କଳା ରଙ୍ଗ କହି ଚିଡ଼େଇଲେ ସାଙ୍ଗ, ଏତେ ବାଧିଲା ଯେ ଛାତରୁ ଡେଇଁ ଜୀବନ ହାରିଲା ସ୍କୁଲ ଛାତ୍ର

ରୂପ ରଙ୍ଗକୁ ନେଇ କଟାକ୍ଷ କରିବା ଏକ ସାଧାରଣ କଥା। କିନ୍ତୁ କଳା ରଙ୍ଗ ହୋଇଥିବାରୁ ଅନ୍ୟମାନଙ୍କ ଟାହିଟାପରା ସହିନପାରି ଜଣେ ଏକାଦଶ ଶ୍ରେଣୀ ଛାତ୍ର ଛାତରୁ ଡେଇଁ ଜୀବନ ହାରିଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୋଏଡାର ସେକ୍ଟର ୪୯ କୋତବାଲି ଅଞ୍ଚଳ ସ୍ଥିତ ମହାଗୁନ ମର୍ଡର୍ଣ୍ଣ ସୋସାଇଟିରେ। ଏଠାରେ ଜଣେ ୧୧ଦଶ ଶ୍ରେଣୀ ଛାତ୍ରକୁ ସାଙ୍ଗମାନେ କଳା ରଙ୍ଗ ବୋଲି କମେଣ୍ଟ କରିବାରୁ ସେ ୧୫ ତାଲାରୁ ଡେଇଁ ଆତ୍ମହତ୍ୟା କରିଛି। ରିପୋର୍ଟ ମୁତାବକ, ଘରର ସମସ୍ତ ସଦସ୍ୟ ମର୍ଣ୍ଣିଂ ଓ୍ଵାକ୍‌ ପାଇଁ ଯାଇଥିବା ବେଳେ ପିଲାଟି ସକାଳୁ ସକାଳୁ ଛାତରୁ ଡେଇଁ ଆତ୍ମହତ୍ୟା କରିଛି।

ମିଳିଥିବା ସୂଚନାନୁସାରେ, ପ୍ରଶାନ୍ତ ଗଢ଼ିୟାର ପରିବାର ସହ ସେକ୍ଟର-୭୮ ସ୍ଥିତ ମହାଗୁନ୍‌ ମର୍ଡର୍ଣ୍ଣ ସୋସାଇଟିରେ ରୁହନ୍ତି। ପ୍ରଶାନ୍ତଙ୍କର ୧୭ ବର୍ଷୀୟ ପୁଅ ସଂୟମ ସହରର ଏକ ନାମୀ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼େ। ସେ ଜଣେ ମେଧାବୀ ଛାତ୍ର। ତେବେ ତା’ର ରଙ୍ଗ କଳା ହୋଇଥିବାରୁ ନିକଟରେ ଜଣେ ତାକୁ କମେଣ୍ଟ ମାରିଥିଲା ଏହି କଥା ସଂୟମ୍‌କୁ ଏତେ ବାଧିଥିଲା ଯେ ସେ ଦୀର୍ଘଦିନ ହେବ ବହୁତ ଚିନ୍ତାରେ ଥିଲା। ଏହା ପୂର୍ବରୁ ମଧ୍ୟ ସେ ଜୀବନ ନେବାକୁ ଚେଷ୍ଟା କରିଥିଲା। କିନ୍ତୁ ପରିବାର ଲୋକେ ତାକୁ ବୁଝାସୁଝା କରିବା ପରେ ସେ ଶାନ୍ତ ହୋଇଥିଲା। କିନ୍ତୁ ଶନିବାର ସକାଳ ପ୍ରାୟ ୪.୩୦ରେ ସେ ସୋସାଇଟିର ୧୫ ତାଲାକୁ ଯାଇ ତଳକୁ ଡେଇଁ ସୁଇସାଇଡ୍‌ କରିଛି। ସକାଳେ ପରିବାର ଲୋକେ ମର୍ଣ୍ଣିଂଓ୍ଵାକ୍‌ ପାଇଁ ଯିବା ବେଳେ ଘଟଣା ବାବଦରେ ଜାଣିବାକୁ ପାଇଥିଲେ।

noida

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି। ପୋଲିସର କହିବାନୁସାରେ, ଛାତ୍ରର ରୁମ୍‌ରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ମାତ୍ର ପରିଜନଙ୍କୁ ପଚରାଉଚରା ବେଳେ ସେ କହିଛନ୍ତି, ସଂୟମ୍‌ର ରଙ୍ଗ କଳା ଥିଲା। ଏଣୁ ସେ ସବୁବେଳେ ବିଷାଦଗ୍ରସ୍ତ ରହୁଥିଲା। ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରେ ବୋଲି ପରିବାର ଲୋକେ ଅନୁମାନ କରୁଛନ୍ତି। କିନ୍ତୁ ପୋଲିସ ଅନ୍ୟ ଦିଗରୁ ମଧ୍ୟ ତଦନ୍ତ କରୁଥିବା କହିଛି।