ଆଜି ଦେଶର ୯୧ ସ୍ଥାନରେ ଏଫ୍ଏମ୍ ଟ୍ରାନ୍ସମିଟରର ହେବ ଉଦଘାଟନ, ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଆଜି ଓଡ଼ିଶାର ୭ଟି ସହ ଦେଶର ୯୧ ସ୍ଥାନରେ ଏଫ୍ଏମ୍ ଟ୍ରାନ୍ସମିଟରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏସବୁ ନୂଆ ଏଫ୍ଏମ ଟ୍ରାନ୍ସମିଟର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷେମ ହେବ ।
ନୂଆଦିଲ୍ଲୀ : ଆଜି ଦେଶରେ ୯୧ଟି ଏଫ୍ଏମ ଟ୍ରାନ୍ସମିଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିବେ । ଏହା ଦ୍ୱାରା ରେଡିଓ ସଂଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହେବ । ଏସବୁ ନୂଆ ଏଫ୍ଏମ ଟ୍ରାନ୍ସମିଟର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷେମ ହେବ । ଦେଶର ଆକାଂକ୍ଷୀ ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରେଡିଓ ସଂଯୋଗ ବୃଦ୍ଧିକୁ ଅଗ୍ରାଧିକାର ଦିଆଯାଇଛି । ଏହି ନୂଆ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଲେ ଅତରିକ୍ତ ଦୁଇକୋଟି ଲୋକ ଉପକୃତ ହେବେ । ମୋଟ ୩୫ ହଜାର ବର୍ଗ କିଲୋମିଟର ଅଧିକ ଅଞ୍ଚଳରେ ବେତାର କାର୍ଯ୍ୟକ୍ରମ ଶୁଣାଯାଇପାରିବ ।
ଓଡ଼ିଶାର ୭ଟି ସ୍ଥାନରେ ନୂତନ ଏଆଇଆର ଏଫ୍ଏମ୍ ଟ୍ରାନ୍ସମିଟରର ଶୁଭାରମ୍ଭ ହେବ । କେନ୍ଦ୍ରାପଡ଼ା ଜିଲ୍ଲାର ଗୋପ, ନବରଙ୍ଗପୁର, ଗଜପତିର ମୋହନା, ବରଗଡ଼, କନ୍ଧମାଳର ଫୁଲବାଣୀ, କୋରାପୁଟ ଏବଂ ମାଲକାନଗିରି ଠାରେ ଏହି ଏଫ୍ଏମ୍ ଟ୍ରାନ୍ସମିଟର ଲୋକାର୍ପିତ ହେବ । ଏଗୁଡ଼ିକର କ୍ଷମତା ୧୦୦ ଓ୍ଵାଟ୍ ରହିଛି । ଏହାକୁ ୧୫ରୁ ୨୦ କିଲୋମିଟର ପରିସର ମଧ୍ୟରେ ଶୁଣା ଯାଇପାରିବ । ଏହାଦ୍ୱାରା ଆକାଶବାଣୀର ଏଫ୍ଏମ୍ ସେବା ଆଉ ଅତିରିକ୍ତ ୨ କୋଟି ଲୋକଙ୍କ ପାଖରେ ପହଞ୍ଚିପାରିବ । ଆକାଶବାଣୀରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆସନ୍ତା ରବିବାର ଏହି କାର୍ଯ୍ୟକ୍ରମ ଏହାର ୧୦୦ ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି ।.