ମହାରାଷ୍ଟ୍ର: ଭାରତରୁ ଚୀନ ଚୋରା ଚାଲାଣ ହେଉଥିବା ୨୮ ଲକ୍ଷ ମୟୂର ପୁଚ୍ଛ ଜବତ
ଏତେ ସଂଖ୍ୟକ ମୟୂର ପୁଚ୍ଛକୁ ଚୋରା ଚାଲାଣ କରାଯାଇ ଭାରତରୁ ଚୀନ ପଠାଯାଉଥିଲା । ଏଗୁଡ଼ିକୁ ଏକ କାର୍ଗୋ ଶିପ୍ରେ ଲୁଚାଇ ରଖାଯାଇଥିଲା ।
![peackok](https://knewsodisha.com/wp-content/uploads/2024/02/peackok.jpg)
ମହାରାଷ୍ଟ୍ରର ନଭା ଶେଭା ବନ୍ଦରରୁ ଚୋରା ଚାଲାଣର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ବୁଧବାର ଏଠାରେ ଏକ ଚୋରା ଚାଲାଣ ବିରୋଧୀ ଅପରେସନରେ ପାଖାପାଖି ୨୮ ଲକ୍ଷ ମୟୂର ପୁଚ୍ଛ ଜବତ କରାଯାଇଛି । Directorate of Revenue Intelligence (DRI)ର ମୁମ୍ବାଇ ଜୋନାଲ ୟୁନିଟ୍ ଏହି ମୟୂର ପୁଚ୍ଛଗୁଡ଼ିକୁ ଜବତ କରିଛି ।
ସୂଚନା ମୁତାବକ, ଏତେ ସଂଖ୍ୟକ ମୟୂର ପୁଚ୍ଛକୁ ଚୋରା ଚାଲାଣ କରାଯାଇ ଭାରତରୁ ଚୀନ ପଠାଯାଉଥିଲା । ଏଗୁଡ଼ିକୁ ଏକ କାର୍ଗୋ ଶିପ୍ରେ ଲୁଚାଇ ରଖାଯାଇଥିଲା । ପଚରାଉଚରା ବେଳେ ଶିପ୍ ଅପରେଟରମାନେ DRIକୁ କହିଥିଲେ କି, ସେମାନେ କତାରେ ତିଆରି ଡୋର୍ ମ୍ୟାଟ୍ ନେଇ ଯାଉଛନ୍ତି ।
ସନ୍ଦେହରେ DRI ଅଧିକାରୀମାନେ କାର୍ଗୋ ଜାହାଜରେ ଖୋଜାଖୋଜି କରିଥିଲେ । ଖୋଜାଖୋଜି ବେଳେ ସେଠାରୁ ୨୮ ଲକ୍ଷ ମୟୂର ପୁଚ୍ଛ ଏବଂ ୧୬,୦୦୦ ମୟୂର ପୁଚ୍ଛର ମୂଳ ଅଂଶ ଜବତ କରାଯାଇଛି । ଏହି ଜବତ ମୟୂର ପୁଚ୍ଛର ମୂଲ୍ୟ ପ୍ରାୟ ୨.୦୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସୀମା ଶୁଳ୍କ ଅଧିନିୟମ, ୧୯୬୨ର ଧାରା ୧୧୦ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
DRI ଏକ ବିବୃତ୍ତିରେ କହିଛି ଯେ ବନ୍ୟଜୀବ (ସୁରକ୍ଷା) ଅଧିନିୟମ, ୧୯୭୨ ଅନୁଯାୟୀ ମୟୂର ପୁଚ୍ଛର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଛି । ରପ୍ତାନିକାରୀମାନେ ବେଆଇନ ରପ୍ତାନିରେ ତାଙ୍କର ସମ୍ପୃକ୍ତିକୁ ସ୍ୱୀକାର କରିଛନ୍ତି । ସେମାନଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା, ସେଠାରୁ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଏହି ଘଟଣାର ଅଧିକ ତଦନ୍ତ ଚାଲିଛି ।