ଗାଜାରେ ଆମ୍ବୁଲାନ୍ସ ଉପରେ ଏୟାର୍ ଷ୍ଟ୍ରାଇକ୍: ୧୫ ମୃତ, ୫୦ରୁ ଅଧିକ ଆହତ
ଇସ୍ରାଏଲ-ହମାସ ଯୁଦ୍ଧରେ ହସ୍ପଟାଲ କି ଆମ୍ବୁଲାନ୍ସ ବି ବାଦ୍ ପଡୁନି । ଗତକାଲି ଗାଜା ସହରର ଅଲ-ଶିଫା ହସ୍ପିଟାଲ ବାହାରେ ଥିବା ଆମ୍ବୁଲାନ୍ସ ଉପରେ ଏୟାର୍ ଷ୍ଟାଇକ୍ କରାଯାଇଛି । ଏହି ଏୟାର୍ ଷ୍ଟାଇକ୍ ରେ ପାଖାପାଖି ୧୫ ଜଣଙ୍କର ମୃତ୍ୟୁ ଘଟିଛି ।

ଏକ ମାସ ପୂରିବାକୁ ବସିଲାଣି ଇସ୍ରାଏଲ-ହମାସ ଯୁଦ୍ଧକୁ । ତଥାପି ଥମିବାର ନାଁ ନଉନି ଯୁଦ୍ଧ । ଯାହା ସୂଚନା ମିଳୁଛି କି, ଏଯାଏ ଏ ଯୁଦ୍ଧରେ ଉଭୟ ପକ୍ଷରୁ ୯ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି । ଗାଜା ଏବେ ମୃତ୍ୟୁର ଉପତ୍ୟକା ପାଲଟିଛି । ମାନବୀୟ ସଂକଟ ଭୟଙ୍କର ହେଉଛି । ଏହା ଭିତରେ ରାଫାହ ସୀମା ଦେଇ ଗାଜା ଛାଡୁଛନ୍ତି ବିଦେଶୀ ନାଗରିକ ।
ଯୁଦ୍ଧର ଭୟାବହତାକୁ ଦୃଷ୍ଟିରେ ରଖି ଆମେରିକା ଅସ୍ତ୍ରବିରତି ପାଇଁ ଆହ୍ୱାନ କରିଥିଲା। କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ଖଣ୍ଡନ କରିଛନ୍ତି । ହମାସ ଅଟକ ରଖିଥିବା ବନ୍ଧକଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଆକ୍ରମଣ ଆହୁରି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଏପଟେ ଇସ୍ରାଏଲ-ହମାସ ଯୁଦ୍ଧରେ ହସ୍ପଟାଲ କି ଆମ୍ବୁଲାନ୍ସ ବି ବାଦ୍ ପଡୁନି । ଗତକାଲି ଗାଜା ସହରର ଅଲ-ଶିଫା ହସ୍ପିଟାଲ ବାହାରେ ଥିବା ଆମ୍ବୁଲାନ୍ସ ଉପରେ ଏୟାର୍ ଷ୍ଟାଇକ୍ କରାଯାଇଛି । ଏହି ଏୟାର୍ ଷ୍ଟାଇକ୍ ରେ ପାଖାପାଖି ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ତେବେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଇସ୍ରାଏଲ ସେନା । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏକ ବିବୃତ୍ତି ଜାରି କରି କହିଛି ଯେ, ଅଲ-ଶିଫା ହସ୍ପିଟାଲ ବାହାରେ ଥିବା ଆମ୍ବୁଲାନ୍ସ ଉପରେ ଆକ୍ରମଣ କରାଯାଇଛି । ଏହି ଆମ୍ବୁଲାନ୍ସରେ ହମାସ ଆତଙ୍କୀ ଥିଲେ, ସେଥିପାଇଁ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି ।
ଏହାସହ ଯାହା ଜଣାପଡିଛି କି, ଏହି ଆକ୍ରମଣରେ ଅନେକ ହମାସ୍ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେହିପରି ଅଲ-ଶିଫା ଡାକ୍ତରଖାନାରେ ଥିବା ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ମଧ୍ୟ ଏହି ଆକ୍ରମଣ ପାଇଁ ଇସ୍ରାଏଲ ସେନାକୁ ଦାୟୀ କରିଥିବା ଜଣାପଡିଛି ।
ତେବେ ସୂଚନା ଥାଉକି, ହମାସ ରାସ୍ତା ସିଲ୍ କରାଯାଇଛି । ଇସ୍ରାଏଲ ସେନାର ନିର୍ଣ୍ଣାୟକ ଲଢ଼େଇ। ଗାଜାକୁ ଚାରିପଟୁ ଘେରି ହମାସ ଠିକଣାରେ ହମଲା କରୁଛି ଆଇଡିଏଫ । ଜଳ, ସ୍ଥଳ ଓ ଆକାଶରୁ ବର୍ଷୁଛି ବାରୁଦ । ଗ୍ରାଉଣ୍ଡ ଅପରେସନରେ ବହୁ ହମାସ ଆତଙ୍କୀ ନିପାତ ହେଉଛନ୍ତି । ଗାଜା ସହରର ୫ ସ୍ଥାନରେ ଚାଲିଛି ଘମାଘୋଟ ଲଢ଼େଇ ।