ଏସବୁ କାର୍ଯ୍ୟ କରିବା ବେଳେ ଭୁଲରେ ବି ଧାରଣ କରନ୍ତୁ ନାହିଁ ରୁଦ୍ରାକ୍ଷ, ଅସନ୍ତୁଷ୍ଟ ହେବେ ମହାଦେବ

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ସାକ୍ଷାତ ଭଗବାନ ଶିବଙ୍କ ଅଂଶ ବୋଲି କୁହାଯାଏ। କୁହାଯାଏ, ରୁଦ୍ରାକ୍ଷ ଶିବଙ୍କ ଲୁହରୁ ସୃଷ୍ଟି। ପୁରାଣ ଅନୁସାରେ, ମାତା ସତୀଙ୍କ ଦେହ ତ୍ୟାଗ ପରେ ଭଗବାନ ଶିବଙ୍କ କାନ୍ଦରୁ ବାହାରିଥିବା ଲୁହ ପୃଥିବୀର କେତେକ ସ୍ଥାନରେ ପଡ଼ିଥିଲା ଓ ତାହା ହିଁ ରୁଦ୍ରାକ୍ଷ। ଏଥିରେ ଅନେକ ଚମତ୍କାରୀ ତତ୍ତ୍ୱ ରହିଛି।

ରୁଦ୍ରାକ୍ଷ ଧାରଣ କରିବା ଭଗବାନ ଶିବଙ୍କ ଦିବ୍ୟ ସ୍ୱରୂପକୁ ଧାରଣ କରିବା ସହ ସମାନ। ଏହାକୁ ଧାରଣ କଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ। ତେବେ ଏହାକୁ ଧାରଣ କରିବାର ବି କେତେକ ନିୟମ ରହିଛି। ଶାସ୍ତ୍ରରେ ଏହାକୁ କେଉଁ ସମୟରେ ଧାରଣ କରିବା ଅନୁଚିତ ସେ ସମ୍ପର୍କରେ କୁହାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ରୁଦ୍ରାକ୍ଷ ଧାରଣ କରିବା ମନା।

  • ମାନ୍ୟତା ରହିଛି ଯେ ଶବ ଯାତ୍ରା ବେଳେ ବା ଶ୍ମଶାନକୁ ଯିବା ସମୟରେ ରୁଦ୍ରାକ୍ଷ ଧାରଣ କରିବା ଉଚିତ ନୁହେଁ।
  • ପ୍ରସୂତି କକ୍ଷ ବା ଯେଉଁଠାରେ ଶିଶୁ ଜନ୍ମ ହୋଇଥାନ୍ତି, ସେଠାକୁ ରୁଦ୍ରାକ୍ଷ ପିନ୍ଧି ଯିବା ଉଚିତ ନୁହେଁ। ଏହା ଦ୍ୱାରା ରୁଦ୍ରାକ୍ଷ ନିସ୍ତେଜ ହୋଇଯାଏ।
  • ଶୋଇବା ପୂର୍ବରୁ ରୁଦ୍ରାକ୍ଷ ଓହ୍ଲାଇ ଦେବା ଉଚିତ। କାରଣ ଏହି ସମୟରେ ଶରୀର ନିସ୍ତେଜ ଓ ଅଶୁଦ୍ଧ ରହିଥାଏ। ତେବେ ଏହାର ଆଉ ଏକ କାରଣ ହେଉଛି, ଶୋଇବା ବେଳେ ଆମେ କିଛି ଜାଣିପାରିନଥାଉ। ଏହା ଦ୍ୱାରା ରୁଦ୍ରାକ୍ଷ ଭାଙ୍ଗିବା ଭୟ ରହିଥାଏ, ଏଣୁ ଶୋଇବା ପୂର୍ବରୁ ରୁଦ୍ରାକ୍ଷ ଓହ୍ଲାଇ ଦେବା ଉଚିତ। ଆପଣ ଚାହିଁଲେ ଏହାକୁ ତକିଆ ତଳେ ରଖି ଶୋଇପାରିବେ। ଏହା ଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ।
  • ସ୍ୱାମୀ-ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ବେଳେ ରୁଦ୍ରାକ୍ଷ ଧାରଣ କରିବା ଅନୁଚିତ।
  • ସେହିପରି ମହିଳାମାନେ ମାସିକ ଧର୍ମ ସମୟରେ ଏହାକୁ ଧାରଣ କରିବାକୁ ବାରଣ କରାଯାଇଛି। କାରଣ ଏହି ସମୟରେ ଶରୀର ଅଶୁଦ୍ଧ ଥାଏ।
  • ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ତାମସିକ ଭୋଜନ ଓ ମଦ ପାନ ତ୍ୟାଗ କରିବା ଉଚିତ। ଗ୍ରହଣ, ସଂକ୍ରାନ୍ତି, ଅମାବାସ୍ୟା ଓ ପୂର୍ଣ୍ଣିମା, ଶିବରାତ୍ରି, ଶ୍ରାବଣ ସୋମବାର, ଚତୁର୍ଦ୍ଦଶୀ ଦିନ ରୁଦ୍ରାକ୍ଷ ଧାରଣ କଲେ ଅଧିକ ଶୁଭ ଫଳ ଦାୟୀ ହୋଇଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.