୪ ବର୍ଷ ପୁରୁଣା ଭାଷଣ, ୨ ବର୍ଷର ଦଣ୍ଡ…ସେହି ମାମଲା, ଯେଉଁଥିରେ ଚାଲିଗଲା ରାହୁଲ ଗାନ୍ଧୀଙ୍କ ସଦସ୍ୟତା
ରଦ୍ଦ ହୋଇଛି ରାହୁଲ ଗାନ୍ଧୀଙ୍କ ସଦସ୍ୟତା। କେରଳର ୱାୟନାଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରି ଶୁକ୍ରବାର ଲୋକସଭା ସଚିବାଳୟ ଏକ ବିଜ୍ଞପ୍ତି ଜାରି କରିଛି।

ରଦ୍ଦ ହୋଇଛି ରାହୁଲ ଗାନ୍ଧୀଙ୍କ ସଦସ୍ୟତା। କେରଳର ୱାୟନାଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରି ଶୁକ୍ରବାର ଲୋକସଭା ସଚିବାଳୟ ଏକ ବିଜ୍ଞପ୍ତି ଜାରି କରିଛି। ମୋଦି ସରନେମ୍ ସହ ଜଡ଼ିତ ମାନହାନି ମକଦ୍ଦମାରେ ସୁରଟର ସେଶନ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ମାନହାନି ମାମଲାରେ ରାହୁଲଙ୍କୁ ଆଇପିସି ଧାରା ୪୯୯ ଓ ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ଯଦିଓ କୋର୍ଟ ଏହି ଦଣ୍ଡରେ ୩୦ ଦିନ ରୋକ୍ ଲଗାଇ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଛନ୍ତି।
୨୦୧୯ ଏପ୍ରିଲ ୧୩ରେ କର୍ଣ୍ଣାଟକରେ ଏକ ରାଲିରେ ରାହୁଲ ଗାନ୍ଧୀ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ‘ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦିଙ୍କ ସରନେମ୍ କମନ୍ କାହିଁକି? ସମସ୍ତ ଚୋରଙ୍କ ସରନେମ୍ ମୋଦି କାହିଁକି ହୋଇଥାଏ’? ଏହି ବୟାନ ବିରୋଧରେ ସୁରଟ କୋର୍ଟରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ନିର୍ବାଚନ ରାଲିରେ ମୋଦି ସରନେମ୍କୁ ନେଇ ବିଜେପି ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ମାନହାନି ମକଦ୍ଦମା ଦାୟର କରିଥିଲେ।
ଜନପ୍ରତିନିଧି ଆଇନ ମୁତାବକ, ଯଦି ସାଂସଦ ଏବଂ ବିଧାୟକମାନେ କୌଣସି ମାମଲାରେ ୨ ବର୍ଷରୁ ଅଧିକ ସମୟ ପାଇଁ ଦଣ୍ଡିତ ହୁଅନ୍ତି, ତେବେ ସେମାନଙ୍କ ସଦସ୍ୟତା (ସଂସଦ ଏବଂ ବିଧାନସଭାରୁ) ବାତିଲ ହୋଇଥାଏ। କେବଳ ଏତିକି ନୁହେଁ, ଦଣ୍ଡ ଅବଧି ଶେଷ ହେବା ପରେ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ସେମାନେ ଅଯୋଗ୍ୟ ମଧ୍ୟ ହୁଅନ୍ତି।
କୋର୍ଟରେ ଶୁଣାଣି ସମୟରେ ରାହୁଲ ଗାନ୍ଧୀ କହିଥିଲେ, ‘ମୁଁ ଜଣେ ରାଜନେତା। ଏମିତିରେ ଯେଉଁ ଭ୍ରଷ୍ଟାଚାର, ଦୁର୍ନୀତି ହେଉଛି, ତାହାକୁ ଉଠାଇବା ମୋର କର୍ତ୍ତବ୍ୟ। ମୁଁ ଏହି କର୍ତ୍ତବ୍ୟ ପାଳନ କଲି। ମୋର ଉଦ୍ଦେଶ୍ୟ କାହାକୁ କ୍ଷତି କରିବା ନୁହେଁ। ମୁଁ ଜାଣିଶୁଣି ଏମିତି କହି ନାହିଁ। ପରବର୍ତ୍ତୀ କଥା ମୋର ଓକିଲ କହିବେ’।
ସେପଟେ ରାହୁଲଙ୍କ ଓକିଲ କୋର୍ଟରେ କହିଥିଲେ ଯେ ‘ଆମେ କୋର୍ଟରେ କ୍ଷମା ମାଗୁନାହୁଁ, ଆମକୁ ଦୟା ଦରକାର ନାହିଁ। କିନ୍ତୁ ଯାହା ବି କିଛି ହେଲା, ତାହା ସେ ନିଜ କର୍ତ୍ତବ୍ୟ ଅନୁସାରେ କଲେ। ରାହୁଲଙ୍କ ଏହି ବୟାନରେ କାହାରି କିଛି କ୍ଷତି ହୋଇନାହିଁ’।
ଦଣ୍ଡାଦେଶ ଘୋଷଣା ପରେ ରାହୁଲ ଏକ ଟ୍ଵିଟ୍ ମଧ୍ୟ କରିଥିଲେ। ସେ ଲେଖିଥିଲେ କି, ‘ମୋର ଧର୍ମ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ। ସତ୍ୟ ମୋର ଭଗବାନ, ଅହିଂସା ଏହାକୁ ପାଇବାର ସାଧନ- ମହାତ୍ମା ଗାନ୍ଧୀ’। ତେବେ ଏହା ପୂର୍ବରୁ ହୋଇଥିବା ଶୁଣାଣିରେ ରାହୁଲ କହିଥିଲେ କି, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଅସ୍ୱୀକାର କରୁଛନ୍ତି। ନିର୍ବାଚନ ରାଲିରେ ସେ ଏମିତି କଥା କହିଥିବା ତାଙ୍କୁ ମନେ ନାହିଁ।