୁ ଜେରା କଲା । ଅବଶ୍ୟ ତାଙ୍କୁ ଏହି ମାମଲାରେ କ୍ଲିନ୍‌ଚିଟ୍‌ ମିଳିଥିଲା । ତା ପର ଠାରୁ ମିଥୁନ ଦୂରେଇ ଆସିଲେ ଦିଦିଙ୍କ ଠାରୁ । ଏମିତିକି ୨୦୧୬ ନିର୍ବାଚନରେ ମଧ୍ୟ ସେ ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରିନଥିଲେ । ଅସୁସ୍ଥ ଥିବା କହି ଓହରି ଯାଇଥିଲେ ।

ଏହାପରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ସହ ଭେଟ ହୋଇଥିଲା ତାଙ୍କର । ସମ୍ଭବତଃ ସେବେଠାରୁ ତାଙ୍କ ଉପରେ ଚାପ ରହିଥିଲା ବିଜେପିରେ ସାମିଲ ହେବାକୁ । ଯାହା ଆଜି ପ୍ରତ୍ୟକ୍ଷ ରୂପ ନେଇଛି । ଯାହା ଚର୍ଚ୍ଚା ଚାଲିଛି, ମିଥୁନ ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ । କିନ୍ତୁ ଷ୍ଟାର ପ୍ରଚାରକ ଭାବେ ବୁଲିବେ । ଆଜି କୋଲକାତାର ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେବା ପରେ ତୃଣମୂଳ କଂଗ୍ରେସକୁ ସେ ଟାର୍ଗେଟ୍‌ କରିଛନ୍ତି । କାରଣ ତାଙ୍କୁ ଜଣେ ନକ୍ସଲ ଭାବେ ତୃଣମୂଳ ପକ୍ଷରୁ ସମାଲୋଚନା କରାଯାଇଥିଲା । ସେଥିଲାଗି ସେ ବି୍ରଗେଡ୍‌ ମଇଦାନରୁ କହିଛନ୍ତି ‘ମୁଁ ବୋଡ଼ା ସାପ ନୁହେଁ, ଅସଲି ନାଗ। ଲଢ଼େଇରେ ପଛକୁ ହଟେ ନାହିଁ । ଥରେ ଚୋଟ ମାରିଲେ ସବୁ ସଫା କରିଦେବି’ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.