ବିହାର ସାମ୍ବାଦିକ ହତ୍ୟା ଘଟଣା, ୪ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ବିହାରର ଅରରିଆରେ ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଆଜି ସକାଳୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।

ବିହାରର ଅରରିଆରେ ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଆଜି ସକାଳୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି। ବିମଳଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୁରନ୍ତ ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଲିଖିତ ଅଭିଯୋଗରେ ୮ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସେଥିମଧ୍ୟରୁ ଆଜି ସକାଳେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ତେବେ ସେମାନଙ୍କ ନାମ ପ୍ରଘଟ କରାଯାଇ ନାହିଁ।

ସୂଚନାଯୋଗ୍ୟ, ଦୈନିକ ଜାଗରଣ ଖବର କାଗଜରେ କାମ କରୁଥିବା ୩୫ ବର୍ଷୀୟ ବିମଳ କୁମାର ଯାଦବଙ୍କୁ ଗତକାଲି ସକାଳେ ହତ୍ୟା କରାଯାଇଥିଲା। ଭୋର ପ୍ରାୟ ୫.୩୦ରେ ବନ୍ଧୁକଧାରୀମାନେ ତାଙ୍କ କବାଟ ବାଢ଼େଇଥିଲେ। ବିମଳ କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିଲେ।

ପୋଲିସ ଅନୁସାରେ, ଦୁଇ ବର୍ଷ ତଳେ ବିମଳଙ୍କ ସରପଞ୍ଚ ଭାଇଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ବିମଲ ଉକ୍ତ ମାମଲାର ମୁଖ୍ୟ ସାକ୍ଷୀ ଥିଲେ। ଆଶଙ୍କା କରାଯାଉଛି ଯେ, ମୁଖ୍ୟ ସାକ୍ଷୀ ଥିବାରୁ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛନ୍ତି। ପରିବାର ଲୋକଙ୍କ କହିବା ହେଲା, ବିମଳଙ୍କୁ ଅନେକ ବାର କୋର୍ଟରେ ସାକ୍ଷୀ ନ ଦେବାକୁ କୁହାଯାଇଥିଲା। ଏହାସତ୍ତ୍ୱେ କୋର୍ଟରେ ଶୁଣାଣି ସମୟରେ ବିମଳ ନିଜ ଭାଇଙ୍କ ହତ୍ୟାକାରୀଙ୍କ ବିରୋଧରେ ସାକ୍ଷୀଦେଇଥିଲେ।