ମେଦବହୁଳତା କମାଇବା ସହିତ କୋଷ୍ଠକାଠିନ୍ୟ ଦୂର କରେ ଲେମ୍ବୁ ରସ

ଆମ ରୋଷେଇ ଘରେ ଏପରି ଅନେକ ଖାଦ୍ୟ ସାମଗ୍ରୀ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହି ସାମଗ୍ରୀକୁ ବ୍ୟବହାର କରି ଅନେକ ପ୍ରକାରର ଶାରୀରିକ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ଖାଦ୍ୟ ସାମଗ୍ରୀ ମଧ୍ୟରୁ ଗୋଟିଏ ହେଉଛି ଲେମ୍ବୁ । ଯାହା ଅନେକ ଔଷଧୀୟ ଗୁଣରେ ଭରପୂର ଅଟେ । ଚେହେରାର ଦାଗ ଏବଂ ପିମ୍ପଲ୍ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଆପଣ ଲେମ୍ବୁ ବ୍ୟବହାର କରିପାରିବେ । ଲେମ୍ବୁରେ ଭିଟାମିନ୍ ସି ଥାଏ । ଆୟୁର୍ବେଦରେ ଲେମ୍ବୁ ଏକ ଗୁରୁତ୍ୱପୂର୍ଣ୍ଣ ଫଳ ଭାବରେ ବିଶ୍ୱାସ କରାଯାଏ । ଲେମ୍ବୁ ଏକ ଘରୋଇ ଉପଚାର ଏବଂ ଔଷଧ ଭାବରେ ବ୍ୟବହୃତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଲେମ୍ବୁର ଉପକାରିତା ଗୁଣ ବିଷୟରେ-

ଯଦି ଆପଣଙ୍କର ହଜମ କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ଆପଣ ଲେମ୍ବୁ ରସ ସେବନ କରିବା ଉଚିତ୍ । ଏଥିପାଇଁ ଆପଣ ସକାଳ ଓ ସନ୍ଧ୍ୟାରେ ଖାଲି ପେଟରେ ଦୁଇ ଗ୍ଲାସ ପାଣିରେ ଗୋଟିଏ ଲେମ୍ବୁ ଏବଂ କିଛି ଲୁଣ ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଏହା ବ୍ୟତୀତ, ଯଦି ଆପଣ ବାନ୍ତି କରୁଛନ୍ତି, ତେବେ ଅଧା କପ୍ ପାଣିରେ ଲେମ୍ବୁ ରସ ,ଜୀରା ଏବଂ ଅଳେଇଚ ଗୁଣ୍ଡ ମିଶାଇ ଏହାକୁ ଦୁଇ ଘଣ୍ଟା ବ୍ୟବଧାନ ପରେ ପିଇବା ଦ୍ୱାରା ବାନ୍ତି ବନ୍ଦ ହୋଇଯାଏ ।

ସଠିକ୍ ଭାବରେ ଖା ଖାଦ୍ୟ ସେବନ ନ କରିବା ଦ୍ୱାରା ଖାଦ୍ୟ ହଜମ ହୋଇନଥାଏ । ଯେଉଁ କାରଣରୁ ଶରୀରରେ ଅମ୍ଳତା ବଢିଯାଏ ଏବଂ ଖଟା ହାକୁଡି ଆସିଥାଏ । ଏହାକୁ ଦୂର କରିବା ପାଇଁ ପାଣିରେ ଲେମ୍ବୁ ରସ, ଚିନି ଏବଂ କିଛି ଲୁଣ ମିଶାଇ ପିଇଲେ ଆରାମ ମିଳିଥାଏ ।

ଚର୍ମରେ ଦାଗ ଏବଂ ବ୍ରଣ ଜନିତ ସମସ୍ୟାରେ ପ୍ରାୟତଃ ଲୋକମାନେ ଅସୁବିଧାରେ ପଡିଥାନ୍ତି । ଏହାର ଶସ୍ତା ଏବଂ ଉପକାରୀ ଚିକିତ୍ସା ହେଉଛି ଲେମ୍ବୁ । ଏଥିପାଇଁ ଏକ ଚାମଚ ମଲାଇରେ ଏକ ଚତୁର୍ଥାଂଶ ଲେମ୍ବୁକୁ ଚିପୁଡ଼ି ପ୍ରତିଦିନ ମୁହଁରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଚେହେରାର ରଙ୍ଗ ସଫା ହେବା ସହ ବ୍ରଣରୁ ଆରାମ ମିଳିଥାଏ । ପ୍ରାୟ ଏକ ମାସ ଏହା ବ୍ୟବହାର କରିବା ପରେ, ଏହାର ପ୍ରଭାବ ଜାଣିପାରିବେ ।

ଲେମ୍ବୁ କେଶ ଝଡିବା ସମସ୍ୟା ଦୂର କରିଥାଏ । ଏଥିପାଇ ଏକ ପାଚିଲା କଦଳୀରେ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ନିୟମିତ ଭାବରେ କେଶ ତ୍ୱଚା ମୂଳରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଚନ୍ଦାପଣ ଦୂର ହେବା ସହ କେଶ ଛଡିବା ବନ୍ଦ ହୋଇଥାଏ । ଏହାସହ ଆପଣ ଲେମ୍ବୁ ରସକୁ ଆମଲା ପାଉଡର ସହିତ ମିଶାଇ କେଶରେ ମଧ୍ୟ ପ୍ରୟୋଗ କରିପାରିବେ, ଏହା ରୂପି କମ୍ କରିବା ସହ କେଶକୁ କଳା ଏବଂ ଲମ୍ବା କରିଥାଏ ।

ଓଜନ କିମ୍ବା ମେଦବହୁଳତା କମାଇବା ପାଇଁ ଲେମ୍ବୁ ରସ ବହୁ ଉପକାରୀ ଅଟେ । ପ୍ରତିଦିନ ସକାଳେ ଏକ ଗ୍ଲାସ୍ ପାଣିରେ ଗୋଟିଏ ଲେମ୍ବୁ ରସ ଏବଂ ଦୁଇ ଚାମଚ ମହୁ ମିଶାଇ ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.