Below header

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଜାଣନ୍ତୁ ସୁସ୍ଥ ଶରୀର ପାଇଁ ଏହା କେତେ ଜରୁରୀ

ଜୁନ ମାସ ୨୧ ତାରିଖ । ଏହି ଦିନକୁ ଏବେ ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ। ଯୋଗ ଅଭ୍ୟାସ ଦ୍ବାରା କେବଳ ଶରୀର ରୋଗ ମୁକ୍ତ ହୋଇନଥାଏ ବରଂ ମନକୁ ମଧ୍ୟ ଶାନ୍ତି ମିଳିଥାଏ। ଆମ ଭାରତୀୟ ସଂସ୍କୃତିରେ ଯୋଗର ପ୍ରମୁଖ୍ୟ ଭୂମିକା ରହିଛି। ଯୋଗ ଦିବସର ଏହି ଖାସ୍ ଦିନରେ ଅଧିକାଂଶ ଲୋକ ଯୋଗ ଦ୍ବାରା ମିଳୁଥିବା ଲାଭ ବିଷୟରେ କହିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯୋଗ ଦିବସ ପାଳନ କରିବା ପଛରେ କଣ ରହିଛି ଇତିହାସ।

yogaଜାଣନ୍ତୁ ଯୋଗ ଆରମ୍ଭ ହେଲା କିପରି?

ସାଧାରଣତଃ ଆଜିକାଲି ଲୋକମାନେ ସୁସ୍ଥ ରହିବା ପାଇଁ ଯୋଗ ଓ ପ୍ରାଣାୟାମ କରିଥାନ୍ତି। ଶରୀରର ସୁସ୍ଥତା ଓ ନିରୋଗ ରହିବା ପାଇଁ ପ୍ରତିଦଦିନ ଜିମ୍ ଯିବା ଦରକାର ନାହିଁ କି କଠିନ କସରତ କରିବାର ଆବଶ୍ୟକତା ନାହିଁ । ଘରେ ବସି ଆରାମରେ ଏହି ଯୋଗ ଦ୍ୱାରା ନିଜକୁ ସୁସ୍ଥ ରଖି ପାରିବେ । ଯୋଗ ହେଉଛି ଭାରତୀୟ ସଂସ୍କୃତିର ମହତ୍ତ୍ବପୂର୍ଣ୍ଣ ଅଂଶ। ଯୋଗ ଦିବସକୁ ସମଗ୍ର ବିଶ୍ବରେ ପାଳନ କରାଯିବାର ପ୍ରୟାସ ମଧ୍ୟ ଭାରତ ଦ୍ବାରା କରାଯାଇଥିଲା। ଗତ ୨୭ ସେପ୍ଟେମ୍ବର ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ବୈଠକରେ ସମଗ୍ର ବିଶ୍ବରେ ଯୋଗ ଦିବସ ପାଳନ କରିବା ପାଇଁ ଆହ୍ବାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପ୍ରସ୍ତାବରେ ଜାତିସଂଘ କେବଳ ତିନି ମାସ ମଧ୍ୟରେ ଏହାକୁ ସ୍ୱୀକୃତି ଦେଇଥିଲା ।

yoga୨୧ ଜୁନ୍‌ରେ କାହିଁକି ପାଳନ କରାଯାଏ ଯୋଗ ଦିବସ ?

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଠୁଥିବ କାହିଁକି ୨୧ ଜୁନକୁ ହିଁ ଯୋଗ ଦିବସ ରୂପେ ପାଳନ କରାଯାଏ। ଏହା ପଛରେ ମଧ୍ୟ ଖାସ୍ କାରଣ ରହିଛି। ଏହି ଦିବସରେ ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଲମ୍ବା ଦିନ ହୋଇଥାଏ । ଯାହାକୁ କିଛି ଲୋକ ଗ୍ରୀଷ୍ମ ସଂକ୍ରାନ୍ତି ମଧ୍ୟ କହିଥାନ୍ତି। ଭାରତୀୟ ପରମ୍ପରା ଅନୁଯାୟୀ ଗ୍ରୀଷ୍ମ ସଂକ୍ରାନ୍ତି ପରେ ସୂର‌୍ୟ୍ୟ ଦକ୍ଷିଣାୟନ ହୋଇଥାନ୍ତି। କୁହାଯାଏ ସୂର‌୍ୟ୍ୟଙ୍କ ଦକ୍ଷିଣାୟନର ସମୟ ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବାରେ ଅନେକ ସହାୟକ ହୋଇଥାଏ। ତେଣୁ ୨୧ ଜୁନ୍‌କୁ ‘ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ’ ରୂପେ ପାଳନ କରାଯାଏ।

ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସରେ ରେକର୍ଡ ସୃଷ୍ଟି କରିଥିଲା ଭାରତ

yogaaଜାତିସଂଘର ମଞ୍ଜୁରୀ ପରେ ୨୧ ଜୁନ୍ ୨୦୧୫ରେ ପ୍ରଥମ ‘ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ’ ପାଳନ କରାଯାଇଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପାଖାପାଖି ୩୫ ହଜାରରୁ ଅଧିକ ଲୋକ ଏବଂ ୮୪ ଦେଶର ପ୍ରତିନିଧି ଦିଲ୍ଲୀ ରାଜପଥରେ ଯୋଗର ୨୧ଟି ଆସନ କରିଥିଲେ। ଏହି ଖାସ୍ ଆୟୋଜନରେ ଗିନିଜ୍ ବୁକ୍ ଅଫ୍ ରେକର୍ଡ ମଧ୍ୟ ମିଳିଥିଲା। ପ୍ରଥମ ରେକର୍ଡ ୩୫,୯୮୫ ଜଣ ଲୋକଙ୍କ ସହ ଯୋଗ କରିବା ଏବଂ ଦ୍ବିତୀୟ ରେକର୍ଡ ୮୪ଟି ଦେଶର ଲୋକ ଏହି ସମାରୋହରେ ଭାଗ ନେବା।

ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସର ଥିମ୍

ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଲୋକମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ କୁହାଯାଇଛି। ତେଣୁ ଏବର୍ଷ ଆନ୍ତର୍ଜାତିକ ଯୋଗ ଦିବସରେ ଘରେ ରହି ଯୋଗ କରିବାକୁ କୁହାଯାଇଛି । ସେଥି ଲାଗି ଏଥରର ବିଷୟବସ୍ତୁ ବା ଥିମ୍ ରହିଛି ‘ଘରେ ଯୋଗ, ପରିବାର ସହ ଯୋଗ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.