ଶକ୍ତିଶାଳୀ ପୁଟିନ୍ ସେନା ସହ ଲଢ଼ୁଛି ସାହସୀ ୟୁକ୍ରେନ୍ ସେନା: ୨୭ଟି ଦେଶ ଦେଲେ ସାଥ୍

କେନ୍ୟୁଜ୍ (ବ୍ୟୁରୋ): ୟୁକ୍ରେନ୍-ରୁଷ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଶକ୍ତିଶାଳୀ ପୁଟିନ୍ ସେନା ସହ ସାହସିକ ଲଢ଼େଇ ଲଢ଼ୁଛି ୟୁକ୍ରେନ୍ । ୟୁକ୍ରେନ୍ର ରାଜଧାନୀ କିଭ୍ରୁ ଖାରକିଭ୍ ଯାଏ ରୁଷ୍ ସେନାଙ୍କ ରହିଛି ଦବ୍ଦବା । ରୁଷ୍ ସେନାକୁ ଜବାବ ଦେବାକୁ ହତିଆର ଉଠାଉଛନ୍ତି ୟୁକ୍ରେନ୍ ନାଗରିକ । ୟୁକ୍ରେନ୍ରେ ପହଞ୍ଚିଲାଣି ପାଶ୍ଚାତ୍ୟ ଦେଶର ଅସ୍ତ୍ର ସହାୟତା । ୨୭ଟି ଦେଶ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ସହାୟତା କରିବେ । ଏପଟେ ରୁଷର ସର୍ତ୍ତମୂଳକ ପ୍ରସ୍ତାବ ପାଖରେ ମୁଣ୍ଡ ନୋଇଁବାକୁ ପ୍ରସ୍ତୁତ ନୁହନ୍ତି ରାଷ୍ଟ୍ରପତି ଜେଲେନ୍ସ୍କି ।
ଚତୁର୍ଥ ଦିନରେ ଶାନ୍ତି ପ୍ରସ୍ତାବ ସହ ରୁଷର ପ୍ରତିନିଧି ମଣ୍ଡଳୀ ବେଲାରୁଷର ହୋମେଲ ସହରରେ ପହଞ୍ଚିଥିଲା । କିନ୍ତୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍ସ୍କି। ବେଲାରୁଷ ବଦଳରେ ଅନ୍ୟ କୌଣସି ସ୍ଥାନରେ ଆଲୋଚନା ହେଉ ବୋଲି କହିଛନ୍ତି । ରୁଷ୍ କହିଛି ଶାନ୍ତି ଆଲୋଚନାକୁ ପ୍ରତ୍ୟାଖ୍ୟାନ କଲେ ପରିଣାମ ପାଇଁ ଦାୟୀ ରହିବ ୟୁକ୍ରେନ୍ ।