ଓଡ଼ିଶାରେ ପ୍ରଥମ ଥର : କିଟ୍ ଓ କିସ୍ରେ ହେବ ଜାତୀୟ ପାରାଆଥଲେଟିକ୍ସ ଚାମ୍ପିଅନ୍ସିପ୍

ଭୁବନେଶ୍ୱର (କେନ୍ୟୁଜ୍) : ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ପାରାଆଥଲେଟିକ୍ ପ୍ରତିଯୋଗିତା। ଆସନ୍ତା ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଭାରତୀୟ ପାରାଅଲିମ୍ପିକ୍ କମିଟିର ଅଧ୍ୟକ୍ଷା ତଥା ଖେଳରତ୍ନ ପଦ୍ମଶ୍ରୀ ଡ. ଦୀପା ମଲ୍ଲିକ ସୂଚନା ଦେଇଛନ୍ତି।
କିଟ୍ ବିଶ୍ୱବିଦ୍ୟାଳୟରେ ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍ସିପ୍ ଉଦପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ଦୀପା ମଲ୍ଲିକ। ଏହି ପ୍ରତିଯୋଗିତା କିଟ୍ ବିଶ୍ୱବିଦ୍ୟାଳୟ ଓ କଳିଙ୍ଗ ଷ୍ଟାଡିଅମ୍୍ରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୭ରୁ ୩୧ ତାରିଖ ଯାଏ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ସମଗ୍ର ଭାରତରୁ ୨ହଜାରରୁ ଊର୍ଦ୍ଧ୍ୱ ପାରାଆଥଲେଟ୍, କୋଚ୍ ଓ ଅଫିସିଆଲ୍ ଯୋଗଦେବେ। ଏହି ଅବସରରେ ଦୀପା ଓ ତାଙ୍କର କୋଚ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଡ. ସତ୍ୟପାଲ୍ ସିଂହ କିଟ୍ ଓ କିସରେ ଥିବା ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ଓ ଖେଳାଳିଙ୍କ ପାଇଁ ରହିଥିବା ସୁବିଧା ବୁଲି ଦେଖିଥିଲେ।