ଅଣ୍ଡା ସିଝାଇ ସାରିବା ପରେ ଫିଙ୍ଗି ଦେଉଛନ୍ତି କି ଏହାର ପାଣି? ନିହାତି ଜାଣନ୍ତୁ ଫାଇଦା…

ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ତାହା ସମସ୍ତେ ଜାଣିଛନ୍ତି। କିନ୍ତୁ ଅଣ୍ଡା ସହ ଜଡ଼ିତ ଏମିତି ବି କିଛି ଜିନିଷ ଅଛି, ଯାହା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଏଠି ଆମେ କହୁଛୁ, ଅଣ୍ଡା ସିଝାଇବାରେ ବ୍ୟବହୃତ ହେଉଥିବା ପାଣି ବିଷୟରେ। ଅନେକ ଲୋକ ଅଣ୍ଡା ସିଝିଗଲା ପରେ ସେହି ପାଣିକୁ ଫିଙ୍ଗି ଦିଅନ୍ତି, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଅଣ୍ଡା ସିଝା ପାଣି ଆପଣଙ୍କର ବହୁତ କାମରେ ଆସି ପାରିବ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।

ପୋଷକ ତତ୍ତ୍ୱ: ଅଣ୍ଡା ଚୋପାରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲ୍‌ସିୟମ, ପୋଟାସିୟମ୍‌ ଏବଂ ଅଳ୍ପ ମାତ୍ରାରେ ଫସ୍‌ଫରସ୍‌, ମ୍ୟାଗ୍ନେସିୟମ ଓ ସୋଡିୟମ୍‌ ରହିଛି। ତେଣୁ ଯେତେବେଳେ ଆପଣ ଅଣ୍ଡାକୁ ପାଣିରେ ସିଝାଉଛନ୍ତି, ତ ଏହା ଚୋପାରେ ଥିବା ସମସ୍ତ ତତ୍ତ୍ୱ ପାଣିରେ ଭଲ ଭାବରେ ମିଶି ଯାଇଥାଏ। ଏହି ପୋଷକ ତତ୍ତ୍ୱଗୁଡ଼ିକ ଗଛଲତା ପାଇଁ ବହୁତ ଲାଭଦାୟକ ହୋଇଥାଏ। ଗଛଲତା ବଢ଼ିବା ପାଇଁ ଏହି ତତ୍ତ୍ୱ ବହୁତ ଆବଶ୍ୟକ ପଡ଼ିଥାଏ।

ସାର ଭଳି କାମ କରିଥାଏ: ସିଝା ଅଣ୍ଡାର ପାଣି କିମ୍ବା ଅଣ୍ଡା ଚୋପା ଗଛଲତା ପାଇଁ ଖାଦ ବା ସାର ଭଳି କାମ କରିଥାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏହି ଅଧ୍ୟୟନ ମାଷ୍ଟର୍ସ ଗାର୍ଡେନର ଅଫ୍‌ ହେମିଲଟନ ଦ୍ୱାରା ଜାରି କରାଯାଇଛି। ଅଧ୍ୟୟନର ରିପୋର୍ଟ ମୁତାବକ, ଆପଣ ଯେଉଁ ପାଣିରେ ଅଣ୍ଡା ସିଝାଉଛନ୍ତି, ଅଣ୍ଡା ସିଝିଯିବା ପରେ ସେହି ପାଣିରେ କିଛି ପୋଷକ ତତ୍ତ୍ୱ ରହି ଯାଇଥାଏ, ଯାହା ଖାଦ ଭଳି କାମ କରିଥାଏ।

ଟମାଟୋ ଗଛ ପାଇଁ ଲାଭଦାୟକ: ଯେଉଁ ଗଛଲତାଗୁଡ଼ିକ ସାଧାରଣତଃ ଖରା ପଡ଼ିଲେ ଝାଉଁଳି ପଡ଼ିଥାଏ ବା ଖରାପ ହୋଇ ଯାଇଥାଏ, ସେହି ଗଛଲତା ପାଇଁ ଅଣ୍ଡାର ସିଝା ପାଣି ବହୁତ ଲାଭଦାୟକ ହୋଇଥାଏ। ଏହି ପାଣି ବିଶେଷ ରୂପେ ଟମାଟୋ ଓ ଲଙ୍କା ଗଛ ପାଇଁ ଅଧିକ ଉପଯୋଗୀ ହୋଇଥାଏ।

ଜାଣନ୍ତୁ ଅଣ୍ଡା ଖୋଳର ଫାଇଦା

-ପନିପରିବାରେ ହେଉଥିବା ପୋକକୁ ଦୂର କରିବା ପାଇଁ ଏହା ଚାରି ପାଖରେ ଅଣ୍ଡା ଖୋଳକୁ ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଦେଖିବେ ପୋକ ହେବା କମିଯିବ।

-ଘରେ ଅଧିକ ସଂଖ୍ୟାରେ ଅସରପା ହେଉଥିଲେ, ସେହି ସ୍ଥାନରେ ଅଣ୍ଡା ଚୋପା ରଖି ଦିଅନ୍ତୁ, ଦେଖିବେ ଅସରପା ଆଉ ପାଖ ମାଡ଼ିବେ ନାହିଁ।

-ଖାଲି ପୋକଯୋକ ନୁହେଁ, ବିଲେଇଙ୍କୁ ମଧ୍ୟ ଘରଠାରୁ ଦୂରେଇ ରଖି ପାରିବ ଅଣ୍ଡା ଚୋପା। ବାସ୍‌, ଯେଉଁ ଜାଗାକୁ ବିଲେଇ ଆସୁଛନ୍ତି, ସେଠାରେ ଅଣ୍ଡା ଚୋପା ପକାଇ ଦିଅନ୍ତୁ।