ରେଷ୍ଟୁରାଣ୍ଟ ଭଳି ଘରେ ପ୍ରସ୍ତୁତ କରନ୍ତୁ ସୋୟା ଚିଲ୍ଲୀ

ସୋୟା ଚିଲ୍ଲୀକୁ ଆପଣମାନେ ରେଷ୍ଟୁରାଣ୍ଟ ଷ୍ଟାଇଲରେ ଘରେ ପ୍ରସ୍ତୁତ କରିପାରିବେ। ଅଳ୍ପ ପରିଶ୍ରମରେ ଏହାକୁ ସ୍ୱାଦିଷ୍ଟ ବନେଇପାରିବେ । ସ୍ନାକସ୍‌ରେ ଯଦି ଚାଇନିଜ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି, କିନ୍ତୁ କରୋନା ଭାଇରସ୍‌ ପ୍ରଭାବରେ ଆପଣ ବାହାରୁ ଖାଦ୍ୟ ଆଣିବାକୁ ଚାହୁଁନାହାନ୍ତି ତେବେ ଘରେ ରେଷ୍ଟୁରାଣ୍ଟ ଷ୍ଟାଇଲରେ ସୋୟା ଚିଲ୍ଲୀ ପ୍ରସ୍ତୁତ କରିପାରିବେ। ତେବେ ଚାଲନ୍ତୁ ଜାଣବା ଏହି ସୋୟା ଚିଲ୍ଲୀ କିପରି ବନେଇବେ।

ସୋୟା ଚିଲ୍ଲୀ ପାଇଁ ଆବଶ୍ୟକ ସାମଗ୍ରୀ

  • ସୋୟାବିନ ବଡ଼ି-୧୦୦ଗ୍ରାମ
  • ଲୁଣ-ସ୍ୱାଦ ଅନୁସାରେ
  • ରସୁଣ ପେଷ୍ଟ-୧/୨ ଚାମଚ
  • ତେଲ-୨ ଚାମଚ
  • କଟାଯାଇଥିବା ପିଆଜ-୧ କପ
  • କଟାଯାଇଥିବା ଲଙ୍କା- ୨ଟି
  • ସୋୟା ସସ୍‌-୨ଚାମଚ
  • ଭିନେଗାର-୨ଚାମଚ

ସୋୟା ଚିଲ୍ଲୀ ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ସୋୟାବିନ ବଡ଼ିକୁ ଗରମ ପାଣିରେ ଭିଜେଇ ଦିଅନ୍ତୁ । ସୋୟାବିନ ବଡ଼ି ଭିଜିଗଲା ପରେ ଏହାକୁ ଭଲ ଭାବରେ ଚିପୁଡିକି ଅଲଗା ଏକ ପାତ୍ରରେ ରଖନ୍ତୁ । ଏହି ସୋୟାବିନ ବଡ଼ିରେ ରସୁଣ ପେଷ୍ଟ ଓ ଲୁଣ ଭଲ ଭାବେ ଗୋଳାଇ ରଖିଦିଅନ୍ତୁ। ଏକ କଡେଇରେ ତେଲ ଗରମ କରି କଟାଯାଇଥିବା ପିଆଜ ପକାଇ ଲାଲ୍‌ ହେବା ଯାଏ ଭାଜନ୍ତୁ। ପିଆଜ ଲାଲ୍‌ ହେବାପରେ, ରଖିଥିବା ସୋୟାବିନ ବଡ଼ିକୁ ଏଥିରେ ପକାଇ ଭାଜି ନିଅନ୍ତୁ ଓ କଟାଯାଇଥିବା ଲଙ୍କା, ଭିନେଗାର,ସୋୟା ସସ୍‌ ଏଥିରେ ପକାନ୍ତୁ । ଏହାକୁ ୧ ରୁ ୫ ମିନିଟ୍‌ ପର୍ଯ୍ୟନ୍ତ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ଗରମ-ଗରମ ସୋୟା ଚିଲ୍ଲୀ।