ଖାଇବା ପରେ ଟିଭି ଦେଖୁଥିଲେ ପରିବାର ଲୋକେ, ଛାତ ଭାଙ୍ଗି ଉପରେ ପଡିଲା ୧୦ ଫୁଟର ଅଜଗର

ରାତିରେ ପରିବାର ଲୋକେ ଟିଭି ଦେଖୁଥିବା ବେଳେ ଛାତ ଭାଙ୍ଗି ଘରକୁ ପଶିଲା ବିଶାଳକାୟ ଅଜଗର । ହୁଏତ ଆପଣ ଜାଣି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ଏମିତି ଘଟଣା ମାଲେସିଆରେ ଘଟିଛି । ରାତି ୧୧ଟାରେ ପରିବାର ଲୋକେ ଖାଇସାରିବା ପରେ ମିଳିମିଶି ଟିଭି ଦେଖୁଥିଲେ। ଠିକ୍‌ ସେହି ସମୟରେ ହଠାତ୍‌ ଘରର ଛାତ ଭାଙ୍ଗିପଡିଲା ଆଉ ସମସ୍ତଙ୍କ ଉପରେ ପଡିଲା ବିଶାଳକାୟ ଅଜଗର ସାପ । ସାପ ଦେଖିବା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ଆଉ ପରେ ସ୍ଥାନୀୟ ପ୍ରଶାସନକୁ ପରିବାର ପକ୍ଷରୁ ସୂଚନା ଦେଇଥିଲେ ।

ପ୍ରକାଶିତ ଖବର ଅନୁଯାୟୀ, ଘଟଣା ମାଲେସିଆର ବୋଲି ଜଣାପଡିଛି। ମିରି ସରାଓ୍ଵକଙ୍କ ପରିବାର ରାତିରେ ଖାଇ ସାରିବା ପରେ ଟିଭି ଦେଖୁଥିଲେ । ହଠାତ୍‌ ଘରର ଛାତ ଭାଙ୍ଗିପଡିଲା ଆଉ ଟିଭି ଦେଖୁଥିବା ପରିବାର ଲୋକଙ୍କ ଉପରେ ବିଶାଳକାୟ ସାପ ଖସିପଡିଥିଲା। ଅଜଗରର ଲମ୍ବ ୧୦ ଫୁଟ ରହିଥିଲା ।

ବିଶାଳକାୟ ଅଜଗରକୁ ଦେଖି ପରିବାର ଲୋକ ଭୟଭୀତ ହୋଇଯାଇଥିଲେ । ଆଉ କିଛି ସମୟ ପରେ ପ୍ରଶାସନକୁ ଜଣାଇବାରୁ ଘଟଣା ସ୍ଥଳରେ ଅଧିକାରୀ ପହଞ୍ଚି ସାପକୁ ଧରିଥିଲେ । ସାପର ଓଜନ ୮ କିଲୋ ରହିଥିବା ବେଳେ ୧୦ ଫୁଟ ଲମ୍ବା ଥିଲା। ଟିମ୍‌ ତାଙ୍କ ଘରେ ପହଞ୍ଚି ଅଜଗରକୁ ଧରି ଜଙ୍ଗଲରେ ଛାଡିଥିଲେ ।

ଅଧଘଣ୍ଟାର କଠିନ ପରିଶ୍ରମ ପରେ ଉଦ୍ଧାରକାରୀ ଟିମ୍‌ ସାପକୁ ଧରିଥିଲେ । ଏହି ଘଟଣା ୮ ଅକ୍ଟୋବରରେ ଘଟିଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତେବେ ଅଜଗର ସାପଟି ଗତ କିଛିଦିନ ହେଲାଣି ଛାତ ଉପରେ ଥିବା ଅନୁମାନ କରାଯାଉଛି। ଏହି ସମୟରେ ପରିବାର ଲୋକେ ଅଦ୍ଭୁତ ପ୍ରକାରର ଶବ୍ଦ ଶୁଣିଛନ୍ତି। କିନ୍ତୁ କେବେ କେହି ଧ୍ୟାନ ଦେଇନାହାନ୍ତି। ଆଉ ସେଦିନ ଅଜଗର ପଡିବା ଯୋଗୁଁ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । ତେବେ ସାପର ନାମ Reticulated Python ଥିଲା । ଏହାକୁ ଅଜଗରର ସବୁଠାରୁ ବଡ ପ୍ରଜାତି ବୋଲି କୁହାଯାଉଛି । ଏହା ମଣିଷକୁ ଶ୍ୱାସରୁଦ୍ଧ କରି ମାରିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.