Below header

ହୋଲିରେ ଅଘଟଣ: ବାରଣ ସତ୍ତ୍ୱେ ପିଇଲେ ବିଷାକ୍ତ ମଦ; ଚାଲିଗଲା ୧୩ ଜୀବନ, ଜଣେ ଅନ୍ଧ

ବିହାରରେ ନୀତିଶ ସରକାରଙ୍କ ଶତଚେଷ୍ଟା ପରେ ବି ମଦ ବିକ୍ରି ବନ୍ଦ ହେଉ ନାହିଁ। ପୋଲିସ ଯେତେ ଧରପଗଡ଼ କଲେ ବି ମଦ ମାଫିଆଙ୍କ ବେପାରକୁ କିନ୍ତୁ ବନ୍ଦ କରିପାରୁନାହିଁ। ରାଜ୍ୟରେ ପୁଣିଥରେ ବିଷାକ୍ତ ମଦ ପିଇ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ହୋଲି ପର ଦିନ ବିହାରର ବିଭିନ୍ନ ଜିଲ୍ଲାରେ ବିଷାକ୍ତ ମଦ ପିଇବା ଯୋଗୁ ୧୩ ଜଣଙ୍କ ଜୀବନ ଯାଇଛି। ସେହିପରି ଜଣେ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଛି। କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି।

ଶନିବାର ଦିନ ଭାଗଲପୁର ସାହେବଗଞ୍ଜ ଅଞ୍ଚଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ବିନୋଦ ରାୟ, ସନ୍ଦୀପ ଯାଦବ, ନୀଲେଶ କୁମାର ଓ ମିଥୁନ କୁମାର। ଚାରି ଜଣଯାକ ଗୋଟିଏ ଗାଁର। ସେହିପରି ବିଷାକ୍ତ ମଦ ଯୋଗୁ ଶ୍ୱଶୁର ଘରକୁ ଆସିଥିବା ଅଭିଷେକ କୁମାରଙ୍କ ଦୃଷ୍ଟିଶକ୍ତି ଚାଲିଯାଇଛି। ମାୟାଗଞ୍ଜ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି।


ସେହିପରି ବିହାରର ମଧେପୁରା ଜିଲ୍ଲାର ମୁରଲୀଗଞ୍ଜ ଥାନା ଅଞ୍ଚଳରେ ବିଷାକ୍ତ ମଦ ପିଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଗାଁରେ ଅନେକ ଲୋକ ରୋଗାଗ୍ରସ୍ତ ମଧ୍ୟ ହୋଇଛନ୍ତି। ସ୍ଥାନୀୟ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି।

ତେବେ କେବଳ ଭାଗଲପୁର ଓ ମଧେପୁର ନୁହେଁ, ବାଙ୍କା ଜିଲ୍ଲାରେ ମଧ୍ୟ ବିଷାକ୍ତ ମଦ ଯୋଗୁ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅମରପୁର ଥାନା ଅଞ୍ଚଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜ୍ୟରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ପୋଲିସ ସମସ୍ତ ମଦ ଭାଟି ଉପରେ ଚଢ଼ଉ କରୁଥିବା ଦେଖିବାକୁ ମିଳିଛି।

Also Read: ମଧ୍ୟ ପ୍ରଦେଶର ସବୁ କଲେଜରେ ପଢ଼ାଯିବ ରାମଚରିତ ମାନସ, ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.