ବ୍ୟାଗରେ ବନ୍ଧୁକ ଏବଂ ଲଞ୍ଚ୍‌ ବକ୍ସରେ ଗୋଳା ବାରୁଦ ଧରି ସ୍କୁଲରେ ପହଞ୍ଚିଲେ ୧୫ ବର୍ଷିୟ ଛାତ୍ର

ବ୍ୟାଗରେ ଏଆର- ୧୫ ସେମିର ଏକ ଅଟୋମ୍ୟାଟିକ ବନ୍ଧୁକ ଏବଂ ଲଞ୍ଚ ବକ୍ସରେ ଗୋଳା- ବାରୁଦ ଧରି ସ୍କୁଲରେ ପହଞ୍ଚିଲେ ଛାତ୍ର । ବ୍ୟାଗରେ ବନ୍ଧୁକ ଆଣିଥିବା ଛାତ୍ର ଜଣକ ନାବାଳକ ହୋଇଥିବାରୁ ତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ । ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ କରିବା ସହ ବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା ।

(କେନ୍ୟୁଜ ବ୍ୟୁରୋ): ଛାତ୍ରଛାତ୍ରୀମାନେ ସାଧାରଣତଃ ବ୍ୟାଗରେ ବହି ଖାତା ଧରି ସ୍କୁଲ ଆସିଥାନ୍ତି । ବିଦ୍ୟାଳୟରେ ସାଙ୍ଗସାଥୀମାନଙ୍କ ସହ ପାଠ ପଢନ୍ତି ଏବଂ ସାଙ୍ଗରେ ଆଣିଥିବା ଟିଫିନକୁ ଅନ୍ୟ ମାନଙ୍କୁ ବାଣ୍ଟି ଖାଇଥାନ୍ତି । କିନ୍ତୁ ଜଣେ ଛାତ୍ର ନିଜ ବ୍ୟାଗରେ ବନ୍ଧୁକ ଧରି ସ୍କୁଲ ଆସିଥିବା ଜଣା ପଡ଼ିଛି । ଆମେରିକାର ଫୋନିକ୍ସ ଅଞ୍ଚଳରୁ ଏଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି । ଛାତ୍ର ଜଣଙ୍କ ନିଜ ବ୍ୟାଗରେ ଏଆର- ୧୫ ସେମିର ଏକ ଅଟୋମ୍ୟାଟିକ ବନ୍ଧୁକ ଏବଂ ଲଞ୍ଚ ବକ୍ସରେ ଗୋଳା- ବାରୁଦ ଧରି ସ୍କୁଲରେ ପହଞ୍ଚି ଯାଇଥିଲେ । ସ୍କୁଲର ଶିକ୍ଷକମାନଙ୍କୁ ଏସମ୍ପର୍କିତ ଖବର ମିଳିବା ପରେ ସେମାନେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

ଫୋନିକ୍ସ ପୋଲିସ ଅଧିକାରୀଙ୍କୁ ଦ୍ୱିପ୍ରହର ୧ଟା ସମୟରେ ମେରିବେଲର ବୋଜୋମ ହାଇସ୍କୁଲରୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଏହା ପରେ ସ୍କୁଲକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ ଘୋଷଣା କରାଯାଇଥିଲା । ଏହି ଲକଡାଉନ ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା ।

ଫୋନିକ୍ସ ପୋଲିସ କହିଛି ଯେ, ବିଦ୍ୟାଳୟ ପରିସରରେ ଅସ୍ତ୍ରଶସ୍ତ୍ର ଥିବା ସତ୍ତ୍ୱେ ସ୍କୁଲର ଶିକ୍ଷକମାନେ ଏହାକୁ ନଜର ରଖିବା ସହ ଠିକ ସମୟରେ ପୋଲିସକୁ ସୂଚନା ଦେଇଥିଲେ, ଯାହାକି ପ୍ରଶଂସାର ବିଷୟ । ବ୍ୟାଗରେ ବନ୍ଧୁକ ଆଣିଥିବା ଛାତ୍ର ଜଣକ ନାବାଳକ ହୋଇଥିବାରୁ ତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ । ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ କରିବା ସହ ବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଛାତ୍ର ନିକଟକୁ ବନ୍ଧୁକ କିପରି ଆସିଲା ସେ ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇ ନାହାନ୍ତି । ସେହିପରି ବନ୍ଧୁକକୁ ସ୍କୁଲ ଆଣିବା ପଛରେ ଉଦ୍ଦେଶ୍ୟ କଣ ତାହା ମଧ୍ୟ ଜଣା ପଡ଼ି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.