ପ୍ରବଳ ବନ୍ୟା ଯୋଗୁଁ କେରଳରେ ଧସିଲା ମାଟି ଅତଡ଼ା, ୧୫ ଛୁଇଁଲା ମୃତ୍ୟୁ ସଂଖ୍ୟା

କେରଳ: କେରଳରେ ଗଲା କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ଗତ ତିନିଦିନ ହେଲା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ରାଜ୍ୟର ଅଧିକାଂଶ ସ୍ଥାନ ପାଣି ଘେରରେ ରହିଛି । ଏମିତିକି କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବିଭିନ୍ନ ନଦୀର ଜଳସ୍ତର ଦିନ କୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟର ମୁଖ୍ୟ ରାସ୍ତା ଗୁଡିକ ଉପରେ ବନ୍ୟା ପାଣି ଯେମିତି ଲହଡି ଭାଙ୍ଗୁଛନ୍ତି । ଆଗାମୀ ତିନି ଦିନ ଯାଏଁ ବି ପ୍ରବଳ ବର୍ଷା ଲାଗି ରହିବ ବୋଲି ଆକଳନ ପାଣିପାଗ ବିଭାଗ । ରାଜ୍ୟର ପନାମାରମ ଓ ଓ୍ଵାଇନାଦ ଜିଲ୍ଲା ଅଧିକ କ୍ଷତିଗ୍ରସ୍ଥ ହୋଇଛି । ସେହିଭଳି କନ୍ନୁର, ମଲାପୁରମ, କୋଝିକୋଡରେ ବର୍ଷାର ପରିମାଣ ବଢ଼ିବା ସହ ନଦୀସ୍ତର ମଧ୍ୟ ବଢ଼ୁଛି ।

kerala flood

ଇଡୁକି ଠାରେ ରାତି ତମାମ ବର୍ଷା ଲାଗିରହିଥିବାରୁ ଅନେକ ସ୍ଥାନରେ ପାହାଡ଼ ଧସିଛି । ୮୦ରୁ ଅଧିକ ଲୋକ ଇଡୁକି ଓ ମୁନ୍ନର ଠାରେ ଫସି ରହିଛନ୍ତି । ଯେବେକି ୫୭ ଜଣ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି । ଏହି ସ୍ଥାନ ଗୁଡିକ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ସେଠାରେ ଉଦ୍ଧାରକାରୀ ଟିମ୍‌ ପହଁଚିବାରେ ବିଳମ୍ବ ହେଉଛି । ଏହାବାଦ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍‌ ନିୟୋଜିତ ହୋଇଛନ୍ତି । ପାହାଡ ଧସିବା ଫଳରେ ଅନେକ ଘର ଭାଙ୍ଗି ଯାଇଛି । ବହୁ ଲୋକ ବନ୍ୟାଜଳରେ ଫସି ରହିଛନ୍ତି । ଇଡୁକି ଅଞ୍ଚଳକୁ ୧୫ଟି ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର ମେଡିକାଲ ଟିମ୍‌ ପଠାଯାଇଛି ।

କହିରଖିବା ଉଚିତ ହେବକି ଗତବର୍ଷ କେରଳରେ ବନ୍ୟାର କରାଳ ରୂପରେ ୯୦୦ ଜଣ ପ୍ରାଣ ହରାଇ ଥିଲେ । ପୂର୍ବରୁ ୨୦୧୮ ଓ ୨୦୧୯ ମସିହାରେ ବି କେରଳରେ ଚଳିତବର୍ଷ ପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଗୋଟେ ପଟେ କରୋନା ମହାମାରୀକୁ ଅନ୍ୟ ପଟେ ବନ୍ୟା ପରିସ୍ଥିତି ଯେମିତି ରାଜ୍ୟ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି | ଏଭଳି ଏକ ଦୁଃସମୟରେ ବନ୍ୟା ପରିସ୍ଥିତି ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.