ଚା’ ନା କଫି ! ଶୀତଦିନେ କେଉଁ ପାନୀୟ ପିଇବା ଉଚିତ

ଶୀତ ଦିନେ ଚା’ ଓ କଫି ପିଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଏହାର ସ୍ୱାଦ ପାଟିକୁ ମିଠା ଲାଗୁଥିବାରୁ ଲୋକମାନେ ଥଣ୍ଡାରୁ ମୁକ୍ତି ପାଇଁ ଚା’ ଓ କଫି ପିଇଥାନ୍ତି। ଏହା ଶରୀରକୁ ସତେଜ ବି ରଖିଥାଏ। ଏଣୁ ଅବସାଦରେ ରହିଲେ କିମ୍ବା ମାନ୍ଦା ଲାଗୁଥିଲେ ଚା’ କିମ୍ବା କଫି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ଶୀତଦିନେ କେଉଁ ପାନୀୟ ପିଇବା ଶରୀରକୁ ଅଧିକ ଲାଭ ଦେଇଥାଏ ସେ କଥା ବୋଧେ କେହି କେବେ ଚିନ୍ତା କରିନଥିବେ। ତେବେ ଆସନ୍ତୁ ଜାଣିବା ଶୀତଦିନେ ଚା’ ପିଇବା ଭଲ ନା କଫି।

ଶୀତଦିନେ ଚା’:

ଚା’ରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି, ଯାହା କ୍ୟାନ୍‌ସର ଓ ହାର୍ଟ ରୋଗର ଆଶଙ୍କାକୁ ଦୂର କରିଥାଏ। ବ୍ଲାକ୍‌ ଓ ଗ୍ରୀନ୍‌ ଟି ପିଉଥିବା ଲୋକଙ୍କ ଇମ୍ୟୁନିଟି ସିଷ୍ଟମ୍‌ ଅନ୍ୟ ଲୋକଙ୍କ ତୁଳନାରେ ମଜଭୁତ ରହିଥାଏ। ଚା’ ପିଇବା ଦ୍ୱାରା ହାଡ଼ କ୍ଷୟ ହେବାର ଆଶଙ୍କା କମ୍‌ ରହିଥାଏ। କୋଷ୍ଠ କାଠିନ୍ୟ ସମସ୍ୟା ଥିବା ବ୍ୟକ୍ତି ଚା’ ପିଇଲେ ଲାଭ ମିଳେ। ଏଥିରେ କ୍ୟାଫେନ୍‌ର ମାତ୍ରା ମଧ୍ୟ କଫି ତୁଳନାରେ କମ୍‌ ରହିଥାଏ। ଶରୀରର ହଜମ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାରେ ମଧ୍ୟ ଚା’ ସାହାଯ୍ୟ କରେ।

ଶୀତଦିନେ କଫି:

ଶରୀରକୁ ସତେଜ ରଖିବାରେ କଫି ସବୁଠୁ ଉତ୍ତମ। ନିୟମିତ କଫି ପିଉଥିବା ଲୋକଙ୍କ ଠାରେ ଟାଇପ୍‌ ୨ ଡାଇବେଟିସ୍‌ର ଆଶଙ୍କା କମ୍‌ ରହିଥାଏ। କଫିରେ କେତେକ ଏଭଳି ଉପାଦାନ ରହିଛି ଯାହା ଶରୀରର ବ୍ଲଡ ସୁଗାର ଲେବଲକୁ ମଧ୍ୟ କମ୍‌ କରେ। କଫି ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ମଧ୍ୟ ମଜଭୁତ କରିବାରେ ସାହାଯ୍ୟ କରେ।

ଶୀତଦିନେ କଫି ଭଲ ନା ଚା’:

ତେବେ ଉଭୟ ପାନୀୟକୁ ତୁଳନା କଲେ ଶୀତଦିନେ କଫି ବଦଳରେ ଚା’ ପିଇବା ଭଲ। କାରଣ ଉଭୟଙ୍କ ମଧ୍ୟରେ ଅନେକ ସମାନତା ରହିଥିଲେ ବି ଚା’ରେ କଫି ତୁଳନାରେ କମ୍‌ କ୍ୟାଫେନ୍‌ ରହିଛି। ଅଧିକ ମାତ୍ରାରେ କ୍ୟାଫେନ୍‌ ସେବନ କଲେ ଡିହାଇଡ୍ରେସନ୍‌, ନିଦ୍ରାହୀନତା, ହଜମ କ୍ରିୟା ପ୍ରଭାବିତ ହେବା ଭଳି ସମସ୍ୟା ଦେଖାଦିଏ। ଏଥିସହ ହୃଦ ସ୍ପନ୍ଦନ ମଧ୍ୟ ବଢ଼ିଥାଏ। ଏଣୁ ଶାରୀରିକ ସମସ୍ୟା ଠାରୁ ଦୂରରେ ରହିବାକୁ କଫି ବଦଳରେ ଚା’ ପିଇବା ଭଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.