Below header

ଅତି ନିର୍ଦ୍ଦୟ: ନାବାଳକଙ୍କ ପ୍ରାଇଭେଟ୍‌ ପାର୍ଟରେ ଭ୍ୟାକ୍ୟୁମ୍‌ କ୍ଲିନରରେ ଭରିଦେଲେ ପବନ, ପେଟ ଅନ୍ତଃନଳୀ ଫାଟିଯିବାରୁ ମୃତ୍ୟୁ

ଉତ୍ତର ପ୍ରଦେଶର ପିଲିଭିତ୍‌ରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ରାଇସ୍‌ ମିଲ୍‌ରେ କାମ କରୁଥିବା ଯୁବକମାନେ ଜଣେ ନାବାଳକଙ୍କ ପ୍ରାଇଭେଟ୍‌ ପାର୍ଟରେ ପବନ ଭର୍ତ୍ତି କରି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଶ୍ଚର୍ଯ୍ୟର କଥା, ଯୁବକମାନେ ଅତି ନିର୍ଦ୍ଦୟ ଭାବେ ଭ୍ୟାକ୍ୟୁମ୍‌ କ୍ଲିନରରେ ପ୍ରାଇଭେଟ୍‌ ପାର୍ଟରେ ପବନ ଭରି ଦେଇଥିଲେ। ଘଟଣା ପରେ ପୀଡ଼ିତ ନାବାଳକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତେବେ ଆମ୍ବୁଲାନ୍ସରେ ଯିବା ବାଟରେ ସେ ନିଜ ସହିତ ଘଟିଥିବା ସମସ୍ତ ଘଟଣା ଏବଂ ୩ ଅଭିଯୁକ୍ତଙ୍କ ନାଁ କହିଥିଲେ। କିନ୍ତୁ ସେପଟେ ପରିବାର ଲୋକେ ଘଟଣାର ତିନି ଦିନ ପରେ ଏ ନେଇ ଥାନାରେ ଏତଲା ଦେଇଛନ୍ତି।

ଘଟଣାଟି ଘଟିଛି ପୁରନପୁର କୋତଓ୍ଵାଲି ଅଞ୍ଚଳର ଗୁରୁନାନକ ରାଇସ୍‌ ମିଲ୍‌ରେ। ଏଠାରେ ୯ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୪ ବର୍ଷର ନାବାଳକ ରାଇସ୍‌ ମିଲ୍‌ରେ କାମ କରିବାକୁ ଦୈନିକ ଆସୁଥିଲେ। କିଛିଦିନ ତଳେ ନାବାଳକଙ୍କ ବାପାଙ୍କୁ କୌଣସି କାରଣରୁ ଆଘାତ ଲାଗିଥିଲା, ଯାହାଫଳରେ କି, ସେ ପରିବାର ଚଳାଇବା ପାଇଁ ତାଙ୍କ ବାପାଙ୍କ ଜାଗାରେ ଆସି କାମ କରୁଥିଲେ। ତାଙ୍କ ସହିତ ଗାଁର ୪ ଯୁବକ ମଧ୍ୟ ଏଠି କାମ କରୁଥିଲେ।

ଅଭିଯୋଗ ଅନୁଯାୟୀ, ଦ୍ୱିପ୍ରହର ଲଞ୍ଚ୍‌ ସମୟରେ ଗାଁର ଦୁଇ ଯୁବକ ମଜାରେ ମଜାରେ ନାବାଳକଙ୍କୁ ଧରି ପକାଇଥିଲେ। ଆଉ ଜଣେ ଭ୍ୟାକ୍ୟୁମ୍‌ କ୍ଲିନରରେ ତାଙ୍କ ପ୍ରାଇଭେଟ ପାର୍ଟରେ ପବନ ଭର୍ତ୍ତି କରି ଦେଇଥିଲେ। ଫଳରେ ନାବାଳକଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବାର ଦେଖି ଡାକ୍ତର ତାଙ୍କୁ ଅନ୍ୟତ୍ର ପଠାଇ ଦେଇଥିଲେ। ଜିଲା ହସ୍ପିଟାଲ ଡାକ୍ତର କହିଥିଲେ, ପବନ ପେଟରେ ପଶିଯିବା ହେତୁ ନାବାଳକଙ୍କ ଅନ୍ତଃନଳୀ ଫାଟି ଯାଇଛି। ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ବରେଲିସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେପଟେ ମାମଲା ଗୋଟିଏ ଗାଁର ହୋଇଥିବାରୁ ପୀଡ଼ିତ ପକ୍ଷ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦେବାକୁ ରାଜି ହେଉ ନ ଥିଲେ। ତେବେ ଅନ୍ତିମ ସଂସ୍କାର ପରେ ଶନିବାର ବିଳମ୍ବିତ ରାତିରେ ସେମାନେ ଥାନାକୁ ଆସି ଏତଲା ଦେଇଥିଲେ। ଏହାକୁ ଆଧାର କରି ୩ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମାମଲାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.